ଖଣ୍ଡଗିରି: ତମାଣ୍ଡୋ ଗ୍ରାମ ପଞ୍ଚାୟତର ସିଜୁପୁଟ ଗ୍ରାମରେ ଗ୍ରାମଦେବତୀ ରୂପେ ମା’ ବଘେଇ ଠାକୁରାଣୀ ପୂଜା ପାଉଛନ୍ତି। ଠାକୁରାଣୀଙ୍କ ଆବିର୍ଭାବ ସମ୍ପର୍କରେ ସଠିକ ସୂଚନା ନାହିଁ। ମା’ କାହା ଦୁଃଖ ସହି ପାରନ୍ତିନି ବୋଲି ଲୋକଙ୍କ ବିଶ୍ବାସ ରହିଛି। ଗ୍ରାମବାସୀଙ୍କ କହିବା କଥା ହେଉଛି ଯେ ୧୯୩୬ ମସିହାରେ ଠାକୁରାଣୀ ସାହାଡ଼ା ଗଛ ମୂଳରେ ରହୁଥିଲେ। ବେଢ଼ା ଚାରିକଡ଼େ ବହୁ ଗଛ ମାଡ଼ି ଥିଲା। ଗଛ ଗୁଡ଼ିକର ପତ୍ର ଲମ୍ବା ହୋଇଥିବାରୁ ମା’ ଆକର୍ଷଣୀୟ ଦେଖା ଯାଉଥିଲେ। ଠାକୁରାଣୀଙ୍କ ପଥର ମୂର୍ତ୍ତି ସହିତ ମାଟି ଘୋଡ଼ା ଥିଲା। ମା’ଙ୍କ ମୂର୍ତ୍ତି ପୂଜା କରାଯାଉଥିବା ବେଳେ ମନ୍ଦିର ନଥିଲା। ସମୟ କ୍ରମେ ଗ୍ରାମ ଆଡ଼କୁ ସହର ବଢ଼ିଲା।
୧୯୯୩ ମସିହାରେ ଗ୍ରାମବାସୀ ପ୍ରଥମେ ମା’ଙ୍କ ପାଇଁ ଛୋଟିଆ ମନ୍ଦିରଟିଏ ପ୍ରତିଷ୍ଠା କରିଥିଲେ। ବାତ୍ୟାରେ ମନ୍ଦିର ନଷ୍ଟ ହେଇଯିବାରୁ ୨୦୦୦ ମସିହାରେ ମନ୍ଦିର ପ୍ରତିଷ୍ଠା ହେଲା। ପରେ ୨ ବର୍ଷ ତଳେ ଠାକୁରାଣୀଙ୍କ ପାଇଁ ବଉଳମାଳ ପଥରରେ ମନ୍ଦିର ତିଆରି ହୋଇଛି। ଏବେ ଗାଁର ମୂଳ ବାସିନ୍ଦାଙ୍କ ସହ ପାଖରେ ଗଢ଼ିଉଠିଥିବା କଳିଙ୍ଗବିହାର, କଳିଙ୍ଗନଗର, ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନି ଲୋକେ ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ରଙ୍ଗମାଟିଆ, ବେହେରାସାହି, ତନ୍ତୀସାହି, ମହାରଣାସାହି, କନ୍ଦିସାହି, ତଳସାହିର ବାସିନ୍ଦାମାନେ ମା’ଙ୍କୁ ପୂଜା କରୁଛନ୍ତି। କୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଏ। ଗାଁକୁ ମା’ ସବୁ ବିପଦ ଆପଦରୁ ରକ୍ଷା କରି ଆସୁଛନ୍ତି ବୋଲି ଲୋକେ ବିଶ୍ବାସ କରନ୍ତି।
ପର୍ବ ପର୍ବାଣୀରେ ଏଠାରେ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ। ଠାକୁରାଣୀଙ୍କ ପାଖରେ ନଡ଼ିଆ, କଦଳୀ, ଉଖୁଡ଼ା ଆଦି ଭୋଗ ହୁଏ। ବିଶେଷ ଦିନଗୁଡ଼ିକରେ ଯଥା ଶୁକ୍ଳପକ୍ଷ ଅଷ୍ଟମୀ, ସଂକ୍ରାନ୍ତି, ଦଶହରାରେ ୧୬ ପୂଜା ହେବା ସହିତ ଅନ୍ନ ଭୋଗ ହୁଏ। ୨୦ ବର୍ଷ ତଳେ ମା’ଙ୍କ ପାଖରେ ଆମିଷ ଭୋଗ ହେଉଥିଲା। ହେଲେ ଏବେ ଏହାକୁ ବନ୍ଦ କରାଯାଇଛି। ଭକ୍ତମାନେ ଚୂଡ଼ା ଘଷା ଓ ଖେଚୁଡ଼ି ଭୋଗ କରନ୍ତି। ଠାକୁରାଣୀଙ୍କ ପାଖରେ ମାନସିକ କଲେ ତାହା ପୂରଣ ହୋଇଥାଏ। ଏଠାରେ ଝାମୁଯାତ୍ରା, ପଣାସଂକ୍ରାନ୍ତି ଖୁବ୍ ଧୁମ୍ଧାମରେ ପାଳନ ହୁଏ। ଏହି ଅବସରରେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ କାଳିସି ଲାଗନ୍ତି। ସେ ଭକ୍ତଙ୍କୁ ହୁକୁମ ମଧ୍ୟ ଦିଅନ୍ତି। ପୂର୍ବରୁ ମା’ଙ୍କ ମନ୍ଦିର ପାଖକୁ ରାତିରେ କେହି ଯିବାକୁ ସାହସ କରୁ ନଥିଲେ। ଏବେ ଜଗନ୍ନାଥ ଦାସ ମା’ଙ୍କ ପୂଜା କରୁଛନ୍ତି। ସୂଚନା ଦେଇଛନ୍ତି: ଅଭିମନ୍ୟୁ ହରିଚନ୍ଦନ, ରୁଦ୍ର ପ୍ରସାଦ ହରିଚନ୍ଦନ, ବିଷ୍ଣୁ ପ୍ରସାଦ ଜେନା, ଅମୂଲ୍ୟ ସାହୁ, ଭୀମସେନ ବେହେରା ଓ ଦେବରାଜ ପାତ୍ର।