ବରିଷ୍ଠ ନାଗରିକଙ୍କ ପାଇଁ ସୁରକ୍ଷିତ ସମାଜ ଲୋଡ଼ା

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ସୁରକ୍ଷିତ ଓ ଯତ୍ନଶୀଳ ସମାଜ ଗଠନ କରିବାର ଆବଶ୍ୟକତା ରହିଛି। ସେମାନେ କିପରି ନିଜ ପରିଣତ ବୟସରେ ଏକୁଟିଆ ଅନୁଭବ ନ କରିବେ ସେଥିପ୍ରତି ଧ୍ୟାନ ଦେବା ଉଚିତ। ସବୁ ସୁବିଧା ଯେପରି ସେମାନଙ୍କ ହାତ ପାହାନ୍ତାରେ ପହଞ୍ଚି ପାରିବ ସେପରି ବ୍ୟବସ୍ଥା କରାଇବା ଦରକାର। ବରିଷ୍ଠ ନାଗରିକଙ୍କ ସମସ୍ୟାର ସମାଧାନ ପାଇଁ ଏମିତି ଭାବେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତଥା ହେଲ୍ପ ଏଜ ଇଣ୍ଡିଆର ମିଳିତ ସହଯୋଗରେ ଆଜି ଜୟଦେବଭବନଠାରେ ବରିଷ୍ଠ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ-୨୦୧୮ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ପ୍ରମୁଖ ଶାସନ ସଚିବ ନୀତେନ୍‌ ଚନ୍ଦ୍ରା, କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ଏସ କେ ଉପାଧ୍ୟାୟ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଓ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନୟକ ଯୋଗ ଦେଇଥିଲେ। ଏଥିରେ ହେଲ୍ପ ଏଜ ଇଣ୍ଡିଆର ରାଜ୍ୟ ମୁଖ୍ୟ ଭାରତୀ ଚକ୍ର ‘ଭାରତରେ ବରିଷ୍ଠ ନାଗରିକଙ୍କ ପ୍ରତି ଦୁର୍ବ୍ୟବହାର ଅଧ୍ୟୟନ ରିପୋର୍ଟ-୨୦୧୮’ ସର୍ଭେର ତଥ୍ୟ ଉପସ୍ଥାପନ କରିଥିଲେ। ୯୩ ବର୍ଷ ବୟସରେ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଥିବା ପୂର୍ବତନ ସାଂସଦ ତଥା ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ପଟ୍ଟନାୟକଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା। ଶେଷର ଖୋଲା ଆଲୋଚନାରେ ଉପସ୍ଥିତ ବରିଷ୍ଠ ନାଗରିକମାନେ ନିଜ ନିଜ ମତପ୍ରଦାନ କରିଥିଲେ। ହେଲ୍ପ ଏଜ ଇଣ୍ଡିଆର ରଞ୍ଜୟ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଏସ୍‌ଏସ୍‌ଇପିଡି ବିଭାଗର ଉପ ସଚିବ ଏସ୍‌ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।

‘ଏନ୍‌ସିଟିଇ କାର୍ଯ୍ୟାଳୟ ଉଠିଯିବା ନେଇ ନିଷ୍ପତ୍ତି ହୋଇନାହିଁ’
ଚଳିତ ମାସ ଶେଷ ଭାଗରେ ଅବସର ନେବାକୁ ଥିବା ତଥା କେନ୍ଦ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଥିବା କେନ୍ଦ୍ର ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନୀଲ ସ୍ୱରୂପଙ୍କ ଓଡ଼ିଶା ଗସ୍ତ ଅବସରରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଆସିଥିବା ସୁଧାର ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁସ୍ତକଗତ ବିଦ୍ୟା ଅପେକ୍ଷା ସମ୍ବେଦନଶୀଳତା ରହିବା ଜରୁରି ବୋଲି ଶ୍ରୀ ସ୍ୱରୂପ ପ୍ରକାଶ କରିଥିଲେ। ଏହି ଅବସରରେ ଶ୍ରୀ ସ୍ୱରୂପଙ୍କର ‘ସମ୍ବାଦ’ ସହିତ ଏକ ସ୍ୱତନ୍ତ୍ର ଆଲୋଚନା।

ଓଡ଼ିଶାରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପିଲା ତୃତୀୟ ଶ୍ରେଣୀର ପାଠ ବିଷୟରେ କହିପାରୁନାହାନ୍ତି। କିନ୍ତୁ ଆପଣ ରାଜ୍ୟରେ ଶୈକ୍ଷିକ ପରିବେଶରେ ସୁଧାର ଆସିଥିବା କହି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ପ୍ରକୃତ ସ୍ଥିତି କଣ?
ଏ ସମସ୍ୟା କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ଏପରି ସମସ୍ୟା ଦେଖାଦେଇଛି। ନୋ ଡିଟେନ୍‌ସନ୍‌ ପଲିସି-୨୦୦୯ର ରୂପାୟନ ପରେ ଶିକ୍ଷାର ଗୁଣାତ୍ମକ ମାନକୁ ନେଇ ଏପରି ସମସ୍ୟା ସାମ୍ନାକୁ ଆସିଛି। ଏନେଇ କେନ୍ଦ୍ର ସରକାର ବ୍ୟାପକ ଯୋଜନା କରୁଛନ୍ତି। ଓଡ଼ିଶା ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟାପକ ଯୋଜନା କରୁଛନ୍ତି। ଶିକ୍ଷକ ତାଲିମଠାରୁ ଆରମ୍ଭ କରି ନିଯୁକ୍ତ ପ୍ରକ୍ରିିୟାକୁ ପ୍ରତିଯୋଗିତାମୂଳକ କରିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ।

ଭୁବନେଶ୍ୱରରେ ରହିଥିବା ଶିକ୍ଷକ ଶିକ୍ଷା ଜାତୀୟ ପରିଷଦ(ଏନ୍‌ସିଟିଇ) କାର୍ଯ୍ୟାଳୟ ଦିଲ୍ଲୀ ଉଠିଯିବା ନେଇ କ’ଣ କହିବେ?
ଭୁବନେଶ୍ୱରରେ ରହିଥିବା ଏନ୍‌ସିଟିଇ କାର୍ଯ୍ୟାଳୟ ପୂର୍ବ ଭାରତର ୧୨ଟି ରାଜ୍ୟର ଶିକ୍ଷକମାନଙ୍କର ଶିକ୍ଷା ସମ୍ବନ୍ଧରେ କାର୍ଯ୍ୟ କରୁଛି। ଏହାର ସମ୍ପୂର୍ଣ୍ଣ ନବୀକରଣ କରାଯାଇଛି। ଜାତୀୟସ୍ତରରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯାଉଛି। ମାତ୍ର ଭୁବନେଶ୍ୱରରୁ ଏହି କାର୍ଯ୍ୟାଳୟ ଉଠିଯିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

ଛାତ୍ରଛାତ୍ରୀଙ୍କ ଉପରୁ ପାଠ ଚାପ ହଟାଇବା ଓ ରାଷ୍ଟ୍ରୀୟସ୍ତରରେ ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବାରେ କେନ୍ଦ୍ର ସରକାର କି ନୂତନ ଯୋଜନା କରିଛନ୍ତି?
ଛାତ୍ରଛାତ୍ରୀଙ୍କୁ ପୁସ୍ତକଗତ ବିଦ୍ୟା ଅପେକ୍ଷା ସମ୍ବେଦନଶୀଳ କରିବା ଆଜିକା ଦିନରେ ଏକ ବଡ଼ ଆହ୍ଵାନ। ଏନେଇ ବିଦ୍ୟାଳୟ ଓ ଶିକ୍ଷକଙ୍କ ଅପେକ୍ଷା ପିତାମାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀଙ୍କର ସାମଗ୍ରୀକ ବିକାଶ ହେବା ଅଧିକ ନମ୍ବର ରଖିବା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀଙ୍କୁ ଅଯଥା ଚାପରୁ ଦୂରେଇବା ନିମନ୍ତେ ସିଲାବସ୍‌ରେ ପରିବର୍ତନ ଆଣିବା ବିଷୟରେ ଯୋଜନା ରହିଛି। ସେହିପରି ଶିକ୍ଷକମାନଙ୍କର ସମସ୍ୟା ସୁଧାରିବା ପାଇଁ ମଧ୍ୟ ବ୍ୟାପକ ଯୋଜନା ହୋଇଛି। ରାଜସ୍ଥାନ ଓ କର୍ଣ୍ଣାଟକରେ ଏହି ବ୍ୟବସ୍ଥାର ଉପଯୋଗ କରାଯାଇ ସଫଳତା ମିଳିଛି।

ନକଲି ସିବିଏସ୍‌ଇ ସ୍କୁଲ୍‌ଗୁଡ଼ିକୁ ନେଇ କ’ଣ କହିବେ?
ଏନେଇ ଅଭିଭାବକ ସଚେତନ ହେବା ଜରୁରି। ପିଲାଙ୍କୁ କୌଣସି ଶିକ୍ଷାନୁଷ୍ଠାନରେ ଦାଖଲ କରିବା ପୂର୍ବରୁ ଯଥେଷ୍ଟ ସୂଚନା ଆହରଣ କରିବା ଆବଶ୍ୟକ। ଏମିତି ସନ୍ଦିଗ୍ଧ ଶିକ୍ଷାନୁଷ୍ଠାନ ବିଷୟରେ ସୂଚନା ମିଳିଲେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାଇବା ଆବଶ୍ୟକ।

ସମ୍ବନ୍ଧିତ ଖବର