ଭୁବନେଶ୍ବର ସମ୍ବାଦ ସାହିତ୍ୟଘରର ‘ଦେଶମନସ୍କ’ ଆସର : ମୋ ଦେଶ ହାରିଗଲେ, ମୁଁ ହାରିଯାଏ

ଭୁବନେଶ୍ବର : ‘ମଣିଷ ମଣିଷକୁ ଭଲ ନପାଇଲେ କି ଦେଶ?’ ‘ପାଣି ବିନା ମାଛ ଯାହା, ଦେଶ ବିନା ଜଣେ ମଣିଷର ସ୍ଥିତି ସେୟା’। ‘ଦେଶ ବାହାରକୁ ଗଲେ ଦେଶ କଥା ଭାରି ମନେପଡ଼େ’। ‘ମୋ ଦେଶ ହାରିଗଲେ ମୁଁ ହାରିଯାଏ’। ସମ୍ବାଦ ସାହିତ୍ୟଘର ଭୁବନେଶ୍ବର ଶାଖା ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଆସରରେ ଯୋଗଦେଇ ଅତିଥିମାନେ ଏଭଳି ମତ ପୋଷଣ କରିଥିଲେ। ଆସରରେ ବକ୍ତା ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କଥାକାର ସରୋଜିନୀ ସାହୁ, କଥାକାର ପ୍ରକାଶ ମହାପାତ୍ର ଓ କବି ଅଶୋକ କୁମାର ସିଂହ।

ଦେଶକୁ ନେଇ ରଚିତ କବିତା ପାଠ କରିଥିଲେ ପ୍ରଜ୍ଞାଶ୍ରୀ ରଥ, ଉମାକାନ୍ତ ରାଉତ, ସୁଜିତ କୁମାର ପଣ୍ଡା, ଭାସ୍ବତୀ ବସୁ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ନର୍ମଦା ସାହୁ, ପ୍ରୀତିନନ୍ଦା ମହାରଣା, ରଶ୍ମିରେଖା ତ୍ରିପାଠୀ, ଯଶୋବନ୍ତ ସେଠୀ, ପ୍ରମୋଦ କୁମାର ଜେନା, ଶ୍ରୀଶ୍ରୀ ହୁଗୁଳା, ବେଦପ୍ରକାଶ ନାୟକ, ବାଦଲ ମହାନ୍ତି ଏବଂ ଅଶୋକ କୁମାର ସିଂହ। ପରେ ‘ଦେଶମନସ୍କତା’ ଶୀର୍ଷକରେ କବି ଓ ଦର୍ଶକମାନେ ମତ ରଖିଥିଲେ। ଭୁବନେଶ୍ବର ସମ୍ବାଦ ସାହିତ୍ୟ ଘରର ସଭାପତି ସରୋଜ ବଳ ସ୍ବାଗତ ଭାଷଣ ସହ କବି ହରପ୍ରସାଦ ଦାସଙ୍କ ‘ଦେଶ’ ପୁସ୍ତକରୁ କେତୋଟି କବିତା ପାଠ କରିଥିଲେ। ସଂଚାଳନ କରିଥିଲେ ସମ୍ପାଦକ ବାଦଲ ମହାନ୍ତି। ସାହିତ୍ୟ ଘରର ସଭ୍ୟସଭ୍ୟାଙ୍କ ସମେତ ବହୁ ଲେଖକ ଲେଖିକା ଏବଂ ସାହିତ୍ୟାନୁରାଗୀ ଦର୍ଶକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଦୂରଦର୍ଶନର ଲୋକପ୍ରିୟ ସମ୍ବାଦ ପାଠକ ତଥା କବି ସୁବୋଧ ନାୟକଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର