ସହିଦଙ୍କୁ ସମ୍ମାନ ଏମିତି

ଭୁବନେଶ୍ୱର : ଟଙ୍କପାଣି ରୋଡ୍‌କୁ ସହିଦ ଦିବାକର ମାର୍ଗରେ ନାମିତ କରିବା ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ। ସ୍ୱାୟତ୍ତ ଶାସନ ଦିବସରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରି  ସହିଦଙ୍କ ପ୍ରତି ଥିବା ସମ୍ମାନକୁ ଦୋହରାଇଲେ ବିଏମ୍‌ସି କର୍ତୃପକ୍ଷ। ମାତ୍ର ଭିତ୍ତିପ୍ରସ୍ତର ସ୍ଥାପନ ହେବାର ୮ବର୍ଷ ବିତିଗଲାଣି। ଟଙ୍କପାଣି ରୋଡ୍‌କୁ ସହିଦ ଦିବାକର ମାର୍ଗରେ ନାମିତ କରିବା ପାଇଁ ସହିଦଙ୍କ ପରିବାର  ଚାହିଁ ବସିଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ। ଓଲଟି ଶିଳାନ୍ୟାସ ଫଳକକୁ ଭାଙ୍ଗି ଦିଆଗଲାଣି। ରାଜ୍ୟର ଜଣେ ସହିଦ ଯବାନଙ୍କ ପ୍ରତି ଏମିତି ଢଙ୍ଗରେ ସମ୍ମାନ ଜଣାଉଛନ୍ତି ବିଏମ୍‌ସି କର୍ତୃପକ୍ଷ।

ଛତିଶଗଡ଼ର ଦାନ୍ତେଓ୍ଵାଡାର ପୂର୍ବତନ ଡେପୁଟି କମାଣ୍ଡାଣ୍ଟ ଦିବାକର ମହାପାତ୍ର ୨୦୦୮ ସେପ୍ଟେମ୍ବର ୨୯ତାରିଖରେ ମାର୍ଦ୍ଦନଠାରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣରେ ମାତ୍ର ୩୩ବର୍ଷ ବୟସରେ ପ୍ରାଣ ହରାଇଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କ ଚିତ୍ରକୁଟା ଗସ୍ତ ସମୟରେ କମ୍ବିଂ ଅପରେସନ୍‌ ଚାଲିଥିବା ବେଳେ ଦିବାକର ସହିଦ ହୋଇଥିଲେ। ସହିଦଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଶୋକ ପ୍ରକାଶ କରି ନ ଥିଲେ, ସହିଦଙ୍କୁ ସମ୍ମାନ ଜଣାଇ ରାଜ୍ୟ ସରକାର ୨୦୦୯ ଅଗଷ୍ଟ ୩୧ତାରିଖ ସ୍ୱାୟତ୍ତ ଶାସନ ଦିବସ ଅବସରରେ ରବି ଟକିଜ୍‌ ଛକଠାରେ ତାଙ୍କ ନାଁରେ ନାମକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତତ୍କାଳୀନ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସହ ଶକ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଏବେର ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ମଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, ତତ୍କାଳୀନ ଉପ-ମେୟର ଭାରତୀ ସିଂ ଓ ପବ୍ଲିକ୍‌ ଓ୍ଵାର୍କର୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ୍ମନାଭ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅକ୍ଟୋବର ୧୦ତାରିଖରେ ଟଙ୍କପାଣି ରୋଡ୍‌କୁ ସହିଦ ଦିବାକର ମାର୍ଗରେ ନାମିତ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଏକ ଗେଜେଟ ନୋଟିଫିକେସନ୍‌ ମଧ୍ୟ କରିଥିଲେ। ମାତ୍ର ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ୮ବର୍ଷ ବିତିଲାଣି। ମାତ୍ର ଟଙ୍କପାଣି ରୋଡ୍‌ ଆଜି ପର୍ଯ୍ୟନ୍ତ ସହିଦ ଦିବାକର ମାର୍ଗରେ ନାମିତ ହୋଇପାରିଲା ନାହିଁ।

ବର୍ଷ ପରେ ବର୍ଷ ବିତିବା ପରେ ଫଳକରୁ ଏବେ ସହିଦ ଦିବାକରଙ୍କ ନାଁ ଲିଭିଯିବାକୁ ବସିଲାଣି। ଏପରିକି କିଛି ଅସାମାଜିକ ବ୍ୟକ୍ତି ଫଳକକୁ ଭାଙ୍ଗି ଦେଇଛନ୍ତି। ଦେଶ ପାଇଁ ଜୀବନ ଦେଇଥିବା ଜଣେ ସହିଦଙ୍କ ପ୍ରତି ରାଜ୍ୟ ସରକାର ଏଭଳି ସମ୍ମାନ ପ୍ରଦାନ କରିବା ଦୁଃଖର ବିଷୟ ବୋଲି ସହିଦ ଦିବାକରଙ୍କ ଭାଇ କୃଷ୍ଣ ମହାପାତ୍ର, ସଦାନନ୍ଦ ମହାପାତ୍ର, ଏସ୍‌କେ ମହାପାତ୍ର ଓ କେସି ମହାପାତ୍ର କ୍ଷୋଭର ସହ କହିଛନ୍ତି।

ସମ୍ବନ୍ଧିତ ଖବର