ଭୁବନେଶ୍ୱର: ମୋଟର୍ ସାଇକେଲ୍ ହେଉଛି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ମାଧ୍ୟମ। କିନ୍ତୁ ଆଜିର ଯୁବପିଢ଼ି ତାହା ବୁଝିିବାକୁ ପ୍ରସ୍ତୁତ ନୁହନ୍ତି। ପ୍ରତି ବର୍ଷ ଭାରତରେ ୧ ଲକ୍ଷ ୫୮ ହଜାର ଲୋକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ସେଥିମଧ୍ୟରୁ ୫୨ ହଜାର ୫୦୦ ଜଣ ହେଲେ ବାଇକ୍ ଚାଳକ। ପୁଣି ହେଲ୍ମେଟ୍ ନ ପିନ୍ଧି ୧୧ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ବାଇକ୍ ଚଳାଇଲା ବେଳେ ମୋବାଇଲ୍ ବ୍ୟବହାର ଯୋଗୁଁ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ଚିନ୍ତାଜନକ ସ୍ଥିତିରେ ଲୋକମାନଙ୍କୁ ସଚେତନତାର ପାଠ ପଢ଼ାଇବା ତଥା ନିରାପଦ ବାଇକ୍ ଚାଳନାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଅଣ୍ଟା ଭିଡ଼ିଛନ୍ତି ୬୦ ବର୍ଷୀୟ ଶରତ ଶର୍ମା। ବର୍ତ୍ତମାନ ସୁଦ୍ଧା ସେ ବାଇକ୍ ଯୋଗେ ଭୁଟାନ୍ ସମେତ ୧୫ଟି ରାଜ୍ୟ ବୁଲି ସାରିଥିବା ବେଳେ ୧୫ ହଜାର ୩୦୦ କିମି ରାସ୍ତା ଅତିକ୍ରମ କରିସାରିଛନ୍ତି। ଭାରତର ୨୯ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ସେପ୍ଟେମ୍ବର ସୁଦ୍ଧା ଯାତ୍ରା କରି ଲୋକଙ୍କୁ ସଚେତନ କରିବାର ଲକ୍ଷ୍ୟ ରଖିଛନ୍ତି।
ସେ କୁହନ୍ତି, ଦେଶରେ ପ୍ରତି ୫ଟି ବାଇକ୍ରେ ଗୋଟିଏ କାର୍ ରାସ୍ତାରେ ଗଡ଼େ। ତେଣୁ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବାଇକ୍ ଚାଳକଙ୍କ ସଂଖ୍ୟା ଅଧିକ ରହିବା ଅତ୍ୟନ୍ତ ସ୍ୱାଭାବିକ। ତେଣୁ ସେ ‘ନିରାପଦ ବାଇକ୍ ଚାଳନା’ ଉପରେ ବାର୍ତ୍ତା ବାଣ୍ଟିବାକୁ ବାହାରିଛନ୍ତି। ଶରତ ଶର୍ମା ଦିଲ୍ଲୀ ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ସମ୍ପାଦକ ଭାବେ ୨ ବର୍ଷ ତଳେ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୩୭ ବର୍ଷର ସାମ୍ବାଦିକତା ଜୀବନରେ ସମାଜର ବହୁ ଦୋଷ ଦୁର୍ବଳତାକୁ ନିଜେ ଦେଖିଥିବା ବେଳେ ତାହାକୁ ସାମ୍ନାକୁ ଆଣିଛନ୍ତି। ଅବସର ପରେ କିଛି ପରିବର୍ତ୍ତନ ଉଦ୍ଦେଶ୍ୟରେ ଆଗକୁ ବଢ଼ିଛନ୍ତି। ତାଙ୍କର ଏ ଯାତ୍ରାର ଅନ୍ୟ ଏକ ଉଦ୍ଦେଶ୍ୟ ରହିଛି ‘ସୁସ୍ଥ ରହିବା’। ସେ କୁହନ୍ତି, ଜୀବନରେ ସ୍ୱପ୍ନ ଦେଖି ଚାଲିବା ଉଚିତ୍। ନିଜ ଆଗ୍ରହ ଓ ଅଭିଳାଷକୁ ବଞ୍ଚେଇ ରଖିବା ଉଚିତ୍ । ଏଥିପାଇଁ ଆମକୁ ସୁସ୍ଥ ରହିବାକୁ ପଡ଼ିବ।
ମାର୍ଚ୍ଚ ୧୮ରୁ ଦିଲ୍ଲୀରୁ ଆରମ୍ଭ ହୋଇଥିବା ତାଙ୍କର ଏହି ଯାତ୍ରା ବର୍ତ୍ତମାନ ସୁଦ୍ଧା ହରିୟାନା, ରାଜସ୍ଥାନ, ଗୁଜରାଟ, ଉତ୍ତର ପ୍ରଦେଶ, ବିହାର, ଆସାମ, ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ମେଘାଳୟ, ପଶ୍ଚିମବଙ୍ଗ, ଝାରଖଣ୍ଡ ହୋଇ ଓଡ଼ିଶାରେ ପହଞ୍ଚିଛି। ଗତ ୨୫ ତାରିଖ ଦିନ ସେ ଭୁବନେଶ୍ୱର ପହଞ୍ଚିଥିବା ବେଳେ କୋଣାର୍କ, ପୁରୀ, ଗୋପାଳପୁର, କଟକ ଓ ସମ୍ବଲପୁର ହୋଇ ଛତିଶଗଡ଼ ଯିବେ। ସେ କୁହନ୍ତି, ଓଡ଼ିଶା ମାଟିକୁ ସ୍ପର୍ଶ କରୁ କରୁ ଏହା ଏକ ଶାନ୍ତିପ୍ରିୟ ଓ ଧାର୍ମିକ ରାଜ୍ୟ ବୋଲି ଅନୁଭୂତ ହେଲା ଓ ଏଠାକାର ପାହାଳ ରସଗୋଲା ସବୁଠାରୁ ଭଲ ଲାଗିଲା ବୋଲି ଶ୍ରୀ ଶର୍ମା କହିଛନ୍ତି।