ଭୁବନେଶ୍ବର: ବିଏମ୍ସି ସଫେଇ କର୍ମଚାରୀ ସଂଘର ସମ୍ପାଦକ ସହଦେବ ନାୟକ ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ଖଳନାୟିକା ରମା ବେୱା(୫୭) ରବିବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ୪୦ ଦିନର ଲୁଚକାଳି ଖେଳ ଖେଳିବା ପରେ ରମା ପୁଲିସକୁ ଧରାଦେଇଛି। ପୁଲିସ ତା’ ସମ୍ପତ୍ତି ବାଜ୍ୟାପ୍ତି କରିବ ଭୟ ଦେଖାଇବା ପରେ ଅନ୍ୟ ବାଟ ନପାଇ ରମା ମଞ୍ଚେଶ୍ବର ଥାନାରେ ପହଞ୍ଚି ହାତ ଟେକିଦେଇଛି। କିନ୍ତୁ ଏହି ମାମଲାରେ ରମାର ପୁଅ ନିଲୁ ମଧ୍ୟ ଅଭିଯୁକ୍ତ ଥିବା ସତ୍ତ୍ବେ ସେ ଧରାପଡ଼ିନାହିଁ। ଆଜି ପୁଲିସ ରମାକୁ କୋର୍ଟ ଚାଲାଣ କରିଛି। ତାକୁ ମିଶାଇ ପୁଲିସ ଏହି ମାମଲାରେ ୭ଜଣଙ୍କୁ ଗିରଫ କଲାଣି। କିନ୍ତୁ ସହଦେବଙ୍କ ବେକକୁ ଖଣ୍ଡାରେ ହାଣିଥିବା ସୁଶାନ୍ତ ନାୟକ ଓ ଷଡ୍ଯନ୍ତ୍ରରେ ସାମିଲ ଥିବା ଅନ୍ୟ ୩ ଏପର୍ଯ୍ୟନ୍ତ ପୁଲିସ ପାଇଁ ଅପହଞ୍ଚ ହୋଇ ରହିଛନ୍ତି। ଆଜି ସକାଳ ପ୍ରାୟ ୯ଟା ବେଳେ ରମା ହଠାତ୍ ମଞ୍ଚେଶ୍ବର ଥାନାରେ ପହଞ୍ଚିଥିଲା। ସାଙ୍ଗରେ ଥିଲେ ଝିଅ, ନାତି ଓ ଅନ୍ୟ ସମ୍ପର୍କୀୟ। ପାଖାପାଖି ୧୦ଜଣଙ୍କୁ ସାଙ୍ଗରେ ଧରି ଏକ ପଟୁଆରରେ ରମା ଥାନାକୁ ଆସିଥିଲା ଏବଂ ସିଧାସଳଖ ପୁଲିସକୁ କହିଥିଲା, ‘ମୁଁ ରମା। ସହଦେବ ନାୟକ ହତ୍ୟା ମାମଲାରେ ପୁଲିସ ମୋତେ ଖୋଜୁଥିଲା।’ ବଡ଼ କଥା ହେଉଛି ସେ ଥାନାକୁ ଆସିଥିବା ବେଳେ ସମ୍ପର୍କୀୟମାନେ ଭିଡିଓ ଉତ୍ତୋଳନ କରୁଥିଲେ ଏବଂ ତୁରନ୍ତ ଭିଡିଓ ସବୁକୁ ଭାଇରାଲ୍ କରୁଥିଲେ। ଆତ୍ମସମର୍ପଣ ବେଳେ ସେ କହିଛି ଯେ ସହଦେବ ହତ୍ୟା ମାମଲାରେ ତା’ର କୌଣସି ପ୍ରକାର ସମ୍ପୃକ୍ତି ନାହିଁ। ତାକୁ ଫସାଇ ଦିଆଯାଇଛି। ପୁଲିସ ତାଙ୍କ ପରିବାର ଓ ସମ୍ପର୍କୀୟମାନଙ୍କୁ ହଇରାଣ କରିବାରୁ ବାଧ୍ୟ ହୋଇ ଆତ୍ମସମର୍ପଣ କଲେ ବୋଲି ସେ କହିଛି।
