ଗୌରବ ଆଣିଲେ ସାଗରିକା

ଅର୍ଥାଭାବରୁ କଲେଜରେ ଲେଖି ପାରି ନଥିଲେ ନାଁ, ରୢାଙ୍କ ୧୭ରେ ରାଜମିସ୍ତ୍ରିଙ୍କ ଝିଅ

ବାଲିପାଟଣା: ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଚେଷ୍ଟା କେବେ ବି ବୃଥା ଯାଏନି। ନିଷ୍ଠା ଜଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଏହା ପ୍ରମାଣିତ କରିଛନ୍ତି ବାଲିପାଟଣା ବ୍ଲକ ମକୁନ୍ଦାଶପୁର ଷଡ଼ଙ୍ଗୀ ସାହିର ଉପେନ୍ଦ୍ର ଷଡ଼ଙ୍ଗୀଙ୍କ ଝିଅ ସାଗରିକା ଷଡ଼ଙ୍ଗୀ(୨୬)। ସଦ୍ୟ ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷାରେ ସାଗରିକା ୧୭ ନମ୍ବର ରୢାଙ୍କ ପାଇ କେବଳ ବାଲିପାଟଣା ବ୍ଲକ ପାଇଁ ନୁହେଁ, ସମଗ୍ର ଜୟଦେବ ନିର୍ବାଚନ ମଣ୍ତଳୀ ପାଇଁ ଗର୍ବ ଆଣି ଦେଇଛନ୍ତି। ୨୦୦୬ ମସିହାରେ ଗାଁ ହାଇସ୍କୁଲରୁ (ମକୁନ୍ଦାଶପୁର) ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍‌ କରିବା ପରେ ଘରର ଆର୍ଥିକ ପରିସ୍ଥିତି ପାଇଁ ସାଗରିକା ଖେଲାର କୁଅଁରପୁରର ବାଣିଶ୍ରୀ ମହାବିଦ୍ୟାଳୟରେ +୨ବିଜ୍ଞାନ ପାଠ ପଢ଼ିଥିଲେ। ସାଗରିକାଙ୍କ ବାପା ଉପେନ୍ଦ୍ର ରାଜମିସ୍ତ୍ରି ଭାବେ କାମ କରି ଘର ଚଳାନ୍ତି। ଘରର ଆର୍ଥିକ ପରିସ୍ଥିତି ଖରାପ ହେତୁ ସାଗରିକାଙ୍କ ପାଠପଢ଼ା +୨ ପରଠାରୁ ବନ୍ଦ ହୋଇଯାଇଥିଲା। ଚାକିରି କରି ଘରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସେ ଭୁବନେଶ୍ବରରେ ଡିଟିପି ଅପରେଟର୍‌ ଭାବେ କାମ କରି ୬ବର୍ଷ(୨୦୦୮-୨୦୧୪)ଘର ଚଳାଇଥିଲେ। ଏହା ଭିତରେ ସାନଭାଇ ଘର ସମ୍ଭାଳିବା ପରେ ସାଗରିକା ବିଜେବି କଲେଜରେ ଇତିହାସ ସମ୍ମାନରେ +୩ ପାଠ ପଢ଼ିବା ଆରମ୍ଭ କରିଥିଲେ। ୨୦୧୭ରେ ସଫଳତାର ସହ ପ୍ରଥମ ଶ୍ରେଣୀରେ ସେ +୩ପାସ୍‌ କରିଥିଲେ। ସାଗରିକା ଇ˚ଜିନିୟରି˚ରେ ରୢାଙ୍କ ପାଇଥିଲେ ବି ଆର୍ଥିକ ପରିସ୍ଥିତି ପାଇଁ ସେଥିରେ ନାମ ଲେଖାଇ ପାରି ନଥିଲେ। ଡିଟିପି ସହିତ ପିଲାଙ୍କୁ ଟ୍ୟୁସନ୍‌ କରି ନିଜେ ପଇସା ସଞ୍ଚୟ କରିଥିଲେ। ୫୦ହଜାର ଟଙ୍କା ସଞ୍ଚୟ କରିବା ପରେ ୨୦୧୭ରେ ସାଗରିକା ଓଏଏସ୍‌ ଓ ଆଇଏସ୍‌ ପରୀକ୍ଷା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ। କୋଚି˚ ତାଙ୍କ ପାଇଁ ସ୍ବପ୍ନ ହୋଇଥିବାରୁ ସାଗରିକା ପ୍ରଥମେ ଜଣେ ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଅଫିସର ଜୟକ୍ରିଷ୍ଣା ତିଵାରୀଙ୍କ ସହଯୋଗ ନେଇଥିଲେ। ତିଵାରୀ ସାର ତାଙ୍କୁ ଗାଇଡ୍‌ କରିବା ସହ ଓଏଏସ୍‌ ପରୀକ୍ଷା ପାଇଁ ସମସ୍ତ ରାସ୍ତା ଦେଖାଇଥିଲେ। ପ୍ରଥମ ଚେଷ୍ଟାରେ ହିଁ ସେ ଓଏଏସ୍‌ ପାଇଥିଲେ। ସଫଳତା ପରେ ଏବେ ସାଗରିକାଙ୍କୁ ବଧେଇ ଜଣାଇବା ପାଇଁ ଗାଁ ଲୋକ, ବନ୍ଧୁ ବାନ୍ଧବଙ୍କ ଭିଡ଼।

ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲା ସଂଘର୍ଷ
ସଫଳତାକୁ ନେଇ ସାଗରିକା କହନ୍ତି, ମୋ ବାପା ଜଣେ ରାଜମିସ୍ତ୍ରି ହୋଇଥିବାରୁ ଭାଇ, ଭଉଣୀଙ୍କୁ ବହୁ କଷ୍ଟ କରି ପଢ଼ାଉଥିଲେ। ଯେତିକି ରୋଜଗାର କରୁଥିଲେ ସେଥିରେ ଆମ ପରିବାର ଚଳିବା ସହ ଆମ ପାଠପଢ଼ା ପାଇଁ ଖର୍ଚ କରୁଥିଲେ। ଏଭଳି ସ˚ଘର୍ଷ ମୋତେ ଦୁଃଖ ଦେଇ ନଥିଲା ବର˚ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲା। ଡିଟିପି ଅପରେଟର୍‌ ସହ ଟ୍ୟୁସନ୍‌ କଲି। ସ˚ଘର୍ଷ ନକରି ଭୁବନେଶ୍ବର ନଯାଇ ଗାଁରେ ରହିଥାନ୍ତି, ଏଭଳି ସଫଳତା ମିଳିବା ମୋ ପାଇଁ ସ୍ବପ୍ନ ହୋଇଯାଇଥାନ୍ତା ବୋଲି ‘ସମ୍ବାଦ’କୁ କହିଛନ୍ତି ସାଗରିକା। ସବୁ ପରିସ୍ଥିତର ସାମ୍ନା କରି ସକାରାତ୍ମକ ମନୋଭାବରେ ଆଗକୁ ଆଗେଇଲେ ସଫଳତା ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର