କଟକ: ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ ସହଦେବ ସାହୁ ମର୍ଯ୍ୟାଦାଜନକ ‘ପ୍ରଜ୍ଞାରତ୍ନ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ମେ ୪ ତାରିଖ ସନ୍ଧ୍ୟା ୬ଟାରେ କଟକର ସାରଳା ଭବନଠାରେ ଶ୍ରୀ ସାହୁଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ଓ ସିଦ୍ଧିର ସ୍ବୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯିବ।
ଶ୍ରୀ ସାହୁ ମାଟ୍ରିକ୍ୟୁଲେସନରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ସର୍ବଦା ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଆଇ.ଏ.ଏସ. ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯ମ ଓ ଓଡ଼ିଶାରେ ୧ମ ସ୍ଥାନ ଅଧିକାର କରିଥିଲେ। ଶ୍ରୀ ସାହୁଙ୍କ ଡାକଟିକେଟ ସମ୍ବନ୍ଧୀୟ ଗବେଷଣାତ୍ମକ ରଚନାମାନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି। ସେ ମଧ୍ୟ ଜଣେ ଉଚ୍ଚକୋଟୀର ବିଜ୍ଞାନ ଲେଖକ। ସେ ତାଙ୍କର ସାହିତ୍ୟ କୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ସାରଳା ସମ୍ମାନ, ଉତ୍କଳଶ୍ରୀ ଭଳି ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିଛନ୍ତି। ଶ୍ରୀ ସାହୁ ୧୯୪୧ ମସିହା ଏପ୍ରିଲ ୯ ତାରିଖରେ ଯାଜପୁର ଜିଲ୍ଲାର ରେକାବି ବଜାରଠାରେ ଜନ୍ମ ଗ୍ରହଣ କରିଥିଲେ।