ଭୁବନେଶ୍ବର: ରାଜଧାନୀବାସୀଙ୍କୁ ସୁରକ୍ଷା ଦେବାକୁ କମିସନରେଟ୍ ପୁଲିସ ଆରମ୍ଭ କରିଛି ‘ସେଫ୍ ସିଟି ଡ୍ରାଇଭ୍’। ଏହି ଅଭିଯାନର ମୁଖ୍ୟ କାମ ହେଉଛି ଅସାମାଜିକ ତତ୍ତ୍ବଙ୍କ ଖଟି ବନ୍ଦ କରିବା। ସେମାନେ ଏକାଠି ହୋଇ ବିଭିନ୍ନ ଅପରାଧର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବାରୁ ଖଟି ବନ୍ଦ ହେଲେ କିଛିଟା ପ୍ରଭାବ ପଡ଼ିବ ବୋଲି ପୁଲିସ ଆଶା ବାନ୍ଧିଥିଲା। ମାତ୍ର ପୁଲିସ ଡାଳେଡାଳେ ଗଲେ, ଅସାମାଜିକ ତତ୍ତ୍ବମାନେ ପତ୍ରେପତ୍ରେ ଯାଉଥିବା ଦେଖିବାକୁ ମିଳୁଛି। ପୁଲିସ ପକ୍ଷରୁ ପାଟ୍ରୋଲିଂ ବଢ଼ାଯିବା ପରେ ବି ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ଆପରାଧିକ ମାମଲା। ପୁଲିସର ଏହି ଅଭିଯାନ ଆରମ୍ଭ ହେବାଠାରୁ ରାଜଧାନୀରେ ଚୋରି, ଲୁଟ୍, ଛିନ୍ତାଇ ଭଳି ସାଧାରଣ ଅପରାଧ ତ କମିଲା ନାହିଁ, ବରଂ ଅପହରଣ, ରାତିଅଧିଆ ଜମି ଦଖଲ, ଜନଗହଳିପୂର୍ଣ୍ଣ ରାସ୍ତାରେ ଫାର୍ସା ବୁଲାଇବା, ବସ୍ତି ଭିତରେ ଗୋଡ଼ାଇ ଗୋଡ଼ାଇ ସଂଘବଦ୍ଧ ଆକ୍ରମଣ କରିବା ଭଳି ସଂଗିନ୍ ମାମଲା ବି ଘଟିଛି। ଅଥଚ କୌଣସି ମାମଲାରେ ପୁଲିସ ଟିମ୍ ଠିକଣା ସମୟରେ ପହଞ୍ଚି ନଥିବା ଚର୍ଚ୍ଚା ହେଉଛି।
ଗତ ୨୦ ତାରିଖ ଦିନ ସନ୍ଧ୍ୟାରେ କଳ୍ପନା ଛକସ୍ଥିତ ପେଟ୍ରୋଲ ପମ୍ପରେ ହୋଇଥିବା ଏକ ବଚସା ମାତ୍ର କେଇ ମିନିଟ୍ ପରେ ବଡ଼ଧରଣର ଗଣ୍ଡଗୋଳ କରାଇଥିଲା। ଦୁଇଜଣ ଯୁବକ ଫାର୍ସା ଧରି ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇବା ଭିତରେ କିଛି ଗ୍ରାହକ ବି ଆହତ ହୋଇଥିଲେ। କଳ୍ପନା ଛକ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଦୁଇ ଦୁର୍ବୃତ୍ତ ପ୍ରାୟ ଅଧଘଣ୍ଟା ଧରି ଆତଙ୍କରାଜ ଚଳାଇଥିଲେ ବି ପୁଲିସ୍ ପହଞ୍ଚି ପାରିନଥିଲା। ଅବଶ୍ୟ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିବା ପରେ ପୁଲିସ ଜିମା ଦେଇଥିଲେ।
ଗତ ୨୪ ତାରିଖ ବିଳମ୍ବିତ ରାତିରେ ନୂଆପଲ୍ଲୀ ଥାନାରୁ ମାତ୍ର ୨୦୦ ମିଟର ଦୂରରେ ଏକ ଜମି ଦଖଲ ଘଟଣା ଘଟିଥିଲା। ଇସ୍କନ ମନ୍ଦିର ନିକଟରେ ଥିବା ଏକ ପ୍ଲଟ୍କୁ ଦଖଲ କରିବାକୁ ଯାଇ ଜଣେ ମାଫିଆ କିଛି ବାଉନ୍ସର ଗ୍ୟାଙ୍ଗ୍, ଲେଡି ଡନ୍ ଗୋଷ୍ଠୀକୁ ଆଣି ସେଠାରେ ଥିବା ଦୁଇଟି ଦୋକାନକୁ ଭାଙ୍ଗିବା ସହ ବହୁ ଦାମୀ ଜିନିଷପତ୍ର ଲୁଟି ନେଇଥିଲେ। ବସ୍, ଟ୍ରକ୍, ଜେସିବି, କାର୍, ବାଇକ୍ ଭଳି ଗାଡ଼ିମଟର ସାଙ୍ଗକୁ ଶତାଧିକ ରାତିରେ ଏକାଠି ହୋଇ ଏହି କାଣ୍ଡ ଘଟାଇଥିଲେ ବି ପୁଲିସ ଜାଣିପାରିଲା ନାହିଁ। ଦୋକାନଦ୍ବୟର ୫ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ଶହେରୁ ଅଧିକ ଲୋକ ଜେସିବିରେ ଦୋକାନ ଭଙ୍ଗାରୁଜା କଲେ, ଅଥଚ ପୁଲିସ ପାଟ୍ରୋଲିଂ ଟିମ୍ ନଜରରେ ପଡ଼ିଲା ନାହିଁ। ମାର୍ଚ୍ଚ ୨୫ତାରିଖରେ ଜଣେ ବରିଷ୍ଠ ନାଗରିକଙ୍କୁ ଲକ୍ଷ୍ମୀସାଗର ଥାନା ଜଗନ୍ନାଥନଗର ଅଞ୍ଚଳରୁ କାର୍ ଯୋଗେ ଅପହରଣ କରାଗଲା। ଦୁର୍ବୃତ୍ତମାନେ ଦେଢ଼ କୋଟି ଟଙ୍କା ଦାବି କରି ତାଙ୍କୁ ରାଜଧାନୀ ଭିତରୁ ଅପହରଣ କରିନେଲେ, ଅଥଚ ସେଫ୍ ସିଟି ଡ୍ରାଇଭ୍ ଟିମ୍ ନଜରରେ ପଡ଼ିଲେ ନାହିଁ। ଗତ ୨୬ ତାରିଖ ଦିନ ମୈତ୍ରୀବିହାର ଥାନା ସାଲିଆସାହି ଭିତରେ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଗଲା। ବହୁ ସମୟ ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇଥିଲା।
ସହିଦନଗର ଥାନା ଅନ୍ତର୍ଗତ ଲେପ୍ରୋସି କଲୋନିରେ ଜଣେ ମଦ୍ୟପ ଯୁବକ ସ୍ଥାନୀୟ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା ବି ଘଟିଛି। ଲୁଇସ୍ ରୋଡ୍ରେ ଜଣେ ଡାକ୍ତରଙ୍କ କାର୍କୁ ଅଟକାଇ ୪ ଦୁର୍ବୃତ୍ତ ଭଙ୍ଗାରୁଜା କରିଥିଲେ। ସେହିଭଳି ୟୁନିଟ୍-୪ ମାର୍କେଟ୍ରୁ ଫେରୁଥିବା ଜଣେ ଯୁବକଙ୍କୁ ଏକ ଗଳିରେ ମାଡ଼ ମାରି ଲୁଟ୍ କରିଥିଲେ ଦୁଇ ଦୁର୍ବୃତ୍ତ। ଏମିତି ଉଦାହରଣ ଅନେକ।
ସୂଚନାଯୋଗ୍ୟ ଯେ ଏହି ଅଭିଯାନରେ ସମସ୍ତ ଥାନାର ପିଓପିଡି ଓ ଟିମ୍-୬୦ର ଅଧିକାରୀ, କର୍ମଚାରୀ ସାମିଲ ହେଉଛନ୍ତି। ବିଭିନ୍ନ ବସ୍ତି, ଛକ ସ୍ଥାନମାନଙ୍କରେ ୫୦ରୁ ଅଧିକ ପୁଲିସ କର୍ମଚାରୀ ୨୫ଟି ବାଇକ୍ରେ ପ୍ରସ୍ତୁତ ହୋଇ ରହୁଛନ୍ତି। କିନ୍ତୁ ସବୁ ପଦକ୍ଷେପ ପରେ ବି ଅପରାଧୀମାନେ ପୁଲିସକୁ ଚକ୍ମା ଦେବାରେ ସକ୍ଷମ ହେଉଥିବା ଦେଖିବାକୁ ମିଳୁଛି। ବଡ଼ କଥା ହେଉଛି, ଏବେ ବି ବିଳମ୍ବିତ ରାତିରେ କାର୍ ଓ ବାଇକ୍ ଯୋଗେ ବୁଲିବୁଲି ଅସାମାଜିକ ଯୁବକମାନେ ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରୁଛନ୍ତି।