ଆଜିଠୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସାହାଣମେଲା ଦର୍ଶନ

ପୁରୁଣା ଭୁବନେଶ୍ବର: ଆସନ୍ତା ଫ୍ରେବୁଆରୀ ୯ରୁ ମଙ୍ଗଳବାରଠାରୁ ସର୍ବସାଧାରଣ ସାହାଣମେଲା ଦର୍ଶନ କରିବେ। ଏନେଇ ବିଏମସି ପକ୍ଷରୁ ମନ୍ଦିର ପ୍ରଶାସନକୁ ଜଣାଇଦିଆଯାଇଛି।ଶ୍ରଦ୍ଧାଳୁ ଗର୍ଭଗୃହରେ ଶ୍ରୀଜିଉଙ୍କୁ ଜଳ, ଖିର, ବେଲପତ୍ର ଲାଗି କରିବା ସହ ପୂଜା କରିବେ। ଦିର୍ଘ ଦୀନ ପରେ ଭକ୍ତ ମହାପ୍ରଭୁଙ୍କ ଶକ୍ତି ପାଖକୁ ଯାଇ ପୂଜା କରିବେ। ଯାହା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଆଣି ଦେଇଛି। ଗତ ୨ତାରିଖରେ ବିଏମ୍‌ସି କମିସନରଙ୍କ ସହ ଲିଙ୍ଗରାଜଙ୍କ ସେବାୟତଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ପ୍ରକାଶ ଥାଉକି, ଗତ ବର୍ଷ ମାର୍ଚ ୨୧ତାରିଖରୁ ମନ୍ଦିରକୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଏହାର ୯ମାସ ପରେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିଥିଲା।

ଡିସେମ୍ବର ଶେଷ ସପ୍ତାହରେ ପ୍ରଥମେ ସେବାୟତ ପରିବାର ଦର୍ଶନ କରିଥିଲେ। ଏହା ପରେ ଗତ ଜାନୁଆରୀ ୩ତାରିଖରୁ ଭୁବନେଶ୍ବରବାସୀ ୩ଦିନ ପର୍ଯ୍ୟନ୍ତ ଦର୍ଶନ ପରେ ସବୁ ଅଞ୍ଚଳର ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ତେବେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ଆଡ଼କାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରୁଥିଲେ। ତେବେ ଆସନ୍ତା ମଙ୍ଗଳବାରଠାରୁ ସର୍ବସାଧାଣ ଗର୍ଭଗୃହରେ ପ୍ରବେଶ କରି ଦର୍ଶନ କରିବେ। ମନ୍ଦିର ସଂହଦ୍ବାର ନିକଟରେ ଏବେ ର୍ଥମାଲ ପରୀକ୍ଷାକୁ ସମ୍ପୂଣ୍ଣ ଉଠାଇ ଦିଆଯାଇଛି। ତେବେ ଭକ୍ତ ଓ ସେବାୟତମାନେ ମନ୍ଦିରକୁ ପ୍ରବେଶ ବେଳେ ପାନ, ଗୁଟୁକା ଖାଇବା ବାରଣ , ମୁହଁରେ ମାସ୍କ ପିନ୍ଧିବା ସହ ୬ ଫୁଟର ସାମାଜିକ ଦୂରତା ବଜାୟ ରଖିବା ନିୟମ ବଳବତ୍ତର ରହିଛି ବୋଲି ମନ୍ଦିର କାର୍ଯ୍ୟ ନୀର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କହିଛନ୍ତି। ଶ୍ରୀ ଦାଶଙ୍କ କହିବା ଅନୁଯାୟୀ ମଙ୍ଗଳବାରରୁ ସର୍ବସାଧାରଣ ଭକ୍ତ ଗର୍ଭଗୃହରେ ପ୍ରବେଶ କରି ଦର୍ଶନ କରିବେ। ତେବେ ଏନେଇ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତିଦିନ ସକାଳ ସାଢ଼େ ୬ଟାରୁ ସାଢ଼େ ୯ଟା, ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ନ ୩ଘଣ୍ଟା ଓ ସନ୍ଧ୍ୟାରେ ୭ରୁ ୮ଟା ପର୍ଯ୍ୟନ୍ତ ଶ୍ରୀ ଲିଙ୍ଗରାଜଙ୍କ ସାହାଣ ମେଲା ଦର୍ଶନ ହେବ। ସେହିପରି ନୀତିକାନ୍ତି ପରିବର୍ତ୍ତନ ବେଳେ ସାହାଣମେଲା ଦର୍ଶନ ସମୟ ମଧ୍ୟ ପରିବର୍ତନ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର