ଭୁବନେଶ୍ବର : ପାର୍ବଣର ବିଗୁଲ ବାଜି ସାରିଛି। କିନ୍ତୁ ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ରାଜଧାନୀ ଉତ୍ସବ ମୁଖର ହୋଇ ପଡ଼ିନାହିଁ। ସୁନ୍ଦର ସୁଦୃଶ ଓ ଆକର୍ଷଣୀୟ ତୋରଣ ପାଇଁ ପ୍ରସ୍ତୁତି ଚାଲିଛି ନା ମେଲୋଡି ପାଇଁ ଅଗ୍ରିମ ଦିଆଯାଉଛି। କେବଳ ବିଧିରକ୍ଷା ପାଇଁ ଆରମ୍ଭ ହୋଇଛି ଦୁର୍ଗାପୂଜା କମିଟିଗୁଡ଼ିକର ପ୍ରସ୍ତୁତି ପର୍ବ। ଚଳିତ ବର୍ଷ ୪୪ବର୍ଷରେ ପଦାର୍ପଣ କରିଥିବା ସହିଦନଗର ଦୁର୍ଗାପୂଜା ସମିତିର ପୂଜା ଅକ୍ଟୋବର ୧୦ ତାରିଖରୁ ଅର୍ଥାତ ଦୁର୍ଗା ପଞ୍ଚମୀରୁ ଆରମ୍ଭ ହେବ। ୧୫ ତାରିଖରେ ଦଶହରା ପାଳନ ପରେ ୧୬ ତାରିଖରେ ମା’ଙ୍କ ବିସର୍ଜନ କରାଯିବ। କଟକଣାକୁ ନଜରରେ ରଖି ଭସାଣି ଶୋଭାଯାତ୍ରା ଆୟୋଜିତ ହେବ ନାହିଁ ବୋଲି ସମିତିର ସମ୍ପାଦକ ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପଟେ ଗତବର୍ଷ ଭଳି ମୂର୍ତିର ଉଚ୍ଚତା ୪ଫୁଟ୍ ରହିବ। ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ସମସ୍ତ କଟକଣାକୁ ମାନି ପୂଜା ସମ୍ପନ୍ନ ହେବ। ଚଳିତ ବର୍ଷ କଟକର ମୂର୍ତିକାର ଲକ୍ଷ୍ମୀଧର ରଣା ସମିତି ପାଇଁ ମା’ଙ୍କ ମୂର୍ତି ଗଢ଼ିବାରେ ବ୍ୟସ୍ତ ଅଛନ୍ତି। ପୂଜା ମଣ୍ଡପକୁ ଅଧିକ ଭକ୍ତଙ୍କ ସମାଗମ ଉପରେ ରୋକ୍ ଲଗା ଯାଇଥିବାରୁ ସମିତି ପକ୍ଷରୁ ସହିଦନଗର ଦୁର୍ଗାପୂଜା ପେଜ୍ରେ ପୂଜାର ସମସ୍ତ କାର୍ଯ୍ୟକ୍ରମକୁ ଲାଇଭ୍ କରାଯିବ। ଏଥିସହ ଭୋଗ ପୂଜା ଓ ପ୍ରସାଦ ବଣ୍ଟନକୁ ଚଳିତ ବର୍ଷ ବନ୍ଦ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Durga-Maha-Ashtami.jpg)