ସହିଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ : ସେ ଥିଲେ ଦେଶ ଓ ଜାତିର ଗୌରବ

ଭୁବନେଶ୍ୱର : ସହିଦ ଲକ୍ଷ୍ମଣ ନାଏକ ଆମ ଦେଶ ତଥା ଜାତିର ଗର୍ବ ଓ ଗୌରବ। ତାଙ୍କର ମହାନ ଦେଶଭକ୍ତି, ବୀରତ୍ୱ ଓ ସାହସ ପାଇଁ ଆଜି ଆମେ ସ୍ବାଧୀନତା ପାଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଏହା କହିଛନ୍ତି। ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ସଂସଦ ମିଳିତ ଆନୁକୂଲ୍ୟରେ ଜୟଦେବ ଭବନଠାରେ ସହିଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମାଝୀ କହିଲେ, ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ଫାଶୀ ଖୁଣ୍ଟରେ ହସି ହସି ଝୁଲି ଯାଇଥିଲେ, ସେମାନଙ୍କ ମଧ୍ୟରେ ସହିଦ ଲକ୍ଷ୍ମଣ ନାଏକ ଅନ୍ୟତମ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ(ଫିଚର) ଗୌରହରି ଦାସ କହିଥିଲେ, ମହାତ୍ମା ଗାନ୍ଧୀଙ୍କ ପ୍ରେରଣା ଓ ଦିଗ୍‌ଦର୍ଶନରେ ଉଦ୍‌ବୁଦ୍ଧ ଲକ୍ଷ୍ମଣଙ୍କ ଆନ୍ଦୋଳନ ଇଂରେଜ ସରକାର ଓ ଜୟପୁର ଜମିଦାରୀର ଶୋଷଣ ଏବଂ ଆଦିବାସୀମାନଙ୍କ ପ୍ରତି ଅନ୍ୟାୟ ବିରୋଧରେ ଉଦ୍ଦିଷ୍ଟ ଥିଲା। ନିସ୍ୱାର୍ଥପର, ଦୃଢ଼ ମନୋବଳ ଓ ନିର୍ଭୀକ ଜନସେବା ଯୋଗୁଁ ସେ ଲୋକଙ୍କର ପ୍ରିୟପାତ୍ର ହୋଇଥିଲେ। ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ଦାସ ମତପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଧାୟକ ଲାଲବିହାରୀ ହିମିରିକା ଏବଂ ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ମୁନା ଖାନ୍‌ କହିଲେ, ଲକ୍ଷ୍ମଣ ନାଏକ ଆଦିବାସୀମାନଙ୍କୁ ସଙ୍ଗଠିତ କରି ଅନ୍ଧବିଶ୍ୱାସ, ଇଂରେଜ ସରକାରଙ୍କ ଶୋଷଣ, ନିର୍ଯାତନା, ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ ସଭାପତିତ୍ବ କରିଥିବା ବେଳେ ଶବରୀର ସମ୍ପାଦକ ଈଶ୍ବର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର