ଭୁବନେଶ୍ବର : ନିଜ ସ୍ବାର୍ଥ ହାସଲ ପାଇଁ ବିଏମ୍ସି ବ୍ୟବସାୟୀଙ୍କୁ ସୁନେଲି ସ୍ବପ୍ନ ଦେଖାଇଲା। ଅନେକ ବାଦବିବାଦ ପରେ କଳେବଳେକୌଶଳେ ୨୦୦୪ ମସିହାରେ ବହୁଦିନର ପୁରୁଣା ସହିଦନଗର ହାଟକୁ ହଟାଇ ସେଠାରେ ଭବାନୀ ମଲ୍ ଭଳି ଲାଭଦାୟକ ବାଣିଜ୍ୟିକ ଓ ଆବାସିକ ଘର ନିର୍ମାଣ କଲା। ଆଉ ଚତୁରତାର ସହ ପ୍ରଥମେ ସେଗୁଡ଼ିକୁ ବିକ୍ରି କଲା। ହେଲେ ହାଟ ବ୍ୟବସାୟୀଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇ ସେଠାରୁ ଉଠାଯାଇଥିଲା, ତାହା ପୂରଣ ହେଲାନି। ବିଏମ୍ସି କହିଥିଲା, ପ୍ରଥମେ ହାଟ ବ୍ୟବସାୟୀଙ୍କୁ ପିଣ୍ଡି ଓ ଦୋକାନ ଘର ଦିଆଯାଇ ଥଇଥାନ କରାଯିବ। ପରେ ବାଣିଜ୍ୟିକ ଓ ଆବାସିକ ଘରକୁ ବିକ୍ରି କରାଯିବ। କିନ୍ତୁ ସେ ପ୍ରତିଶ୍ରୁତି ତ ରଖିଲେନି; ହାଟ ଉଦ୍ଘାଟନର ୭ ବର୍ଷ ପରେ ବି କାହାକୁ ଦଖଲ ଦେଲେନାହିଁ। ଯାହାକୁ ନେଇ ଦିନକୁ ଦିନ ବିବାଦ ବଢ଼ିବା ସହ ଏବେ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି।
୨୦୧୪ ସ୍ବାୟତ୍ତ ଶାସନ ଦିବସରେ ତତ୍କାଳୀନ ନଗରଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଏହି ହାଟକୁ ଉଦ୍ଘାଟନ କରିଥିଲେ। ଆଉ ସେହିବର୍ଷ ଲଟେରି କରି ଆଗ୍ରହୀ ବ୍ୟବସାୟୀମାନଙ୍କଠାରୁ ଦୋକାନ ପିଛା ସିକ୍ୟୁରିଟି ବାବଦକୁ ୫୦ହଜାର ଓ ପିଣ୍ଡି ବାବଦକୁ ୨୦ ହଜାର ଟଙ୍କା ଆଦାୟ କରାଗଲା। ୫୬ହଜାର ବର୍ଗଫୁଟ୍ରେ ନିର୍ମିତ ୨୮୧ ପିଣ୍ଡି ଓ ୯୧ ଦୋକାନ ମଧ୍ୟରୁ ୧୮୯ଟିର ଲଟେରି କରାଗଲା। ୨୦୧୪ରେ ୩ଟି ପର୍ଯ୍ୟାୟରେ ଲଟେରି କରାଯାଇ ୯୯ଟି ପିଣ୍ଡି ଓ ୯୦ଟି ଦୋକାନ ବାବଦକୁ ବ୍ୟବସାୟୀଙ୍କଠାରୁ ୬୪ଲକ୍ଷ ୮୦ହଜାର ଟଙ୍କା ଆଦାୟ କଲା ବିଏମ୍ସି। କାଗଜପତ୍ରରେ ସେମାନଙ୍କୁ ଦୋକାନ ଓ ପିଣ୍ଡି ନମ୍ବର ବି ଦିଆଗଲା। ହେଲେ ବାସ୍ତବରେ ଅଜିକୁ ୭ ବର୍ଷ ବିତି ଯାଇଥିଲେ ବି ଜଣେ ହେଲେ ବ୍ୟବସାୟୀ ନା ଦୋକାନ ନା ପିଣ୍ଡି କିଛି ପାଇପାରିଲେ ନାହିଁ।
ଏହାଛଡ଼ା ହାଟ ଆବଣ୍ଟନ ଓ ଭିତ୍ତିଭୂମିକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ହାଟ ପାଇଁ ୫୪୫ଜଣ ଆବେଦନ କରିଥିବା ବେଳେ ମାତ୍ର ୧୮୯ ଜଣଙ୍କୁ ଦୋକାନଘର ଓ ପିଣ୍ଡି ନମ୍ବର ଦିଆଯାଇଥିଲା। ବାକି ୧୧୧ଟି ପିଣ୍ଡି ଓ ଦୋକାନକୁ ପରବର୍ତ୍ତୀ ଲଟେରିରେ ଆବଣ୍ଟନ କରାଯାଇଥାଆନ୍ତା। ହେଲେ ଘର ଓ ପିଣ୍ଡି ଅଭାବରୁ କେତେକ ବ୍ୟବସାୟୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଆଉ ସେମାନଙ୍କୁ ଥଇଥାନ କରିବା ପାଇଁ ହାଇକୋର୍ଟ ମଧ୍ୟ ବିଏମ୍ସିକୁ ନିର୍ଦେଶ ଦେଇଥିଲେ। ସେହିପରି ହାଟ ପାଇଁ ଯେଭଳି ଭିତ୍ତିଭୂମି ରହିବା କଥା ତାକୁ ନେଇ ମଧ୍ୟ ବ୍ୟବସାୟୀ ବିଏମ୍ସି ଉପରେ ଅସନ୍ତୋଷ ଝାଡ଼ିଥିଲେ। କାରଣ ହାଟରେ ପାଣି, ଆଲୋକ ଏବଂ ଭେଣ୍ଟିଲେସନ୍ ବ୍ୟବସ୍ଥା ନଥିବାରୁ ବ୍ୟବସାୟୀ ବିଏମ୍ସିକୁ ଜଣାଇଥିଲେ। ଯେହେତୁ ନିୟମ ଅନୁସାରେ ସେଠାରେ କୌଣସି ବ୍ୟବସାୟୀ କିଛି ନିର୍ମାଣ କାମ କରିପାରିବେ ନାହିଁ; ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଏମ୍ସିକୁ କହିଥିଲେ। ତାହା ବି ଏପର୍ଯ୍ୟନ୍ତ ହେଲା ନାହିଁ। ବ୍ୟବସାୟୀଙ୍କୁ କେବେ ପିଣ୍ଡି ଓ ଦୋକାନ ଘର ମିଳିବ, ତାହା ଏବେ ଅନିଶ୍ଚିତତାରେ।
ଏ ନେଇ ବିଏମ୍ସି ଡେପୁଟି କମିସନର ପ୍ରମୋଦ ପୃଷ୍ଟି କହିଛନ୍ତି ଯେ, ନିର୍ମାଣରେ ବୈଷୟିକ ତ୍ରୁଟି ଯୋଗୁଁ କାହାକୁ ପିଣ୍ଡି ଓ ଦୋକାନ ହସ୍ତାନ୍ତର କରାଯାଇ ନାହିଁ। ଖୁବ୍ଶୀଘ୍ର ଏହାର ସମାଧାନ କରାଯାଇ ବ୍ୟବସାୟୀଙ୍କୁ ପିଣ୍ଡି ଓ ଦୋକାନଘର ହସ୍ତାନ୍ତର କରାଯିବ।