ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲକୁ ସ୍କୁଲ୍‌ ଅଫ୍ ଏମିନେନ୍ସ ଆୱାର୍ଡ

ଭୁବନେଶ୍ବର: ଏଜୁକେସନ୍‌ ୱାର୍ଲ୍ଡର ଏ++ ସର୍ବୋଚ୍ଚ ସମ୍ମାନ ‘ସ୍କୁଲ ଅଫ୍ ଏମିନେନ୍ସ ଆୱାର୍ଡ ୨୦୨୧-୨୨’ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲକୁ ପ୍ରଦାନ କରାଯାଇଛି। ଦେଶର କୋଣ ଅନୁକୋଣରୁ ୭୧୬ଟି ସ୍କୁଲ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବୁଧବାର ବେଙ୍ଗାଲୁରୁରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଶିଳ୍ପୀ ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବ ଭାରତର ଏକମାତ୍ର ସ୍କୁଲ ଭାବେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲକୁ ଏହି ସମ୍ମାନ ମିଳିଛି। ଭିତ୍ତିଭୂମି, ଶିକ୍ଷାଦାନ ଓ ମୂଲ୍ୟାଙ୍କନ, ଜାତୀୟ ଓ ଆନ୍ତର୍ଜାତୀୟ ସହଭାଗିତା, କ୍ରୀଡ଼ା ଓ ସହ-ପାଠ୍ୟକ୍ରମ ସହ ପ୍ରଯୁକ୍ତିବିଦ୍ୟା ଏକୀକରଣ ପରି ୫ଟି ପାରାମିଟର ନେଇ ଏହି ମୂଲ୍ୟାଙ୍କନ କରାଯାଇଥିଲା।

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ସହ ଦେଶର ମାତ୍ର ଅନ୍ୟ ତିନୋଟି ସ୍କୁଲ ଏହି ଏ++ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ‌ଉକ୍ତ ସ୍କୁଲଗୁଡ଼ିକ ହେଲା ଧିରୁଭାଇ ଅମ୍ବାନି ସ୍କୁଲ, ମୁମ୍ବାଇ, ହେରିଟେଜ୍‌ ସ୍କୁଲ୍‌, ଦିଲ୍ଲୀ ଓ ଇଣ୍ଡସ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ, ବେଙ୍ଗାଲୁରୁ। ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଶିଳ୍ପୀ ସାହୁ କହିଛନ୍ତି ଯେ ଗତବର୍ଷ ସ୍କୁଲକୁ ଦେଶର ଏକ ନମ୍ବର ମାନ୍ୟତା ମିଳିଥିବା ବେଳେ ଆଜିର ଏ ସ୍କୁଲ ଅଫ୍ ଏମିନେନ୍ସ ଆୱାର୍ଡ ଆମକୁ ଆହୁରି ଆଗକୁ ଯିବା ପାଇଁ ସହଯୋଗ କରିବ। ସ୍କୁଲ୍‌ର ମୂଳ ଲକ୍ଷ୍ୟ ଶିକ୍ଷା ମାଧ୍ୟମରେ ଏକ ଉନ୍ନତ ଭାରତ ଗଢ଼ିବା। ଗୁଣାତ୍ମକ ଓ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବାର ଏହି ପ୍ରଚେଷ୍ଟା ଆଗାମୀ ଦିନରେ ଜାରି ରହିବ।

ସମ୍ବନ୍ଧିତ ଖବର