ଚନ୍ଦ୍ରଶେଖରପୁର : ଦୁଇଥାକିଆ ରାସ୍ତା। ବେଶ୍ ପ୍ରଶସ୍ତ। ଅହରହ ଚାଲିଛି ଗାଡ଼ି। ରାସ୍ତାର ଉଭୟ ପାର୍ଶ୍ବରେ ଟାଇଲ୍ ପକାଯାଇ ପଥଚାରୀଙ୍କ ଯିବା ଆସିବା ପାଇଁ ତିଆରି ହୋଇଛି ଫୁଟପାଥ୍। ମାତ୍ର ସନ୍ଧ୍ୟା ହେଲେ ଅନ୍ଧକାର ରାଜୁତି କରୁଛି। କାରଣ ରାସ୍ତା ନିର୍ମାଣକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ଲାଗିପାରୁ ନାହିଁ। ଶୈଳଶ୍ରୀବିହାର ସାଇ ମନ୍ଦିର ଛକଠାରୁ ଇନଫୋସିଟି ଛକକୁ ସଂଯୋଗ କରୁଥିବା ରାଜଧାନୀର ପ୍ରମୁଖ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ୬୦୦ ମିଟର ଏହି ରାସ୍ତାର ଦୁଇପାର୍ଶ୍ବରେ ରାଜ୍ୟର ପ୍ରମୁଖ ଆଇଟି ସଂସ୍ଥା ସମେତ ଏକାଧିକ ଇଞ୍ଜିନିୟରିଂ, ମ୍ୟାନେଜ୍ମେଣ୍ଟ କଲେଜ ରହିଛି। ଏହା ମଧ୍ୟ ପଟିଆ ଛକ, ଶିଖରଚଣ୍ଡୀ ଛକ ଓ କିଟ୍ ଛକକୁ ଯୋଗାଯୋଗର ପ୍ରମୁଖ ମାଧ୍ୟମ। ମାତ୍ର ଏଥିପ୍ରତି କାହାର ନଜର ନାହିଁ।
ହକି ବିଶ୍ବକପ୍ ଆରମ୍ଭ ପୂର୍ବରୁ ଏହି ରାସ୍ତାକୁ ବେଶ୍ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା। ଇନ୍ଫୋସିଟି ଛକରୁ ଶିଖରଚଣ୍ଡୀ ପାଦଦେଶ ପର୍ଯ୍ୟନ୍ତ ରାସ୍ତାରେ ପଥ ଉତ୍ସବ ଆୟୋଜନ ମଧ୍ୟ ହୋଇଥିଲା। ଅଞ୍ଚଳବାସୀଙ୍କ ଆଶା ଥିଲା ଏହି ରାସ୍ତାର ଭାଗ୍ୟ ବଦଳିବ। ଆଲୋକୀକରଣ କରାଯିବ। ଚନ୍ଦକା ଶିଳ୍ପଞ୍ଚଳର ଏହା ପ୍ରମୁଖ ରାସ୍ତା ହୋଇଥିବାରୁ ପ୍ରତିଦିନ ସିଟି ବସ୍ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନର ବସ୍ ଚଳାଚଳ କରୁଛି। ଇନଫୋସିସ୍, ଟିସିଏସ୍, ମାଇଣ୍ଡ ଟ୍ରି ପରି ପ୍ରତିଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ତଥା ବହୁ ନାମିଦାମୀ ଶିକ୍ଷାନୁଷ୍ଠାନର କର୍ମଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ନିୟମିତ ଯିବାଆସିବା କରୁଛନ୍ତି। ମାତ୍ର ସନ୍ଧ୍ୟା ହେଲେ ଅନ୍ଧକାର ଏ ରାସ୍ତାରେ ରାଜୁତି କରୁଛି। ୭ଟା ବାଜିବା କ୍ଷଣି ଲୋକେ ଯିବାକୁ ଭୟ କରୁଛନ୍ତି।
ଅନ୍ଧକାରର ସୁଯୋଗ ନେଇ ଅନେକ ସମୟରେ ରାସ୍ତାକଡ଼ରେ ଯୁବକଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଦେଖିବାକୁ ମିଳୁଛି। ସମୟ ସମୟରେ ପଥଚାରୀଙ୍କଠାରୁ ମୋବାଇଲ୍ ମଧ୍ୟ ଲୁଟ୍ ହେଉଥିବା ଥାନାରେ ଅଭିଯୋଗ ହୋଇଛି। ଏହାବ୍ୟତୀତ ଦୁଇଚକିଆ ଯାନ ବିଭିନ୍ନ ସମୟରେ ଡିଭାଇଡରରେ ପିଟି ହେବା ଫଳରେ ବାଇକ୍ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ପୂର୍ତ୍ତ ବିଭାଗ, ବିଏମ୍ସି ଓ ଇଡ୍କୋ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।