ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ: ବିର୍ସାଙ୍କ ଜୀବନାଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହୁଅନ୍ତୁ

ଭୁବନେଶ୍ବର: ସହିଦ ବିର୍ସା ମୁଣ୍ଡାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍‌ଘାଟନ କରିଥିଲେ। ଆଦିବାସୀଙ୍କ ସ୍ବାର୍ଥରକ୍ଷା ପାଇଁ ସଂଘର୍ଷ କରି ସହିଦ ହୋଇଥିବା ବିର୍ସାଙ୍କ ଜୀବନାଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହେବାକୁ ଶ୍ରୀ ଦାସ ଆହ୍ବାନ ଦେଇଥିଲେ। ଅନ୍ୟାୟ ଓ ତତ୍କାଳୀନ ସାମାଜିକ ବ୍ୟବସ୍ଥା ବିରୋଧରେ ବିର୍ସାଙ୍କ ଅବଦାନ ଚିର ସ୍ମରଣୀୟ ରହିବ ବୋଲି ସେ କହିଥିଲେ।

ଐତିହାସିକ ପ୍ରଫେସର ପ୍ରୀତୀଶ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ବିର୍ସା ମୁଣ୍ଡା ଔପଚାରିକ ଶିକ୍ଷାର ଅଭାବ ସତ୍ତ୍ବେ ଆଦିବାସୀଙ୍କୁ ଶୋଷଣ କରୁଥିବା ସାହୁକାରଙ୍କ ବିରୋଧରେ ଲଢ଼ିଥିଲେ। ତେଣୁ ଆଦିବାସୀମାନେ ସେମାନଙ୍କ ଅସ୍ମିତା ଓ ପରିଚୟକୁ ବଜାୟ ରଖିବା ସହ ଅସୀମିତ ଶକ୍ତିର ଅଧିକାରୀ ହୋଇ ଦେଶ ଗଠନରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ। ପୂର୍ବତନ ସାଂସଦ ଡ. ପ୍ରଭାସ ସିଂହ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବିଧାୟକ କୁସୁମ ଟେଟେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ କୃପାସିନ୍ଧୁ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ବିଭାଗୀୟ ଉପନିର୍ଦେଶକ ବରଦା ପ୍ରସନ୍ନ ଦାସ ଧନ୍ୟବାଦ ଦେଇଥିଲେ। ସୂଚନା ଅଧିକାରୀ ଦୀପ୍ତିମୟୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର