ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ କରିବେ ଏସ୍‌ଏଚ୍‌ଜି୍, ଚିହ୍ନଟ ହେଲା ୨୦ ୱାର୍ଡ

ଦିଆଗଲା ପିଓଏସ୍ ଚାଳନା ତାଲିମ

ଭୁବନେଶ୍ୱର: ଏଣିକି ଭୁବନେଶ୍ବର ମହାନଗର ନିମଗ ଅଞ୍ଚଳରେ ହୋଲଡିଂ ଟାକ୍ସ ଓ ଟ୍ରେଡ୍ ଲାଇସେନ୍ସ ଫି’ ଆଦାୟ କରିବାକୁ ଯିବେ ସ୍ୱୟଂ ସହାୟକ ଗୋଷ୍ଠୀ/ମହିଳା ମହାସଂଘର ସଦସ୍ୟା। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନିଷ୍ପତ୍ତିକ୍ରମେ ଏହି ପଦକ୍ଷେପ ନିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜି ଏକ ସ୍ବତନ୍ତ୍ର ଶିବିରରେ ସଦସ୍ୟମାନଙ୍କୁ ପିଓଏସ୍‌ ଚାଳନା ସମ୍ପର୍କରେ ତାଲିମ ଦିଆଯାଇଛି। ବିଏମ୍‌ସି ପକ୍ଷରୁ ପାଖାପାଖି ଦୁଇ ମାସ ଆଗରୁ ଏସ୍ଏଚ୍‌ଜି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଚୟନ ହୋଇଥିବା ୨୦ଟି ଏସ୍‌ଏଚ୍‌ଜି/ମହିଳା ମହାସଂଘର ସଦସ୍ୟମାନେ ସାମିଲ ହୋଇଥିଲେ। ବିଏମ୍‌ସି କର୍ପୋରେସନ୍ ହଲ୍‌ରେ ଅନୁଷ୍ଠିତ ଉକ୍ତ ତାଲିମ ଶିବିରରେ ଡେପୁଟି କମିସନର ରାଜସ୍ୱ ଶ୍ରୀମନ୍ତ ମିଶ୍ର, ଜୋନାଲ୍ ଡେପୁଟି କମିସନର, ଉତ୍ତର ମଣ୍ଡଳ ପ୍ରମୋଦ କୁମାର ପୃଷ୍ଟି ଓ ଜୋନାଲ୍‌ ଡେପୁଟି କମିସନର, ଦକ୍ଷିଣ ପଶ୍ଚିମ ମଣ୍ଡଳ ରବୀନ୍ଦ୍ର କୁମାର ଜେଠୀ ଉପସ୍ଥିତ ରହି ସଦସ୍ୟାମାନଙ୍କୁ ସେମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟ, ଉଦ୍ଦେଶ୍ୟ ଓ ରାଜସ୍ୱ ଆଦାୟରେ ନାଗରିକ କଲ୍ୟାଣ କିପରି ସାଧିତ ହୋଇପାରିବ ସେନେଇ ବୁଝାଇଥିଲେ। ପଏଣ୍ଟ ଅଫ୍ ସେଲ୍‌(ପିଓଏସ୍‌) ମେସିନ୍ ଯୋଗାଇ ଦିଆଯିବା ସହ ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତ୍ୟକ୍ଷ ଭାବେ ତାଲିମ ଦିଆଯାଇଥିଲା। ପ୍ରତ୍ୟେକ ସଂଘରୁ ତିନି ଜଣ ଲେଖାଏ ଏହି ତାଲିମ ଶିବିରରେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ମାନକ ନିର୍ଦ୍ଧାରଣ ଅନୁସାରେ ପ୍ରତ୍ୟେକ ସଂଘର ଅନ୍ୟୂନ ତିନିଜଣ ସଦସ୍ୟ ମାଟ୍ରିକ୍ ପାସ୍‌ କରିଥିବେ। ସେମାନଙ୍କର ସଂଘ ଜମା ଖାତାରେ ଅନ୍ୟୂନ ୫୦ ହଜାର ଟଙ୍କା ରହି ଥିଲେ ସମ୍ପୃକ୍ତ ସଂଘ ଏଥିପାଇଁ ଆବେଦନ କରିପାରିବେ ବୋଲି ସ୍ଥିର ହୋଇଥିଲା। ଏହି ଦକ୍ଷତା ମଧ୍ୟରୁ ୨୦ଟି ସଂଘ ଚିହ୍ନିତ ହୋଇ ଆଜି ପିଓଏସ୍ ମେସିନ୍‌ରେ ଆଦାୟ କରିବାର ତାଲିମ୍ ଦିଆଯାଇଛି। ଆଗାମୀ ଦିନରେ ୨୦ଟି ୱାର୍ଡରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ମହାସଂଘ ଟିକସ ଆଦାୟ କରିବ। ଉକ୍ତ ୱାର୍ଡ ଗୁଡିକ ହେଲା ୧, ୭, ୧୯, ୨୦, ୨୧, ୨୨, ୩୧, ୩୨, ୩୪, ୩୫, ୩୭, ୩୯, ୪୭, ୪୯, ୫୩, ୫୭, ୫୮, ୬୦, ୬୧ ଓ ୬୩। ଏହାର ହିସାବ କିତାବ ଗୋଷ୍ଠୀ ଅନୁଯାୟୀ ହେବ। ୪୦ ଲକ୍ଷ ଆଦାୟ ମଧ୍ୟରେ ସମ୍ପୃ୍‌କ୍ତ ଗୋଷ୍ଠୀକୁ ଆଦାୟ ରାଶିର ଏକ ପ୍ରତିଶତ ଓ ୪୦ରୁ ୬୦ ଲକ୍ଷ ମଧ୍ୟରେ ଆଦାୟ ରାଶିର ୧.୫% ଏହାଠାରୁ ଉର୍ଦ୍ଧ୍ୱ ଆଦାୟ ନିମନ୍ତେ ଗୋଷ୍ଠୀକୁ ୨% ପ୍ରୋତ୍ସାହନ ରାଶି ଦେବାର ସ୍ଥିର ହୋଇଛି ବୋଲି ବିଏମ୍‌ସି ଅତିରିକ୍ତ କିମସନର ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର