ଭୁବନେଶ୍ୱର: ସାହିତ୍ୟ ଅକାଦେମି ପକ୍ଷରୁ ପୁସ୍ତକ ଉନ୍ମୋଚନ ଏବଂ କବିସନ୍ଧି କାର୍ଯ୍ୟକ୍ରମ ସ୍ଥାନୀୟ ବୁଦ୍ଧ ମନ୍ଦିରସ୍ଥିତ ନୂତନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଶିଷ୍ଟ କବି ଓ ସମାଲୋଚକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଲିଖିତ ‘ଦ୍ରୌପଦୀ: ଦି ୱିମେନ୍ ଅନ୍‌ପାରାଗନଡ୍‌’ ପୁସ୍ତକ ଲୋକାର୍ପିତ ହୋଇଥିଲା। ପ୍ରଫେସର ମହାନ୍ତି ନିଜର ଲେଖକୀୟ ଅଭିବ୍ୟକ୍ତିରେ କହିଲେ, ଏହି କାବ୍ୟଟି ମୂଳ ମହାଭାରତକୁ ଆଧାର କରି ଲେଖାଯାଇଥିଲେ ସୁଦ୍ଧା ଏକ ମୌଳିକ କୃତି। ସମ୍ପୂର୍ଣ୍ଣ ନୂଆ ଶୈଳୀରେ ଏବଂ ସ୍ବାଧୀନ ଚରିତ୍ର ଭାବେ ଦ୍ରୌପଦୀଙ୍କୁ ଏଥିରେ ବର୍ଣ୍ଣନା କରାଯାଇଛି। ଦ୍ରୌପଦୀ ଜଣେ ଦେବୀ ନୁହେଁ ବରଂ ଜଣେ ଅସାଧାରଣ ମହିଳା, ଯିଏ କି ସମାଜର ଅନ୍ଧ ଧୃତରାଷ୍ଟ୍ରଙ୍କୁ ‘ଜଣେ ଅନ୍ଧ କ’ଣ ନ୍ୟାୟ ଦେଇ ପାରିବ ବୋଲି’ ପ୍ରଶ୍ନ ପଚାରିବାର ସାହସ ରଖିଛି।

Advertisment

ଏହାପରେ କବିସନ୍ଧି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ମମତା ଦାଶ ନିଜର ସାରସ୍ବତ ଯାତ୍ରା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସ୍ବରଚିତ କବିତା ପାଠ କରିଥିଲେ। କବି ଶ୍ରୀମତୀ ଦାଶ କହିଲେ, ‘‘ମୁଁ ୮-୯ ବର୍ଷ ବୟସରେ ଗାଁରେ ଘର ଲୋକଙ୍କୁ ଲୁଚେଇ କବିତା ଲେଖୁଥିଲି। କାରଣ ସେ ସମୟରେ ଦୁଃଖରେ ଥିଲେ କବିତା ଲେଖାଯାଏ ବୋଲି ଏକ ଧାରଣା ଥିଲା। ଅଷ୍ଟମ ଶ୍ରେଣୀରେ ରେଭେନ୍ସା ହଷ୍ଟେଲରେ ରହିବା ପରେ ମୋ ଜୀବନର ଗତି ବଦଳିଗଲା। ମୁଁ କବିତା ଲେଖିବା ସହ ଗୀତ ଗାଉଥିଲି, ନାଚ କରୁଥିଲି, ଭାଷଣ ଦେଉଥିଲି। ଏଇଠି ହିଁ ମୋ ଆଖି ଖୋଲିଗଲା। ହେଲେ ବିବାହ ପରେ ସଂସାର ଜଞ୍ଜାଳ ଭିତରେ ପେଷି ହୋଇ ସବୁ କିଛି ପାଶୋରି ଦେଇଥିଲି। କିନ୍ତୁ ପରବର୍ତ୍ତୀ ସମୟରେ ବିଶିଷ୍ଟ କବି ସୌଭାଗ୍ୟ କୁମାର ମିଶ୍ର, ରାଜେନ୍ଦ୍ର କିଶୋର ପଣ୍ଡା, ରମାକାନ୍ତ ରଥ ଓ ନୀଳମଣି ମହାପାତ୍ର ସାହୁଙ୍କ ପ୍ରେରଣାରେ ପୁଣି କବିତା ଲେଖିବା ଆରମ୍ଭ କରିଥିଲି। ଧୀରେ ଧୀରେ କବିତା ସଙ୍କଳନ ଏବଂ ଅନୁବାଦ ପୁସ୍ତକମାନ ପ୍ରକାଶ ପାଇଥିଲା। ଜୀବନରେ ଅନୁଭବକୁ ନେଇ ଲେଖିବା, ଅଗ୍ରଜମାନଙ୍କୁ ଅନୁସରଣ କରିବା, ସଙ୍କୁଚିତ ନହେବା ଭଳି ଗୁରୁମନ୍ତ୍ର ମୋତେ ବଞ୍ଚିବାର ବାଟ ଦେଖାଇଛି।’’

ପୁସ୍ତକ ଉନ୍ମୋଚନ ଓ କବିସନ୍ଧି ଉଭୟ କାର୍ଯ୍ୟକ୍ରମରେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଗୌରହରି ଦାସ ଅଧ୍ୟକ୍ଷତା କରିଥିଲେ। ସାହିତ୍ୟ ଅକାଦେମି କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ ସ୍ବାଗତ ବକ୍ତବ୍ୟ ଦେଇଥିଲେ। ଓଡ଼ିଆ ଉପଦେଷ୍ଟା ପରିଷଦର ସଦସ୍ୟ ପବିତ୍ର ମୋହନ କର ଧନ୍ୟବାଦ ଦେଇଥିଲେ।