ସାଇ ଅନଲାଇନ୍ ସ୍କୁଲ ଉଦ୍‌ଘାଟିତ: ପ୍ରାତ୍ୟେକ ଆହ୍ବାନରେ ସୁଯୋଗ ରହିଛି, ରାଜ୍ୟପାଳ

ଭୁବନେଶ୍ବର: ଉତ୍କଳ ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ସାଇ ଅନଲାଇନ୍ ସ୍କୁଲକୁ ଉଦ୍‌ଘାଟନ କରିଛନ୍ତି। ଏନେଇ ରାଜଭବନ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଫେସର ଲାଲ୍‌ ଏହାକୁ ଉଦ୍‌ଘାଟନ କରି କହିଲେ, ପ୍ରତ୍ୟେକଟି ଆହ୍ୱାନରେ ନିଶ୍ଚିତ ଭାବେ ବଡ଼ ସୁଯୋଗ ରହିଛି। ସାଇ ଇଣ୍ଟରନ୍ୟାସନାଲ୍‌ ଅନଲାଇନ୍‌ ଶିକ୍ଷାଦାନ କ୍ଷେତ୍ରରେ ନବୀକରଣ ଆଣିଛି। ସାଇ ଅନଲାଇନ୍ ସ୍କୁଲ ଅନ୍ୟ ଶିକ୍ଷାନୁଷ୍ଠାନ ପାଇଁ ଏକ ଦିଗ୍‌ଦର୍ଶକ ହେବ। ଛାତ୍ରଛାତ୍ରୀ ବହୁ ପରିମାଣରେ ଉପକୃତ ହେବେ। ସ୍କୁଲର ପ୍ରତିଷ୍ଠାତା ବିଜୟ କୁମାର ସାହୁ କହିଲେ, ଅନଲାଇନ୍ ସ୍କୁଲ୍ ପରି ଏକ ଅଭିନବ ପ୍ଲାଟ୍‌ଫର୍ମ ମାଧ୍ୟମରେ ଶ୍ରେଣୀଗୃହ ବାହାରେ ଥିବା ଛାତ୍ରଛାତ୍ରୀ ପାଠ ପଢ଼ିବାର ସୁବିଧା ପାଇ ପାରିବେ। ଶ୍ରେଣୀଗୃହ ଶିକ୍ଷାର ପ୍ରତ୍ୟେକ ଉପାଦାନ ଛାତ୍ରଛାତ୍ରୀଙ୍କ ପାଇଁ ସାଇ ଅନଲାଇନ୍ ସ୍କୁଲରେ ଉପଲବ୍ଧ ରହିଛି। ଏହି ଅନନ୍ୟ ପ୍ଲାଟ୍‌ଫର୍ମ ଛାତ୍ରଛାତ୍ରୀଙ୍କୁ ବିନା ବ୍ୟାଘାତରେ ଶିକ୍ଷା ଗ୍ରହଣରେ ସକ୍ଷମ କରାଇବ।

ଯଦି କ୍ଲାସ୍‌ ମିସ୍ ହୁଏ, ତେବେ ଘରେ ପଢ଼ିବ‌ା ପାଇଁ ଏହା ଏକ ବିକଳ୍ପ ହେବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମେହେର୍ଦା, ସ୍କୁଲର ଭାଇସ୍ ଚେୟାରପର୍ସନ ଶିଳ୍ପୀ ସାହୁ, ସିନିୟର୍ ପ୍ରିନ୍ସିପାଲ୍‌ ନୀଳକଣ୍ଠ ପାଣିଗ୍ରାହୀ, ଟେକ୍ନୋଲୋଜି ମୁଖ୍ୟ ଦିବ୍ୟପ୍ରକାଶ ଦାଶ, ସିନିୟର୍‌ ଜେନେରାଲ୍ ମ୍ୟାନେଜର୍ ଶରତ କୁମାର କର, ପିଆର୍‌ଓ କୈଳାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲ ବନ୍ଦ ରହିଥିବାରୁ ପ୍ଲେ’ ଗ୍ରୁପ୍‌ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବେଶ୍‌ ସହାୟକ ହେବ। ‘୭ଇ’ ଶିକ୍ଷା ପ୍ରଣାଳୀ ଯଥା ଏନଗେଜ୍‌, ଏକ୍ସପ୍ଳେନ୍‌, ଏଲାବୋରେଟ୍‌, ଏକ୍ସ‌‌ପ୍ଲୋର୍‌, ଇଭାଲୁଏଟ୍‌, ଏକ୍ସଟେଣ୍ଡ ଓ ଏକ୍ସପେରିଏନ୍ସକୁ ଆପଣାଇ ଏହାକୁ ଗଠନ କରାଯାଇଛି। ଯେଉଁଥିରେ ମାଇଣ୍ଡ ମ୍ୟାପ୍‌, ଲେସନ୍ ପ୍ଳାନ୍‌, ହୋମ୍ ଆସାଇନ୍‌ମେଣ୍ଟ, ଭିଡିଓ ରେକର୍ଡିଂସ୍‌, ପ୍ରାକ୍ଟିସ୍ ଓ ଡାଉଟ୍ କ୍ଲିଅରିଂ କ୍ଲାସ୍‌ ସହ ଅଭିଭାବକ ପିଲାଙ୍କର ସମସ୍ତ ପ୍ରକାରର ଶିକ୍ଷା ସମ୍ବନ୍ଧୀୟ ବିବରଣୀ ପାଇପାରିବେ।

ସମ୍ବନ୍ଧିତ ଖବର