ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ ସମାରୋହ : ଅନ୍ୟାୟ ବିରୋଧରେ ସଂଗ୍ରାମ ପାଇଁ ସାହିତ୍ୟ ବଳିଷ୍ଠ ମାଧ୍ୟମ

ଡାକ୍ତର ଯଦୁନାଥ ପ୍ରସାଦ ଦାସ ପାଇଲେ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ

କଟକ : ଓଡ଼ିଶାର କଳା, ଭାଷା, ସାହିତ୍ୟ, ସଂସ୍କୃତିର ଗୌରବମୟ ଇତିହାସ ଅଛି। ରାଧାନାଥ ରାୟ, ଗଙ୍ଗାଧର ମେହେର, ଫକୀର ମୋହନ ସେନାପତି, ମଧୁସୂଦନ ଦାସଙ୍କ ଭଳି ସ୍ରଷ୍ଟାମାନେ ଲେଖନୀ ଚାଳନା କରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ସହ ଓଡ଼ିଶାର ଜନଜୀବନକୁ ପ୍ରଭାବିତ କରିଛନ୍ତି। ଅନ୍ୟାୟ ବିରୋଧରେ ସଂଗ୍ରାମ କରିବା ପାଇଁ ସାହିତ୍ୟ ବଳିଷ୍ଠ ମାଧ୍ୟମ। କଳା ଓ ସାହିତ୍ୟରେ ଶୃଙ୍ଖଳା, ସୃଜନଶୀଳତା ଓ ଭିନ୍ନତା ରହିଲେ ତାହା ଜନାଦୃତ ହେଇଥାଏ। ହେଲେ କଳା ଓ ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠ ପ୍ରତିଭାଙ୍କୁ ଚୟନ କରିବା ବିଚାରକଙ୍କ ପାଇଁ କଷ୍ଟକର ବ୍ୟାପାର ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧର। ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନର ୨୬ତମ ସମ୍ମାନ ପ୍ରଦାନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ମୁରଲୀଧର କହିଲେ, ଲେଖକମାନଙ୍କ ମୁକ୍ତ ଚିନ୍ତନ ଓ ସ୍ବାଧୀନ ଭାବେ ଲେଖିବାର ଅଧିକାର ରହିବା ଉଚିତ। ସମ୍ମାନିତ ବକ୍ତା ଭାବେ ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ମାତୃଭାଷାର ଅଧିକ ବ୍ୟବହାର ଉପରେ ଗୁରୁତ୍ବ ଦେଇଥିଲେ। ଭାଷା ସାହିତ୍ୟର ବିକାଶ ପାଇଁ ପୃଷ୍ଠପୋଷକଙ୍କ ଆବଶ୍ୟକ ରହିଥାଏ, ଗଙ୍ଗାଧର ରଥ ଏହାର ଜ୍ବଳନ୍ତ ଉଦାହରଣ ବୋଲି ଡକ୍ଟର ମିଶ୍ର ମତବ୍ୟକ୍ତ କରିଥିଲେ।

ଫାଉଣ୍ଡେସନର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥଙ୍କ ପୌରୋହିତ୍ୟରେ କଳାବିକାଶ କେନ୍ଦ୍ରରେ ସମ୍ମାନ ପ୍ରଦାନ ସମା‌ରୋହ ଆୟୋଜିତ ହୋଇଥିଲା। ସମାରୋହରେ ଫାଉଣ୍ଡେସନର ପ୍ରତିଷ୍ଠାତା ଗଙ୍ଗାଧର ରଥଙ୍କ ସ୍ମୃତିରେ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ତଥା ଭାସ୍କର୍ଯ୍ୟଶିଳ୍ପୀ ଡାକ୍ତର ଯଦୁନାଥ ପ୍ରସାଦ ଦାସଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି କାବ୍ୟ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ସଦାଶିବ ଦାଶଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର ଓ କଥାକାର ଡକ୍ଟର ସରୋଜିନୀ ସାହୁଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯାଇଥିଲା। ପୁରସ୍କାରସ୍ୱରୂପ ଶ୍ରୀ ଦାସ ଓ ଡକ୍ଟର ମିଶ୍ରଙ୍କୁ ୨୫ ହଜାର ଟଙ୍କା ଲେଖାଏଁ, ରୌପ୍ୟଫଳକ ଓ ଉପଢ଼ୌକନ ଦିଆଯାଇଥିଲା। ସେହିପରି ଯୁବ ସାରସ୍ବତ ସାଧକ ଚିତ୍ତରଞ୍ଜନ ଚିରଞ୍ଜିତ ଓ ମନୋଜ ମେହେରଙ୍କୁ ସମ୍ମାନଜନକ ‘ସୁବ୍ରତ ରଥ ସ୍ମାରକୀ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପୁରସ୍କାର ସ୍ୱରୂପ ଉଭୟ ସ୍ରଷ୍ଟାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ, ରୌପ୍ୟଫଳକ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ଉପଦେ‌ଷ୍ଟା ପ୍ରଫେସର୍‌ ଡକ୍ଟର ବିଜୟାନନ୍ଦ ସିଂହ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡାକ୍ତର ଅଳକା ରଥ କାର୍ଯ୍ୟକ୍ରମ ସଂ‌ଯୋଜନା କରିଥିବା ବ‌େଳେ ପ୍ରଫେସର ଡକ୍ଟର ବନ୍ଦିତା ଦାଶ ଓ ଲିପ୍‌ସିତା ରଥ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ। ଫାଉଣ୍ଡେସନ୍‌ର ସଂପାଦିକା କଥାଶିଳ୍ପୀ ସୁସ୍ମିତା ରଥ ଧନ୍ୟବାଦ ଦେଇଥିଲେ। ଆଇନୀଜୀବ ସଞ୍ଜୟ ରଥ ଓ ରୋହିତ୍‌ ଶ୍ରୀବାସ୍ତବ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ସୂଚନା‌ଯୋଗ୍ୟ, ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନର ‌ସର୍ବୋଚ୍ଚ ସମ୍ମାନ ‘ସାହିତ୍ୟ ଭାରତୀ ସମ୍ମାନ ପାଇବାକୁ ମନୋନୀତ ହୋଇଥିବା ବରିଷ୍ଠ ପ୍ରଶାସକ, ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟ ଅସୁସ୍ଥତା ହେତୁ ସମାରୋହରେ ଅନୁପସ୍ଥିତ ଥିଲେ। ଆଗାମୀ ଦିନରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର