ଜୟନ୍ତୀ‌‌‌ରେ ଶ୍ରଦ୍ଧାଞ୍ଜଳି: ରାଜଗୁରୁଙ୍କ ବଳିଦାନ ବୀରତ୍ୱର ଗାଥା ବହନ କରେ

ଭୁବନେଶ୍ୱର : ସହିଦ୍‌ ଜୟୀ ରାଜଗୁରୁଙ୍କ ୨୮୨ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏ.ଜି ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ। ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ଥିଲା। ଏହି ଆନ୍ଦୋଳନରେ ମୁଖ୍ୟ ସେନାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଜୟୀ ରାଜଗୁରୁ। ସାହସିକତାର ସହ ଲଢ଼େଇ କରି ସେ ବ୍ରିଟିସ୍‌ ସୈନ୍ୟବାହିନୀକୁ ଭୟଭୀତ କରାଇଥିଲେ। ଶେଷରେ ବ୍ରିଟିସ୍‌ ସେନା ହାତରେ ଧରା ପଡ଼ି ଫାଶୀ ପାଇଥିଲେ। ତାଙ୍କର ବଳିଦାନ ଓଡ଼ିଶାବାସୀଙ୍କୁ ସବୁବେଳେ ବୀରତ୍ୱର ଗାଥା ପ୍ରଦାନ କରିଆସିଛି ବୋଲି ବକ୍ତାମାନେ କହିଥିଲେ।

କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳେଇ, ନିର୍ଦ୍ଦେଶକ ରଂଜନ ଦାସ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ସୀତାବଲ୍ଲଭ ମହାପାତ୍ର, ବି. ମୁରଲୀଧର, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ତନ୍ମୟ ସାମନ୍ତରାୟ, ଅଧ୍ୟାପକ ଅସିତ ଦାସ, ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ପ୍ରବୀର ମହାନ୍ତି, ଦେବଯାନୀ ଦାସ, ସତ୍ୟବ୍ରତ ଜେନା, କଳ୍ପତରୁ ସେନାପତି, ରଶ୍ମିରଂଜନ ପଣ୍ଡା, କବି ଦମ୍ପତି ନାରାୟଣ ମୁଦୁଲି ଓ ସୁଜାତା ମୁଦୁଲି ପ୍ରମୁଖ ଜୟୀ ରାଜଗୁରୁଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସୀତାବଲ୍ଲଭ ମହାପାତ୍ରଙ୍କୁ ସହିଦ ଜୟୀ ରାଜଗୁରୁ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର