ପାଇକରାପୁରରେ ପୂଜାପାଆନ୍ତି, ମା’ ବୁଲାଦେବୀ। ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରନ୍ତି, ଅଭିଭାବକ ମାନନ୍ତି। ସବୁ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ସେ ନିମନ୍ତ୍ରିତ ହୁଅନ୍ତି। ଲୋକେ ବିଶ୍ବାସ କରନ୍ତି, ଗ୍ରାମଦେବତୀ ଗ୍ରାମବାସୀଙ୍କୁ ରୋଗବୈରାଗ୍ୟଠୁ ଆରମ୍ଭକରି ସବୁ ପ୍ରାକୃତିକ ବିପତ୍ତିଠାରୁ ରକ୍ଷା କରୁଛନ୍ତି। ଆସୁଥିବା ଅଦୃଶ୍ୟ ବିପତ୍ତି ଓ ଶତ୍ରୁମାନଙ୍କ ସହିତ ଲଢ଼େଇକରି ସେ ନିଜ ଗାଁକୁ ଘଣ୍ଟ ଘୋଡ଼େଇ ରଖନ୍ତି। ସବୁଠୁ ଉଲ୍ଲେଖନୀୟ, ଅଧିକାଂଶ ଗ୍ରାମଦେବତୀଙ୍କର ନାଁ ନିଚ୍ଛକ ଓଡ଼ିଆ ନାଁ- ଯେମିତିକି ସେ କାହିଁ କେତେ ପିଢ଼ି ଆଗରେ ପରିବାରର ଦାୟିତ୍ବ ନେଇଥିବା ଜଣେ ସାହସିନୀ, ଶକ୍ତିଶାଳୀ ଓଡ଼ିଆ ମା’! ଗ୍ରାମଦେବତୀଙ୍କ ପୂଜକ ବ୍ରାହ୍ମଣ ହେବା ନିହାତି ଆବଶ୍ୟକ ନୁହେଁ।
ବିଧିବଦ୍ଧ ଗଢ଼ା ହୋଇଥିବା ଭାବେ ତାଙ୍କର ମୂର୍ତ୍ତି ବଦଳରେ କେବଳ କାଠ ବା ପଥର ରୂପରେ ସେ ବିଜେ କରିଥାଇ ପାରନ୍ତି। ପୁଣି ଗ୍ରାମବାସୀ ଖାଉଥିବା ଖାଦ୍ୟକୁ ସେ ଆନନ୍ଦର ସହ ଭୋଗଭାବେ ଗ୍ରହଣ କରନ୍ତି। ଏବେ ଏକ ଆଧୁନିକ ସହରେ ପରିଣତ ହୋଇଥିବା ଭୁବନେଶ୍ବର ଏକଦା କିଛି ଗାଁର ସମାହାର ଥିଲା। ଆଜିର ଚଉଡ଼ା ରାସ୍ତା, ଫ୍ଲାଏଓଭର୍, ମଲ୍ ଓ କୋଠା ଆଦି ଭିତରେ ସେ ଗାଁଗୁଡ଼ିକ ହଜି ଯାଇଛି। କିନ୍ତୁ ଆଜି ବି ମହାନଗରର ବିଭିନ୍ନ ସ୍ଥାନରେ ଗ୍ରାମଦେବତୀମାନଙ୍କ ଆସ୍ଥାନ ରହିଛି। ହଜିଯାଇଥିବା ସେ ଅଞ୍ଚଳର ଲୋକେ ଆଜି ବି ଭଲମନ୍ଦରେ ତାଙ୍କୁ ସୁମରଣା କରି ମୁଣ୍ଡିଆ ମାରନ୍ତି। ରାଜଧାନୀର ଗ୍ରାମଦେବତୀମାନଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା
ରିପୋର୍ଟ: ହରପ୍ରିୟା ପୃଷ୍ଟି, ଫଟୋ: ନରସିଂହ ପରିଡ଼ା
ଖଣ୍ଡଗିରି୧: ବମିଖାଲ ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ ବରଡ଼େଇ ଠାକୁରାଣୀ ପୂଜା ପାଉଛନ୍ତି। ଗ୍ରାମବାସୀଙ୍କ କହିବା କଥା, ବମିଖାଲକୁ ମା’ କେମିତି ଆସିଲେ ବା ତାଙ୍କୁ ଏଠାରେ କିଏ କେବେ ସ୍ଥାପନା କଲେ, କେହି ଜାଣି ନାହାନ୍ତି। ରାଜଧାନୀ ତିଆରି ହେବାର କାହିଁ କେତେ ଆଗରୁ ମା’ ଏଠାରେ ପୂଜା ପାଉଛନ୍ତି। ପୂର୍ବେ ଜଙ୍ଗଲରୁ ହାତୀ ସହିତ ବିଭିନ୍ନ ବନ୍ୟଜନ୍ତୁ ଏଠାରେ ଆତଯାତ କରୁଥିଲେ। ବାଘ ଭୟ ସର୍ବାଧିକ ରହୁ ଥିବାରୁ ସନ୍ଧ୍ୟାହେଲେ କେହି ଘରୁ ବାହାରୁ ନଥିଲେ। ମା’ ଗୋଟିଏ ବଡ଼ ବରଗଛମୂଳେ ପୂଜା ପାଉଥିଲେ। ମା’ଙ୍କର ପଥର ମୂର୍ତ୍ତିଙ୍କୁ ଏଠାରେ ପୂଜା କରାଯାଉଥିଲା। ବିଭିନ୍ନ ବଡ଼ଗଛ ସହିତ ଜଙ୍ଗଲି ଫୁଲଗଛ, କଣ୍ଟେଇକୋଳି, ଖିରିକୋଳି ଗଛ ଠାକୁରାଣୀଙ୍କ ଆଖ ପାଖରେ ପୂରିଥିଲା। ଗାଁ କ୍ରମେ ସହର ହେଲା। ଚାଳଘରସବୁ କୋଠାରେ ପରିଣତ ହେଲା। ତା’ପରେ ଗାଁର ରକ୍ଷାକାରିଣୀଙ୍କୁ ଆଉ କୋଳିଗଛମୂଳେ ନରଖିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଲେ। ହେଲେ ଟଙ୍କାର ଅଭାବ ପଡ଼ିଲା। ସେହି ଭିତରେ ପାଖାପାଖି ୧୯୮୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ‘ରାଜାରାଣୀ ଲଟେରି’ରେ ବମିଖାଲ ଗାଁର ବାବାଜୀ ସାମନ୍ତରା ନାମକ ଜଣେ ବ୍ୟକ୍ତି ଏକଲକ୍ଷ ଟଙ୍କା ଜିତିଲେ। ସେହି ଟଙ୍କାରେ ମା’ଙ୍କ ପାଇଁ ସେହି ବର୍ଷ ଛୋଟିଆ ମନ୍ଦିରଟିଏ ପଥର ଥୋଇ ତିଆରି କରାଯାଇଥିଲା। ପରେ ୧୯୯୯ ମସିହା ବେଳକୁ ମା’ଙ୍କ ମନ୍ଦିରକୁ ବଡ଼କରି ତୋଳିବାକୁ ଯୋଜନା ହେଲା ଓ ସରକାରୀ ପ୍ରୋତ୍ସାହନରେ କାମ ଆଗେଇଲା।
ଏବେ ଗାଁର ମୂଳ ବାସିନ୍ଦା ପାତ୍ରସାହି, ପ୍ରଧାନସାହି, ଜେନାସାହି ସହ ପାଖରେ ଗଢ଼ିଉଠିଥିବା ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନୀ ଲୋକେ ମଧ୍ୟ ମା’ ବରଡ଼େଇଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ବିବାହ, ବ୍ରତଘର ହେଲେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଏ। ବିବାହ ବେଳେ ଦିଅଁ ମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଗ୍ରାମବାସୀ ପୂଜା ପାଇଁ ଯାଆନ୍ତି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯାଏ। ଗାଁରେ କାହାର ଗାଈ, ଗୋରୁ ହଜିଲେ ଗାଈପଘାକୁ ନେଇ ମନ୍ଦିର ପାଖରେ ଲୋକେ ବାନ୍ଧିଦେଇ ଆସୁଥିଲେ। ହଜିଥିବା ଗାଈ ଆପେ ଫେରି ଆସୁଥିଲା। ହଜିଲା ଜିନିଷ ପାଇଁ ଏଠାରେ ପୂଜା କଲେ ମା’ ସାହା ହୁଅନ୍ତି ବୋଲି ପୁରୁଖା ଲୋକଙ୍କର ଦୃଢ଼ ବିଶ୍ବାସ ରହିଛି। ଯେକୌଣସି ବିପଦ ପଡ଼ିଲେ ଲୋକେ ମା’ଙ୍କ ପାଖରେ ଅଧିଆ ପଡ଼ି ମାନସିକ କରି ଆସନ୍ତି। ବିପଦରୁ ମୁକ୍ତି ପାଇବା ପରେ କିମ୍ବା ମାନସିକ ପୂରଣ ହେଲେ ମା’ଙ୍କ ପାଖରେ ସେମାନେ ଜାଚଣା କରନ୍ତି। ମା’ ବରଡ଼େଇ ମନ ଜାଣି ସବୁ ଇଚ୍ଛା ପୂରଣ କରନ୍ତି। ପୂର୍ଣ୍ଣିମା ଓ ଅମାବାସ୍ୟା, ଦୋଳପର୍ବରେ ମା’ଙ୍କର ବିଶେଷ ପୂଜା ହୋଇଥାଏ। ଏବେ ଗାଁର ରାମଚନ୍ଦ୍ର ମିଶ୍ର ପୂଜକ ଅଛନ୍ତି। ଗାଁର ସମ୍ପାଦକ ଅଜୟ କୁମାର ପ୍ରଧାନ, ସଭାପତି ପ୍ରକାଶ ଚନ୍ଦ୍ର ଜେନା ଓ ଉପଦେଷ୍ଟା ସୁକାନ୍ତ କୁମାର ପ୍ରଧାନ ପ୍ରମୁଖଙ୍କ କହନ୍ତି, ମା’ଙ୍କ ଆଶିଷରୁ ଗାଁରେ କେବେ ବଡ଼ ଅଘଟଣ ହୁଏନି।