ସହିଦନଗର ଥାନା : ଦେଢ଼ ହଜାର ମାମଲାର ହୋଇ ପାରୁନି ଚାର୍ଜସିଟ୍‌

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦନଗର ଥାନାରୁ ‘ମୋ ସରକାର’ ଯୋଜନାର ଶୁଭାରମ୍ଭ କରିଥିଲେ। ଅଭିଯୋଗକାରୀ ପୁଲିସ ଠାରୁ କିଭଳି ଭଲ ବ୍ୟବହାର ପାଇବେ, ହତାଶ ହେବ ନାହିଁ ତାହା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଛି। ହେଲେ ଯେଉଁ ଥାନାରୁ ଏହି ଯୋଜନା ଆରମ୍ଭ ହୋଇଥିଲା ସେଠାରେ ୪ ବର୍ଷ ହେଲା ଦେଢ଼ ହଜାର ମାମଲା ଗଡ଼ୁଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ, ୨୦୧୬ ମସିହାରେ ୬୭୦ ମାମଲା ରୁଜୁ ହୋଇଥିବା ବେଳେ ମାତ୍ର ୪୦୧ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇ ପାରିଥିଲା। ୨୬୯ଟିରେ ଚାର୍ଜସିଟ୍‌ ପୁଲିସ ଦାଖଲ କରିପାରିନଥିଲା। ସେହିଭଳି ୨୦୧୭ ମସିହାରେ ୬୦୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୨୩ଟିରେ ଚାର୍ଜସିଟ୍‌ ଦାଖଲ ହୋଇ ପାରିଥିଲା। ୩୭୮ଟି ମାମଲାରେ ପୁଲିସ ଚାର୍ଜସିଟ୍‌ ଦାଖଲ କରି ପାରିନଥିଲା। ସେହିଭଳି ୨୦୧୮ ମସିହାରେ ୫୭୩ଟି ମାମଲା ରୁଜୁ ହୋଇଥିଲା। ୨୦୮ଟିରେ ପୁଲିସ ଚାର୍ଜସିଟ୍‌ ଦାଖଲ କରିଥିବା ବେଳେ ୩୬୫ଟି‌ ମାମଲାରେ ପୁଲିସ ଚାର୍ଜସିଟ୍‌ ଦାଖଲ କରିବାରେ ଅସମର୍ଥ ହୋଇଥିଲା। ସେହିଭଳି ନଭେମ୍ବର ୩୦ ତାରିଖ ସୁଦ୍ଧା ୬୩୭ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ମାତ୍ର ୧୨୫ଟି ମାମଲାରେ ପୁଲିସ ଚାର୍ଜସିଟ୍‌ ଦାଖଲ କରିବାକୁ ସମର୍ଥ ହୋଇଛି। ଅଦ୍ୟାବଧି ୫୧୨ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇ ପାରିନାହିଁ।

ଏହାର କାରଣ କର୍ମଚାରୀ ଅଭାବ ବୋଲି ପୁଲିସ ଦର୍ଶାଇଛି। କିନ୍ତୁ ବାସ୍ତବରେ ଏହା ସତ୍ୟ ନୁହେଁ। ଥାନାରେ କେବଳ ଦୁଇଟି ହାବିଲଦାର ପଦ ଖାଲି ପଡ଼ିଥିବା ବେଳେ ସହିଦନଗର ଫାଣ୍ଡିରେ ୧୭ଟି କନେଷ୍ଟବଳ ଓ ଗୋଟିଏ ହାବିଲଦାର, ଭିଏସ୍‌ଏସ୍‌ ନଗର ଫାଣ୍ଡିରେ ୨ଟି କନେଷ୍ଟବଳ, ସୈନିକ ସ୍କୁଲ ଫାଣ୍ଡିରେ ଗୋଟିଏ ହାବିଲଦାର ଓ ୫ଟି କନେଷ୍ଟବଳ, ବାଣୀବିହାର ଫାଣ୍ଡିରେ ଗୋଟିଏ ହାବିଲଦାର ଓ ୭ଟି କନେଷ୍ଟବଳ ପଦ ଖାଲି ପଡ଼ିଛି। ଏଭଳି ୪ଟି ଫାଣ୍ଡିରେ ମୋଟ ୩ଟି ହାବିଲଦାର ଓ ୩୧ଟି କନେଷ୍ଟବଳ ପଦ ଖାଲି ପଡ଼ିଛି। ଏ ନେଇ ବରି‌ଷ୍ଠ ଆଇନଜୀବୀ ଲଲାଟେନ୍ଦୁ ଦାସ କହିଛନ୍ତି, ଏହି ଖାଲି ପଦ ପାଇଁ ଚାର୍ଜସିଟ୍‌ ଦାଖଲର କୌଣସି ସମ୍ପର୍କ ନାହିଁ। ଏଏସ୍‌ଆଇ, ଏସ୍‌ଆଇ ଓ ଇନ୍‌ସ୍‌ପେକ୍ଟର ମାମଲାର ତଦନ୍ତ କରନ୍ତି, ଚାର୍ଜସିଟ୍‌ ଦାଖଲ କରନ୍ତି। କିଛି ମାତ୍ରାରେ କମିସନରେଟ୍‌ ପୁଲିସ ଚାପରେ ରହିଥାଏ। ଆଇନ ଶୃଙ୍ଖଳା ଓ ଆନ୍ଦୋଳନ-ଧର୍ମଘଟ ପୁଲିସର ନିୟମିତ କାର୍ଯ୍ୟକୁ ପ୍ରଭାବିତ କରିଥାଏ। କିନ୍ତୁ ଅନେକ ସମୟରେ ଚାର୍ଜସିଟ୍‌ ଦେବା ପାଇଁ ଜାଣି ଜାଣି ବିଳମ୍ବ କରାଯାଇଥାଏ। ଦଫା କାଟିବା, ଚାର୍ଜସିଟ୍‌ରୁ ନାଁ କାଟିବା ଓ ଯୋଡ଼ିବାକୁ ଅପେକ୍ଷା କରାଯାଏ। ଏ ସବୁ ପାଇଁ ଅନେକ ସମୟରେ ଉପରମୁଣ୍ଡରୁ ମଧ୍ୟ ଚାପ ରହିଥାଏ। କିନ୍ତୁ ତଦନ୍ତକାରୀ ଅଧିକାରୀ ମଧ୍ୟ ଏଭଳି କରିଥାଏ। ସେଥିପାଇଁ ଚାର୍ଜସିଟ୍‌ ବିଳମ୍ବ ହୁଏ ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର