ଭୁବନେଶ୍ବର: ପୁରୁଣା ପୋଷାକକୁ ସଂଗ୍ରହ କରି ସଫା ଓ ଇସ୍ତ୍ରି(ଆଇରନ୍) ପରେ ଗରିବଙ୍କୁ ବାଣ୍ଟିବାକୁ ହୋଇଥିଲା ବଡ଼ ଯୋଜନା। ଏଥିପାଇଁ ନୂଆ ବସ୍(ଓଆର-୦୨ବିଆର-୨୯୭୪) କ୍ରୟ କରାଗଲା, ଯାହାର ନାମ ରହିଲା ‘ସହାୟ ରଥ’। ପୁରୁଣା ବସ୍ତ୍ର ସଂଗ୍ରହ ପାଇଁ ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟ ଓ ଶାଖା କାର୍ଯ୍ୟାଳୟରେ ସ୍ବତନ୍ତ୍ର କେନ୍ଦ୍ର ବି ଖୋଲାଗଲା। ଡୋର୍ ଷ୍ଟେପ୍ ସଂଗ୍ରହ ପାଇଁ ନମ୍ବର ଜାରି ହେଲା। ବସ୍ ଜରିଆରେ ସଂଗୃହୀତ ବସ୍ତ୍ରକୁ ଇସ୍ତ୍ରି କରି ଗରିବ ଲୋକଙ୍କୁ ବାଣ୍ଟିବାର ଯୋଜନା ହେଲା। ବର୍ଷେ ଚାଲିଛି କି ନାହିଁ, ଏହି ଯୋଜନାକୁ ବନ୍ଦ କରି ଦିଆଗଲା। ଫଳସ୍ବରୂପ ଏହି ବ୍ୟବସ୍ଥା ପାଇଁ କିଣାଯାଇଥିବା ବସ୍ ଓ ଏହାର ଆସବାବ ପୁରୁଣା ବିଏମ୍ସି କାର୍ଯ୍ୟାଳୟରେ ପଡ଼ି ନଷ୍ଟ ହୋଇଗଲାଣି। ପୋଷାକ ସଂଗ୍ରହ ସହ ଏହାକୁ ସଫା ଓ ଇସ୍ତ୍ରି ପାଇଁ ଯେଉଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା, ସେଥିରେ ତାଲା ଝୁଲୁଛି।
୨୦୨୧ ମସିହା ଏପ୍ରିଲ ୧ ତାରିଖ ପବିତ୍ର ଉତ୍କଳ ଦିବସରେ ବିଏମ୍ସି ପକ୍ଷରୁ ଆରମ୍ଭ ହୋଇଥିଲା ଏହି ଯୋଜନା। ତତ୍କାଳୀନ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ବିଏମ୍ସି କମିସନର୍ ପ୍ରେମଚାନ୍ଦ ଚୌଧୁରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ବିକାଶ ସହଯୋଗରେ ଏହି ଯୋଜନା ଆରମ୍ଭ କରିଥିଲା ବିଏମ୍ସି। ଯୋଜନା ଅନୁଯାୟୀ, ଧନୀକ ଶ୍ରେଣୀର ଲୋକଙ୍କଠାରୁ ପୋଷାକ ସଂଗ୍ରହ କରି ଏହାକୁ ସଫା କରି ଓ ଆଇରନ୍ ଦେଇ ସହାୟ ରଥ(ବସ୍) ଜରିଆରେ ପ୍ରତି ମୁଖ୍ୟ ଛକ, ବସ୍ତିରେ ଗରିବ, ଅସହାୟ ଲୋକଙ୍କୁ ବିନା ମୂଲ୍ୟରେ ବାଣ୍ଟିବା। ମାସିକ ୧୭ହଜାର ୫୦୦ ପୋଷାକ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ହେଲା। ଏଥିପାଇଁ ‘କାଇଣ୍ଡନେସ୍ ହବ୍’ ନାଁରେ ମଧୁସୂଦନନଗର ପୁରୁଣା ଏଜି କଲୋନି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସ୍ବତନ୍ତ୍ର ଭାବେ ସିଡବ୍ଲ୍ୟୁପିଆଇଏମ୍ସି(ସେଣ୍ଟ୍ରାଲ ୱାସିଂ, ପ୍ୟାକେଜିଂ ଆଣ୍ଡ୍ ଇନ୍ଭେଣ୍ଟ୍ରି ମ୍ୟାନେଜ୍ମେଣ୍ଟ୍ ସେଣ୍ଟର୍) ଖୋଲିଲା। ବିଏମ୍ସି ପକ୍ଷରୁ ୧୦ଜଣ କର୍ମଚାରୀଙ୍କୁ ଏହି କାମରେ ନିୟୋଜିତ କରାଗଲା। ପୋଷାକ ସଂଗ୍ରହ, ସଫା, ଇସ୍ତ୍ରି ଓ ବାଣ୍ଟିବା ଆଦି ପରିଚାଳନା ବାବଦରେ ୧ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ କଲା ବିଏମ୍ସି। କ୍ରୟ ବସ୍(ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ)କୁ ଦୋକାନ ଭଳି ଖୋଲି ପ୍ରତିଦିନ ସକାଳ ୯ଟାରୁ ଅପରାହ୍ଣ ୨ଟା ଏବଂ ଅପରାହ୍ଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ପୋଷାକ ବଣ୍ଟନ ବ୍ୟବସ୍ଥା ହେଲା। କିଛି ମାସ ଧରି ଭଲରେ ଏହି କାମ ଚାଲିଲା। ସପିଂ ମଲ୍, ଆପାର୍ଟମେଣ୍ଟ ଆଦି ସ୍ଥାନରେ ପୁରୁଣା ପୋଷାକ ପକାଇବା ପାଇଁ ଡ୍ରପ୍ ବକ୍ସ ରଖିବାକୁ ଯୋଜନା ହେଲା। କିନ୍ତୁ ହଠାତ୍ କୋଭିଡ୍ କଟକଣା ଲାଗିବାରୁ ଏହି ଯୋଜନାକୁ ବନ୍ଦ କରି ଦିଆଗଲା। କୋଭିଡ୍ କଟକଣା ହଟିବା ପରେ ପୁଣିଥରେ ଏହା ଆରମ୍ଭ ହେବ ବୋଲି ବିଏମ୍ସି ଅଧିକାରୀମାନେ ଘୋଷଣା କଲେ। ଇତିମଧ୍ୟରେ କୋଭିଡ୍ କଟକଣା ହଟିବା ୩ ବର୍ଷ ବିତିଗଲାଣି, କିନ୍ତୁ ବନ୍ଦ ହୋଇଥିବା ଏହି ଯୋଜନା ଆଉ କାର୍ଯ୍ୟକ୍ଷମ ହୋଇପାରିନି। ସେପଟେ ଅଧିକାରୀ ବଦଳିବା ସହ ଏହି ଯୋଜନା ବି ଶୀତଳଭଣ୍ଡାରକୁ ଚାଲିଯାଇଛି। ଫଳସ୍ବରୂପ ଏଥିପାଇଁ ଥିବା ବସ ପଡ଼ି ପଡ଼ି ନଷ୍ଟ ହୋଇଗଲାଣି।
ମାଗଣା ପୋଷାକ ବଣ୍ଟନ ବ୍ୟବସ୍ଥା ବନ୍ଦ
ମାଗଣା ପୋଷାକ ବାଣ୍ଟିବାକୁ ଆସିଥିଲା ଦାମୀ ବସ୍
ଭିତରେ ତିଆରି ହୋଇଥିଲା ସ୍ବତନ୍ତ୍ର କଣ୍ଟେନର୍
ବ୍ୟବହୃତ ପୋଷାକ ସଂଗ୍ରହ ପରେ ସଫା ଓ ଇସ୍ତ୍ରି ପାଇଁ ହୋଇଥିଲା ସ୍ବତନ୍ତ୍ର କେନ୍ଦ୍ର
ଭ୍ରାମ୍ୟମାଣ ଶୌଚାଳୟ ବି ନଷ୍ଟ ହେଉଛି
ଭୁବନେଶ୍ବର, ୨୯/୪(ଇମିସ):  ଭୁବନେଶ୍ବର ମହାନଗର ନିଗମର ଶୌଚାଳୟ ଅଭାବକୁ ଦୂର ପାଇଁ ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା କରିଥିଲା ବିଏମସି। ବସ୍ଷ୍ଟାଣ୍ଡ୍, ସଭାସମିତି, ପ୍ରଦର୍ଶନୀ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏହାର ବ୍ୟବହାର ବ୍ୟବସ୍ଥା ହେଲା। ଶୌଚାଳୟର ସଂକ୍ରମଣ ରୋକିବାକୁ ଅତ୍ୟାଧୁନିକ ସୁବିଧା ରହିଲା। ଏଥିପାଇଁ ବଡ଼ ବସ୍(ଓଆର-୦୨ବିଏଚ-୯୨୭୧) କିଣାଗଲା। ଏଥିରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଅଧ୍ୟାଧୁନିକ ଶୌଚାଳୟର ବ୍ୟବସ୍ଥା ହେଲା। କିନ୍ତୁ ଯେଉଁ ଭ୍ରାମ୍ୟମାଣ ଶୌଚାଳୟ(ବସ୍)ର ବ୍ୟବସ୍ଥା କରାଯାଇଥିଲା, ତାହା ଏବେ ପୁରୁଣା ବିଏମ୍ସି କାର୍ଯ୍ୟାଳୟରେ ପଡ଼ି ଖତ ଖାଉଛି। ଉଭୟ ଶୌଚାଳୟ ଓ ବସ୍ ଭାଙ୍ଗିରୁଜି ଗଲାଣି। ଶୌଚାଳୟର ଅତ୍ୟାଧୁନିକ ଆସବାବ କେହି ତାଡ଼ି ନେଲେଣି। କେବଳ ସେତିକି ନୁହେଁ, ବସ୍ରେ ଥିବା ଡ୍ରାଇଭର ସିଟ୍ ଓ ଅନ୍ୟାନ୍ୟ ସରଞ୍ଜାମ ବି କେହି ଚୋରି କରିନେଲେଣି। ସ୍ଥିତି ଏପରି ହୋଇଛି ଯେ ଏଥିରେ ସାପ ରହିଲେଣି। କୁକୁରଙ୍କ ଏହା ଶୋଇବା ସ୍ଥାନ ପାଲଟିଛି। ପ୍ରାୟ କୋଟିଏ ଟଙ୍କାରେ ତିଆରି ହୋଇଥିବା ଏହି ଭ୍ରାମ୍ୟମାଣ ଶୌଚାଳୟର ଏହି ଅବସ୍ଥା, ସରକାରୀ ଅର୍ଥ କିଭଳି ଅବାଟରେ ବିନିଯୋଗ କରାଯାଉଛି, ତାହା ଦର୍ଶାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/30/o1IjwtsNvXcdS2B5ITlK.jpg)