ଏୟାର୍ପୋର୍ଟ ଥାନା ଭୀମପୁର ବିବେକାନନ୍ଦ ଶିକ୍ଷାକେନ୍ଦ୍ର ନିକଟରେ ପ୍ଲଟ୍ ନଂ-୩୨୩/୦୬ରେ ରୁହେ ରମା ବେୱା। ସେ ଜଣେ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ। କଟକ ଏସ୍ସିବି ମେଡିକାଲ୍ କଲେଜ୍ରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରେ। ସେ ଏକ ସଫେଇ କର୍ମଚାରୀ ସଂଘର ନେତୃତ୍ବ ନେଉଥିଲା। ସହଦେବ ମଧ୍ୟ ଗୋଟିଏ ସଫେଇ କର୍ମଚାରୀ ସଂଘର ନେତୃତ୍ବ ନେଉଥିଲେ। ନିଜ ନିଜର ପତିଆରା ବଜାୟ ରଖିବା ପାଇଁ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ସରକାରୀ କର୍ମଚାରୀ ହୋଇଥିଲେ ବି ସବୁଦିନ ଡ୍ୟୁଟିକୁ ନଯାଇ ସେ ଅନ୍ୟଜଣକୁ ତା’ କାମରେ ଲଗାଇଥିଲା ଏବଂ ଭୁବନେଶ୍ବରରେ ବ୍ରାଉନ୍ସୁଗାର କାରବାର କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଏଥିସହିତ ସୁଧ କାରବାରରୁ ସେ ଭଲ ଉପାର୍ଜନ କରୁଥିଲା। ଲୋକଙ୍କଠାରୁ ୧୫%ରୁ ୨୦% ହାରରେ ସୁଧ ନେଉଥିଲା। ଏଥିରେ ତାଙ୍କୁ ପିଙ୍କି(ଗିରଫ ହୋଇସାରିଛି) ସହଯୋଗ କରୁଥିଲା। ରମାର ଏହି ଗରିବ ଶୋଷଣ ନୀତି ବିରୋଧରେ ସହଦେବ ପୁଲିସକୁ ଜଣାଉଥିଲା। ଏହି ସୁଧ କାରବାର ମାମଲାରେ ପିଙ୍କି ଗିରଫ ହୋଇଥିଲା। ତେଣୁ ପିଙ୍କି ପାଲଟିଯାଇଥିଲା ସହଦେବଙ୍କ ପରମ ଶତ୍ରୁ। ରମାର ଯେଉଁ ସହଯୋଗୀମାନେ ନିଶା କାରବାରରେ ଗିରଫ ହେଉଥିଲେ, ରମା ସେମାନଙ୍କୁ ଜାମିନରେ ଆଣୁଥିଲା ଏବଂ ସହଦେବ ବିରୋଧରେ ଉସୁକାଉଥିଲା। ହତ୍ୟାକାଣ୍ଡର ଦିନକ ପୂର୍ବରୁ ରମା ସମସ୍ତଙ୍କୁ ଏକାଠି କରିବାରେ ପ୍ରମୁଖ ଭୂମିକା ନିଭାଇଥିଲା ଏବଂ ହତ୍ୟାକାଣ୍ଡ ପରେ ପୁଅ ନିଲୁ ସହ ଫେରାର ହୋଇଯାଇଥିଲା।
ଆଜି ଡିସିପି ପିନାକ ମିଶ୍ର କହିଛନ୍ତି ଯେ ମା-ପୁଅଙ୍କୁ ଧରିବା ପାଇଁ ପୁଲିସ ଘନଘନ ଚଢ଼ଉ କରିଥିଲା। କିଛି ଦିନ ତଳେ ବ୍ରହ୍ମପୁର ରେଳଷ୍ଟେସନ୍ର ସିସିଟିଭି ଫୁଟେଜ୍ରୁ ମା’ ପୁଅଙ୍କୁ ପୁଲିସ ଠାବ କରିଥିଲା। ସେମାନେ ରାଜ୍ୟ ବାହାରକୁ ନଯାଇ ସ୍ଥାନ ବଦଳାଉଥିବା ଏକ ପ୍ରକାର ସ୍ପଷ୍ଟ ହେବା ପରେ ପୁଲିସ ତା’ର ଝିଅ ଓ ସମ୍ପର୍କୀୟଙ୍କ ଘରେ ବାରମ୍ବାର ଚଢ଼ଉ କରିଥିଲା। ଏଥିସହିତ ରମାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭୀମପୁରସ୍ଥିତ କୋଠାକୁ ସିଲ୍ କରିଥିଲା ପୁଲିସ। ପୂର୍ବରୁ ତା’ ନାଁରେ କ୍ୟାପିଟାଲ୍ ଥାନାରେ ୩ଟି ଓ ଏୟାରପୋର୍ଟ ଥାନାରେ ଗୋଟିଏ ମାମଲା ରହିଛି। ଜାନୁଆରି ୮ ତାରିଖ ସକାଳେ ସହଦେବ ତାଙ୍କ ଝିଅକୁ ରାମମନ୍ଦିର ନିକଟ ଏକ ସ୍କୁଲ୍ରେ ଛାଡ଼ି ରସୁଲଗଡ଼ ଯାଉଥିବା ବେଳେ ହତ୍ୟାର ଶିକାର ହୋଇଥିଲେ। ଲକ୍ଷ୍ମୀଧର ନାୟକ ଓରଫ ମଣ୍ଟେଇ, ତା’ ପତ୍ନୀ ଲିପିକା ନାୟକ, ସୁଶାନ୍ତ ନାୟକ ଓ ରକି ନାୟକ ତାଙ୍କୁ ରସୁଲଗଡ଼ ରେଳ ଓଭରବ୍ରିଜ୍ ଉପରେ ବୀଭତ୍ସ ଭାବେ ହାଣି ପକାଇଥିଲେ।
ଘର ଭାଙ୍ଗିବାକୁ ଡର
ଏଜେନ୍ସି-ବିଏମ୍ସି ଦୋଷ ଠେଲାଠେଲି
ଭୋଗୁଛନ୍ତି ଭୁବନେଶ୍ବରବାସୀ
ଭୁବନେଶ୍ବର: ନିଶା ବେପାରକୁ ନେଇ ଶତ୍ରୁତା ହେଲା। ଉଭୟପକ୍ଷ ଛକାପଞ୍ଝା ହେଲେ। ଯାହାର ବେପାର ବୁଡ଼ିଲା ସେ ଛକି ରହିଲା ପ୍ରତିଶୋଧ ନେବ। ନିଶାବେପାରୀ ସମୟ ସୁବିଧା ଦେଖି ବେକରେ ଚୋଟ ଦେଇ ରାଜପଥରେ ମୁଣ୍ଡ ଗଡ଼ାଇଦେଲା। ଯେଉଁ ଘଟଣାରେ କି ବିଏମ୍ସିର କୌଣସି ସମ୍ପର୍କ ନଥିଲା। କିନ୍ତୁ ମୃତକ ସଫେଇ କର୍ମଚାରୀଙ୍କ ନେତା ଥିବାରୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀ ଆନ୍ଦୋଳନ କଲେ। ବିଏମ୍ସି ସହାନୁଭୂତି ଦେଖାଇ କ୍ଷତିପୂରଣ ବାବଦକୁ ନଗଦ ଅର୍ଥ ଓ ପରିବାର ସଦସ୍ୟଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଲା। ପ୍ରତିଶ୍ରୁତି ପୂରଣ ନହେବାରୁ ସଫେଇ କର୍ମଚାରୀ ପୁଣି ଆନ୍ଦୋଳନ କଲେ, ଧାରଣା ଦେଲେ। ସାରା ଭୁବନେଶ୍ବର ସଫା ହୋଇ ପାରିଲା ନାହିଁ। ସାଧାରଣ ଜନତା କଷ୍ଟ ଭୋଗିଲେ। ଏବେ ବି ପ୍ରତିଶ୍ରୁତି ପୂରଣ ହୋଇନି। ଯେକୌଣସି ମୁହୂର୍ତ୍ତରେ ପୁଣି ଆନ୍ଦୋଳନ ହୋଇପାରେ। ସଫେଇ କର୍ମଚାରୀ ନେତା ସହଦେବ ନାୟକଙ୍କ ହତ୍ୟା ଘଟଣାରେ ଏଭଳି ସ୍ଥିତି ଉପୁଜିଛି। ବଡ଼କଥା ହେଲା, ବିଏମ୍ସି ଯେଉଁ ପ୍ରତିଶ୍ରୁତି ଦେଲା ତାହା ପୂରଣ ହେଲାନାହିଁ। କାରଣ ଯାହା ପ୍ରତିଶ୍ରୁତି ବିଏମ୍ସି ଦେଲା ତାହାକୁ ପୂରଣ କରିବାକୁ ସଫେଇ ଏଜେନ୍ସି ଓ ସରକାରଙ୍କ ଉପରକୁ ଠେଲିଦେଇ ବସିଗଲା। ସଫେଇ କର୍ମଚାରୀଙ୍କ ମୌଳିକ ସୁବିଧା ଯଥା, ଦରମା, ଇପିଏଫ୍, ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଦେବାପାଇଁ ଏଜେନ୍ସି ଦାୟୀ। ସଫେଇକୁ ନେଇ କୌଣସି ସମସ୍ୟା ହେଲେ ତାହାର ସମାଧାନ କରିବାକୁ ଏଜେନ୍ସି ବାଧ୍ୟ। କିନ୍ତୁ ଏହି ହତ୍ୟାକାଣ୍ଡ ନିଶା ବେପାରକୁ ନେଇ ହୋଇଛି। ବସ୍ତି ବା ସମ୍ପୃକ୍ତ ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ଲଢ଼େଇ କରୁଥିବା ସହଦେବଙ୍କୁ ନିଶା ମାଫିଆମାନେ ହତ୍ୟା କରିଛନ୍ତି। ଯେଉଁଥିପାଇଁ ପୁଲିସ ସମ୍ପୂର୍ଣ୍ଣ ଦାୟୀ ବୋଲି କୁହାଯାଉଛି। ନିଶା କାରବାର ଉପରେ ପୁଲିସ ରୋକ୍ ଲଗାଇ ପାରୁ ନଥିବାରୁ ଏଭଳି ଅମାନବୀୟ ଘଟଣା ଘଟିବାରେ ଲାଗିଛି।
ଅନ୍ୟପଟେ ପୁଲିସ ତା ଦାୟିତ୍ବ ସାରି ଦେଇଥିବା କହୁଛି। ନିଶା ବେପାର ପାଇଁ ହତ୍ୟାକାଣ୍ଡ ଘଟିଥିବା ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୁଲିସ ସ୍ପଷ୍ଟ କରିଛି। ସମ୍ପୃକ୍ତ ଅଞ୍ଚଳରେ ଅଭିଯୁକ୍ତମାନେ ନିଶା ବେପାର କରୁଥିଲେ, ସହଦେବ ବିରୋଧ କରିଆସୁଥିଲେ। ଏଣୁ ରାସ୍ତାରୁ ହଟାଇବା ପାଇଁ ଅଭିଯୁକ୍ତମାନେ ସହଦେବଙ୍କୁ ହତ୍ୟାକଲେ। ପୁଲିସ୍ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ ମଧ୍ୟ କଲା। ପୂର୍ବର ନିଷ୍ପତ୍ତି ଅନୁସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଘର ଉଚ୍ଛେଦ ପାଇଁ ପୁଲିସ ବିଡିଏକୁ ଚିଠି ଲେଖିଲା। ବିଡିଏ ଘର ଚିହ୍ନଟ କରି ଜଣାଇବାକୁ ବା ନିଜେ ଉଚ୍ଛେଦ କରିବାକୁ ବିଏମ୍ସିକୁ କମିସନରେଟ୍ ପୁଲିସର ଚିଠିକୁ ପଠାଇଦେଲା। ଏବେ ବିଏମ୍ସି ଚିଠିକୁ ଚାପି ବସିଯାଇଛି।
ଗୋଟିଏ ପଟେ ବଏମ୍ସି କହିଛି କି ଅଭିଯୁକ୍ତମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ସରକାର ଅନୁକମ୍ପା ରାଶି ଯୋଗାଇ ଦିଅନ୍ତୁ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଚାକିରି ଦିଅନ୍ତୁ। ଏଭଳି ଅନେକ କଥା କହି ବିଏମ୍ସି ମୃତକଙ୍କ ପରିବାରପ୍ରତି ସହାନୁଭୂତି ଥିବା ଦର୍ଶାଇଛି। ହେଲେ ଅଭିଯୁକ୍ତଙ୍କ ଘର ଚିହ୍ନଟ କରି ଉଚ୍ଛେଦ ପାଇଁ ଆଦେଶ କରିପାରୁ ନାହିଁ। ଅର୍ଥାତ୍ ଯାହା ବିଏମ୍ସିର ଦାୟିତ୍ବ ତାହା କରିନାହିଁ। ଯେଉଁଥିପାଇଁ ଏଜେନ୍ସି ଫସି ରହିଥିବା ବେଳେ ଧାରଣା, ଆନ୍ଦୋଳନ ଯୋଗୁ ସହରବାସୀ ଭୋଗୁଛନ୍ତି। ଆଗକୁ ମଧ୍ୟ ଏହି ପରିମଳ ସମସ୍ୟା ଭୟଙ୍କର ରୂପ ନେବାକୁ ଯାଉଛି। ଏହି ଉଚ୍ଛେଦ ନେଇ ବିଏମ୍ସିର କେହି ବି ମୁହଁ ଖୋଲିବାକୁ ଚାହୁ ନାହାନ୍ତି। ବାସ୍ତବରେ କେଦାରପଲ୍ଲୀରେ ୧୯୮୪-୮୫ ମସିହାରେ ସଫେଇ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ ତିଆରି ହୋଇଥିଲା। ପ୍ରାୟ ଶହେ ଜଣ ସଫେଇ କର୍ମଚାରୀଙ୍କୁ ଏହି ଘର ବଣ୍ଟା ଯାଇଥିଲା। ଏଥିପାଇଁ କୌଣସି ଭଡ଼ା ଦେବାକୁ ପଡ଼ୁ ନଥିଲା। କେବଳ ଇଲେକ୍ଟ୍ରି ଓ ପାଣି ବିଲ୍ ଦେବାକୁ ରହିଥିଲା। ସେବେଠାରୁ ଏହି ଘର ସବୁ ନିର୍ଦ୍ଦିଷ୍ଟ ଲୋକଙ୍କ ନାମରେ ରହିଛି। ସେମାନଙ୍କ ମଧ୍ୟରେ କେତେକ ହିତାଧିକାରୀ ମରିଗଲେଣି। ଆଉ କେତେକରେ ପୁଅ, ଭାଇ ଓ ଭଉଣୀ ଏବଂ କେତେକରେ ବନ୍ଧୁବାନ୍ଧବ ରହିଛନ୍ତି। ଏବେ ପ୍ରାୟ ୪୦ ପ୍ରତିଶତ ମୂଳ ହିତାଧିକାରୀ ରହୁଥିବା ବେଳେ ୬୦ ପ୍ରତିଶତରେ ମୂଳ ଆବଣ୍ଟନଗ୍ରାହୀ ନାହାନ୍ତି। ପାଖରେ ଥିବା ସରକାରୀ ଜାଗାରେ ଶହ ଶହ ବେଆଇନ ଘର ତିଆରି ହୋଇଛି। ଅଭିଯୁକ୍ତମାନେ ଏହି ସବୁ ଘରେ ରହିଛନ୍ତି। ହେଲେ ଉଚ୍ଛେଦ କରିବାକୁ ବିଏମ୍ସି ଭୟ କରୁଛି।