ଚନ୍ଦ୍ରଶେଖରପୁର: ୧୯୬୨ ମସିହା ଜାନୁଆରି ୧୫। ଭୁବନେଶ୍ବର ସୈନିକ ସ୍କୁଲର ଶୁଭାରମ୍ଭ ହୋଇଥିଲା। ଏହାର ଦୁଇ ବର୍ଷ ପରେ ଅର୍ଥାତ୍ ୧୯୬୪ ମସିହା ଜାନୁଆରିରେ ୨୨୪ ଏକର ପରିମିତ ଜମିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ଦ୍ବାରା ସ୍କୁଲର ଭିତ୍ତିପ୍ରସ୍ତର ପଡ଼ିଥିଲା। ସେତେବେଳେ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ସହର ଉପକଣ୍ଠ ଥିବା ଏହି ଅଞ୍ଚଳରେ କାହାର ପାଦ ପଡ଼ୁ ନଥିଲା। ସନ୍ଧ୍ୟା ହେଲେ ରାସ୍ତା ଦେଇ ଯିବାକୁ ଲୋକେ ଭୟ କରୁଥିଲେ। ତାହାରି ଭିତରେ ହଜାର ହଜାର ଛାତ୍ରଙ୍କ ଭବିଷ୍ୟତ ଗଢ଼ିଥିବା ଏହି ଶିକ୍ଷାନୁଷ୍ଠାନକୁ ଏବେ ବିକଳାଙ୍ଗ କରି ଦିଆଯାଇଛି। ଦିନେ ୨୨୪ ଏକର ଜମିରେ ଠିଆ ହୋଇଥିବା ଏହି ସ୍କୁଲର ଜମି ବର୍ତ୍ତମାନ ରେକର୍ଡ ଅଫ୍ ରାଇଟ୍(ଆରଓଆର)ରେ ୧୪୨ ଏକର ରହିଛି। ଅର୍ଥାତ୍ ୬୩ ବର୍ଷ ମଧ୍ୟରେ ସ୍କୁଲର ୮୨ ଏକର ଜମିକୁ ରାଜ୍ୟ ସରକାର ଖଣ୍ଡ ଖଣ୍ଡ କରି ନେଇଯାଇଛନ୍ତି।
ଅଳିଆଗଦା ପାଇଁ ୬୦ ଏକର ନେଲେଣି
ରାସ୍ତା ନିର୍ମାଣ କରିବାକୁ ଜମି ନେଇଥିଲେ
ଏବେ ସମ୍ପୂର୍ଣ୍ଣ କ୍ୟାମ୍ପସ ଉପରେ ନଜର
ପୁରାତନ ଛାତ୍ରମାନଙ୍କ କହିବା କଥା ହେଉଛି ଯେ ପ୍ରଥମେ ସ୍କୁଲ କ୍ୟାମ୍ପସ ମଧ୍ୟ ଦେଇ ଦୁଇ ଥାକିଆ ରାସ୍ତା ନିର୍ମାଣ କରାଗଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ଯାତାୟାତ ଓ ସହରର କଳେବର ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ ପ୍ରତିବାଦ କଲେନାହିଁ। ହାତ କାଟି ରାସ୍ତା ନିର୍ମାଣ କରିବାକୁ ଅନୁମତି ଦେଇଦେଲେ। ପରବର୍ତ୍ତୀ ସମୟରେ ଅଳିଆ ଗଦା କରିବାକୁ କ୍ୟାମ୍ପସରୁ ଆଉ ୩୦ ଏକର ଜମି ବିଏମ୍ସିକୁ ଦିଆଗଲା। ଏହାଦ୍ବାରା କ୍ୟାମ୍ପସ ପରିସୀମା ହ୍ରାସ ପାଇବା ସହ ସଙ୍କୁଚିତ ହେଲା। ତା’ପରେ ମଧ୍ୟ ରାଜ୍ୟ ସରକାରଙ୍କ ମନ ବୁଝିଲା ନାହିଁ ଯେ ୨୦୨୩ରେ ଆଉ ୩୦ ଏକର ଜମିକୁ ବିଏମ୍ସି ନିଜ ଅକ୍ତିଆରକୁ ନେବା ସହ ଅଳିଆ ଗଦା ସମ୍ପ୍ରସାରଣ କରିଦେଲା। ଶତାଧିକ ଗଛ କାଟିବା ସହ ଧୀରେ ଧୀରେ କ୍ୟାମ୍ପସ ପାଚେରି ନିକଟରେ ଅଳିଆ ଜମା କରାଗଲା। ଗାଡ଼କଣ, ଡମଣା, ପଟିଆ, ମଞ୍ଚେଶ୍ବର, ଚକେଇସିହାଣି, ଭିଏସ୍ଏସ୍ନଗର, ରେଳବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର ପରି ଅଞ୍ଚଳବାସୀ ଡମ୍ପିଂୟାର୍ଡ ସମ୍ପ୍ରସାରଣକୁ ବିରୋଧ କରିବା ସହ ଆନ୍ଦୋଳନ କରିଥିଲେ। ଅଳିଆଗଦା ଉଠାଇବାକୁ ଏକାଧିକ ଥର ଚିଠି ମଧ୍ୟ ଲେଖିଥିଲେ। ମାତ୍ର କୌଣସି ସୁଫଳ ମିଳିଲା ନାହିଁ। ଏମିତିକି ବର୍ତ୍ତମାନର ବିଜେପି ସରକାର ଅଳିଆଗଦା ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୂରଣ କରିପାରି ନାହିଁ। ଅଳିଆ ହଟିବ ବୋଲି କହି କହି ଅଧିକାରୀମାନେ ଦିନ ଗଡ଼ାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଥିରୁ ଅଞ୍ଚଳବାସୀ ମୁକୁଳିପାରି ନାହାନ୍ତି।
ନୂଆ ସରକାର ଆସିବା ପରେ ଲୋକେ ଆଶା କରିଥିଲେ ଯେ ଡମ୍ପିଂୟାର୍ଡ ଏଠାରୁ ହଟିବ। ମାତ୍ର ତାହା ସମ୍ଭବପର ହୋଇପାରି ନାହିଁ। ୮ ମାସର ସରକାର ଡମ୍ପିଂୟାର୍ଡ ହଟାଇବେ କ’ଣ ଏବେ ସମ୍ପୂର୍ଣ୍ଣ ସୈନିକ ସ୍କୁଲକୁ ସ୍ଥାନାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ପୂର୍ତ୍ତ ବିଭାଗ ଅଧିକାରୀମାନେ ଏନେଇ ସୈନିକ ସ୍କୁଲ ବୋର୍ଡର ଅଧିକାରୀଙ୍କ ନିକଟକୁ ଚିଠି ଲେଖିବା ସହ ୪ ଥାକିଆ ରାସ୍ତା ନିର୍ମାଣ କରିବାକୁ ପ୍ରସ୍ତାବ ରଖିଛନ୍ତି। ଏପର୍ଯ୍ୟନ୍ତ ଉତ୍ତର ମିଳି ନ ଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଅଧିକାରୀ ଚଳିତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପତ୍ର ଲେଖି ବିକଳ୍ପ ଜାଗା ଖୋଜିବାକୁ ପରାମର୍ଶ ଦେବା ଘଟଣାକୁ କେହି ବି ସହଜରେ ଗ୍ରହଣ କରିପାରି ନାହାନ୍ତି। କୌଣସି ପରିସ୍ଥିତିରେ ସୈନିକ ସ୍କୁଲ ଏଠାରୁ ହଟିବ ନାହିଁ ବୋଲି ପୁରାତନ ଛାତ୍ରମାନେ ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/26/kC65IRDieC8NVjCLt6Ku.jpg)