ଭୁବନେଶ୍ୱର: ବରିଷ୍ଠ ନାଗରିକମାନେ ହେଉଛନ୍ତି ସମାଜ ଓ ପରିବାର ପାଇଁ ଜ୍ଞାନର ଉତ୍ସ, ଅଭିଜ୍ଞତାର ଗନ୍ତାଘର। ପରିବାର ଓ ସମାଜକୁ ଭଲ ବାଟରେ ନେବାରେ ସେମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। ପ୍ରତିଟି ଶିଶୁ, ଯୁବକ ଓ ସମାଜକୁ ନୈତିକ ଶିକ୍ଷା ବରିଷ୍ଠ ନାଗରିକମାନେ ହିଁ ଦେଇଥାନ୍ତି। ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ୪୦.୪୧ ଲକ୍ଷ ବରିଷ୍ଠ ନାଗରିକ ଅଛନ୍ତି। ଯାହାର ସଂଖ୍ୟା ଆଗାମୀ ୨୦୨୬ ସୁଦ୍ଧା ୬୨.୬୯ ଲକ୍ଷ ପହଞ୍ଚି ଯିବ ବୋଲି ଅନୁମାନ କରାଯାଇଛି। ହେଲେ ଏତେ ସଂଖ୍ୟକ ବରିଷ୍ଠ ନାଗରିକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଶୁଡ଼ି ପଡ଼ିଛି। ‘ଏନ୍ସିଆର୍ବିର ରିପୋର୍ଟ ୨୦୨୨’ ଅନୁସାରେ ଓଡ଼ିଶାରେ ୨୦୨୦ ମସିହାରୁ ବରିଷ୍ଠ ନାଗରିକମାନଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି। ୨୦୨୦ରେ ୩୨୬ ଜଣ ବରିଷ୍ଠ ନାଗରିକ ନିର୍ଯାତିତ ହେଉଥିବା ବେଳେ ୨୦୨୨ରେ ଏହାର ସଂଖ୍ୟା ବଢ଼ି ୫୫୧ଟି ମାମଲା ହୋଇଯାଇଛି।
ସେହିପରି ଗତ ୨୦୨୨ରେ ପ୍ରକାଶିତ ଏକ ବେସରକାରୀ ସଂସ୍ଥାର ସର୍ଭେ ଅନୁସାରେ ରାଜଧାନୀର ୭୪ ପ୍ରତିଶତ ବରିଷ୍ଠ ନାଗରିକ ନିର୍ଯାତନାର ଶିକାର ହେଉଛନ୍ତି। ବୟସର ଅପରାହ୍ନରେ ଅଧିକାଂଶ ବୟସ୍କଙ୍କୁ ନିଃସଙ୍ଗ ଜୀବନ କାଟିବାକୁ ପଡ଼ୁଛି। ଦିନକୁ ଦିନ ଅଣୁ ପରିବାର ବା କ୍ଷୁଦ୍ର ପରିବାର ବଢ଼ୁଥିବାର ଏହି ସମସ୍ୟା ଆହୁରି ବଢ଼ିଯାଇଥିବ ବୋଲି ଅନୁମାନ କରିହେଉଛି। ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ପାଇଁ ରାଜଧାନୀରେ ଥାନାଗୁଡ଼ିକରେ ‘ବରିଷ୍ଠ ନାଗରିକ ସୁରକ୍ଷା ସେଲ୍’ ଖୋଲା ହୋଇଛି। କ୍ରାଇମ ବ୍ରାଞ୍ଚ ସର୍କୁଲାର ଅନୁସାରେ ଏହି ସେଲ୍ରେ ଜଣେ ନୋଡାଲ ଅଫିସର ସମେତ ଦୁ ଜଣ କନେଷ୍ଟବଳ ଦାୟିତ୍ୱ ରହିବେ। ସେଲ୍ ତରଫରୁ ବରିଷ୍ଠ ନାଗରିକ ତଥା ବିଶେଷ କରି ଏକାକୀ ରହୁଥିବା ଲୋକଙ୍କୁ ସୁରକ୍ଷା ପାଇଁ ‘ବରିଷ୍ଠ ନାଗରିକ କାର୍ଡ ପ୍ରଦାନ’ ସହିତ ପ୍ରତି ସପ୍ତାହରେ ଥରେ ପରିଦର୍ଶନ କରି ସେମାନଙ୍କୁ ଅବସ୍ଥା ବୁଝିବାର ନିୟମ ରହିଛି। ହେଲେ ରାଜଧାନୀର ଅଧିକାଂଶ ଅଞ୍ଚଳରେ ବରିଷ୍ଠ ନାଗରିକମାନଙ୍କ ସଂଖ୍ୟା ଅନୁସାରେ କାର୍ଡ ମିଳିନି ବୋଲି କିଛି ବରିଷ୍ଠ ନାଗରିକ କହିଛନ୍ତି। ସେହିପରି ସପ୍ତାହରେ ପରିଦର୍ଶନ କରିବାର ଯେଉଁ ନିୟମ ରହିଛି ତାହା ଆଦୌ ପାଳନ ହେଉନାହିଁ ବୋଲି ସେମାନେ କହିଛନ୍ତି। ସେହିପରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟବସ୍ଥା, ବୁଦ୍ଧାଶ୍ରମ ବ୍ୟବସ୍ଥା ସହିତ ଅନ୍ୟାନ୍ୟ କ୍ଷେତ୍ର ପାଇଁ ସାହାଯ୍ୟ କରୁଥିବା ଟୋଲଫ୍ରି ନମ୍ୱର ‘୧୪୫୬୭’ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ହିଁ ସେବା ପ୍ରଦାନ କରୁଛି। ଫଳସ୍ୱପୁର ରାତି ଅଧରେ କୌଣସି ବରିଷ୍ଠ ନାଗରିକଙ୍କ କୌଣସି ଆବଶ୍ୟକତା ପଡ଼ିଲେ ସୁବିଧା ମିଳୁନାହିଁ। ତେଣୁ ଏହାକୁ ୨୪ ଘଣ୍ଟିଆ କରିବାକୁ ଦାବି ହେଉଛି।