ରୋଡ଼ ରୋମିଓ ହୋଇଯାଆନ୍ତୁ ସାବଧାନ, ଆସୁଛନ୍ତି ଲେଡି ଦବଙ୍ଗ

ଭୁବନେଶ୍ୱର: ଖୁବ ଶୀଘ୍ର ଭୁବନେଶ୍ୱରରେ ଟ୍ରାଫିକ ଡିସିପି ଭାବେ ଯୋଗ ଦେବାକୁ ଯାଉଛନ୍ତି ଆଇପିଏସ ସାଗରିକା ନାଥ | ବେନିୟମ ଭାବେ ଗାଡି ଚଳାଉଥିବା ଚାଳକଙ୍କୁ ଏବେ ନଜର ରଖିବେ ସାଗରିକା | ବିଶେଷ କରି ରୋଡ଼ ରୋମିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚାରେ ଥିଲେ ଏହି ଲେଡି ଆଇପିଏସ ଅଫିସର | କୋରାପୁଟ ଜୟପୁରରେ ଏସଡ଼ିପିଓ ଭାବେ କାର୍ଯ୍ୟ କରୁଥିବା ସାଗରିକାଙ୍କ କାମକୁ ନେଇ ଅଞ୍ଚଳବାସୀ ଢେର ଖୁସି ହୋଇଥିଲେ | ନିଜର ପ୍ରଥମ ୨ ମାସର କାର୍ଯ୍ୟକାଳ ଭିତରେ ଗଂଜେଇ ମାଫିଆ, ମଦ ମାଫିଆ, ଓ ଦୁର୍ଦ୍ଦାନ୍ତ ଅପରାଧିକୁ ଗିରଫ କରିବାରେ ସଫଳ ହୋଇଥିଲେ ସାଗରିକା ।

ଦିନ ହେଉ ବା ରାତି, ବେଳ ଅବେଳ କିଛି ନାହିଁ, ଯେତେବେଳେ ଯେଉଁଠାରୁ କିଛି ସୂଚନା ମିଳେ ତୁରନ୍ତ ନିଜର ଟିମ ପହଚିଂ ଯାଆନ୍ତି ସାଗରିକା ନାଥ । କୋରାପୁଟ ଗଞ୍ଜେଇ ଚୋରା ବେପାରୀଙ୍କ ପାଇଁ ଆତଙ୍କ ସାଜିଥିଲେ ଏହି ଆଇପିଏସ ଅଧିକାରୀ । ମାଓ ଅଞ୍ଚଳରେ ଯେଉଁଠି ସୂର୍ଯ୍ୟ ବୁଡ଼ିଲେ ତାଟି କବାଟ ପଡ଼ିଯାଏ, ସେଠାରେ ସାଗରିକା ଦେଖାଇଥିଲେ ଦମ । ରାତି ଅନ୍ଧାରରେ ନିଜ ଟିମ ଧରି ଅପରାଧୀଙ୍କୁ ସାବାଡ଼ କରିବାର ରେକର୍ଡ ସାଗରିକାଙ୍କ ନାମରେ ରହିଛି । ଯାହାଙ୍କ ଭୟରେ କୋରାପୁଟ ବୋରିଗୁମ୍ମାର ଗଞ୍ଜେଇ ଚୋରା ଚାଲାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ସେହିପରି କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଗଠନ କରି ରାସ୍ତାରେ ଯାଉଥିବା ଝିଅ ମହିଳାଙ୍କୁ କମେଣ୍ଟ ମାରିଲେ ଓ ଅଶ୍ଳୀଳ ଇଙ୍ଗିତ କଲେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛନ୍ତି | ଭିନ୍ନ ଭିନ୍ନ ସମୟରେ ଝିଅଙ୍କୁ କମେଣ୍ଟ ମାରିବା, ବେପରୁଆ ତଥା ଦ୍ରୁତ ଗତିରେ ଗାଡ଼ି ଚାଳନା, ବାଇକ୍‌ରେ ୩ ଜଣ ବସି ଯିବା, ନାବାଳକ ଗାଡ଼ି ଚାଳକ, ଡ୍ରାଇଭିଂ ଲାଇସେନ୍ସ ଏବଂ ହେଲମେଟ ନ ପିନ୍ଧିବା ଯାଞ୍ଚ କରାଯାଇଥିଲା ବହୁ ସଂଖ୍ୟାରେ ଯୁବକଙ୍କୁ ଅଟକ ରଖିଥିଲା ପୁଲିସ । ଆଉ ଏହାର ନେତୃତ୍ୱ ନେଇଥିଲେ ଖୋଦ ସାଗରିକା |

୨୦୧୬ ବ୍ୟାଚର ଏହି ଲେଡ଼ି ଆଇପିଏସ ଅଫିସର ୧୯୮୮ ମସିହାରେ ଜନ୍ମ ଗ୍ରହଣ କରିଥିବାବେଳେ ତାଙ୍କ ପୈତୃକ ଘର ହେଉଛି ଅନୁଗୁଳ । ତେବେ ସାଗରିକାଙ୍କ ପିଲାବେଳ କଟିଥିଲା କୋରାପୁଟରେ । ଦାମନଯୋଡ଼ିରେ ରହୁଥିବା ସାଗରିକା ଦିଲ୍ଲୀ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ବିଶାଖାପାଟଣାରେ ଯୁକ୍ତ ଦୁଇ ପାଠପଢ଼ା ଶେଷ କରିଥିଲେ । ତେବେ ପରେ ଭୁବନେଶ୍ୱର ସିଇଟି ଇଞ୍ଜିନିୟରିଂ କଲେଜରେ ନିଜର ଉଚ୍ଚ ଶିକ୍ଷା ଶେଷ କରିବା ପରେ ଆଇପିଏସ ପାଇଁ ପ୍ରସ୍ତୁତି କରିଥିଲେ, ଆଉ ୪ ବର୍ଷ ପରେ ସାଗରିକାଙ୍କ ଏହି ସ୍ୱପ୍ନ ପୂରଣ ହୋଇଥିଲା । ୨୦୧୬ ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାଯ୍ୟ ହୋଇଥିଲେ । ଆଉ ଦୁଇ ବର୍ଷର ଟ୍ରେନିଂ ପରେ ତାଙ୍କୁ ପ୍ରଥମ ପୋଷ୍ଟିଂରେ ବୋରିଗୁମ୍ମାକୁ ପଠା ଯାଇଥିଲା । ବୋରିଗୁମ୍ମାର ଦାୟିତ୍ୱ ନେବା ପରେ ସାଗରିକାଙ୍କ ଦବଙ୍ଗଗିରି ଦେଖିଥିଲେ ଅଞ୍ଚଳବାସୀ । ବୋରିଗୁମ୍ମାରେ ଗଞ୍ଜେଇ ବେପାରୀଙ୍କ ଉତ୍ପାତ ତାଙ୍କ ନଜରକୁ ଆସିବା ପରେ ସେ ଆରମ୍ଭ କରିଥିଲେ ରାତି ଅଧିଆ ଅପରେସନ । ଯାହା ଫଳରେ ବୋରିଗୁମ୍ମାରୁ ସମ୍ପୂର୍ଣ୍ଣ ଭାବେ ଏବେ ଗଞ୍ଜେଇ ଚୋରା ଚାଲାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି ।

ସମ୍ବନ୍ଧିତ ଖବର