ଚନ୍ଦ୍ରଶେଖରପୁର: ଭୁବନେଶ୍ବର ସୈନିକ ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତି ବିରୋଧରେ ପୁରାତନ ଛାତ୍ରମାନେ ଏକାଠି ହୋଇଛନ୍ତି। ଚାରି ଦିନ ତଳେ ସ୍କୁଲ କ୍ୟାମ୍ପସରେ ପୁରାତନ ଛାତ୍ର ସଂଘ(ଓବିଏ)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହ ପ୍ରତିବାଦର ରୂପରେଖ ଚୂଡ଼ାନ୍ତ ହୋଇଥିଲା। ସେହି ଅନୁଯାୟୀ ଆଜି ୧୫ ଜଣିଆ ଷ୍ଟିୟରିଂ କମିଟି ଗଠିତ ହୋଇଛି। ଯେଉଁଥିରେ ୧୯୬୫ରୁ ୨୦୦୧ ପର୍ଯ୍ୟନ୍ତ ଏଠାରୁ ଶିକ୍ଷାଲାଭ କରି ଭାରତୀୟ ସୈନ୍ୟ ବାହିନୀରେ ଲେପ୍ଟନାଣ୍ଟ ଜେନେରାଲ, କମାଣ୍ଡର୍‌, ମେଜର ଜେନରାଲ, ଏୟାର ମାର୍ସାଲ ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷମାନେ ସ୍ଥାନ ପାଇଛନ୍ତି। ଲେପ୍ଟନାଣ୍ଟ ଜେନେରାଲ ଜେକେ ମହାନ୍ତି କମିଟି ଅଧ୍ୟକ୍ଷ ଓ ସର୍ଦ୍ଦାର ହର୍ଦମନ୍‌ ସିଂ ଉପାଧ୍ୟକ୍ଷ ରହିଛନ୍ତି। ଓବିଏର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଷ୍ଟିୟରିଂ କମିଟି ନିଷ୍ପତ୍ତି ନେବା ସହ ଦିଗ୍‌ଦର୍ଶନ ପ୍ରଦାନ କରିବ ବୋଲି ନିଷ୍ପତ୍ତି ହୋଇଛି। ଆନ୍ଦୋଳନକୁ ଅଧିକ ବ୍ୟାପକ କରିବାକୁ ‘ସୈନିକ ସ୍କୁଲ ବଞ୍ଚାଅ’ ଅଭିଯାନ ମୁଣ୍ଡ ଟେକିଛି। ପୁରାତନ ଛାତ୍ରମାନଙ୍କୁ ଏକାଠି କରିବା ସହ ଆନ୍ଦୋଳନକୁ ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ ଏହି ଅଭିଯାନ ପଦକ୍ଷେପ ନେବ। ନିଷ୍ପତ୍ତି ପ୍ରତ୍ୟାହାର କରିବା ଦାବିରେ ପୁରାତନ ଛାତ୍ରମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବେ। ସ୍କୁଲ ଜମି ବଞ୍ଚାଇବାକୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ପହଞ୍ଚିବାକୁ ପୁରାତନ ଛାତ୍ରମାନେ ନିଜ ନିଜ ସ୍ତରରେ ଉଦ୍ୟମ କରିବାକୁ ଶପଥ ନେଇଛନ୍ତି।

Advertisment

ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିବେ
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବେ
୨୦୧୮ରେ ତତ୍‌କାଳୀନ ସରକାର ନିଷ୍ପତ୍ତି ବଦଳାଇଥିଲେ

ବିବାଦ ଭିତରେ ପୁରାତନ ଛାତ୍ରମାନେ ଆଉ ଏକ ପ୍ରସଙ୍ଗକୁ ସାମନାକୁ ଆଣିଛନ୍ତି। ସ୍କୁଲ୍‌ ଭିତର ଦେଇ ଯାଇଥିବା ରାସ୍ତା ସମ୍ପ୍ରସାରଣ କରିବାକୁ ୨୦୧୮ରେ ମଧ୍ୟ ରାଜ୍ୟ ସରକାର ଯୋଜନା କରିଥିଲେ। ଯାହାକୁ ସ୍କୁଲ୍‌ର ତତ୍କାଳୀନ ଲୋକାଲ୍‌ ବୋର୍ଡ ଆଡମିନିଷ୍ଟ୍ରେସନ୍‌ ଅଧ୍ୟକ୍ଷ ତଥା ପୂର୍ବ ନୌସେନା କମାଣ୍ଡ୍‌, କମାଣ୍ଡର୍‌-ଇନ୍‌-ଚିଫ୍‌ ଭାଇସ୍‌ ଆଡମିରାଲ୍‌ କରମ୍‌ବୀର୍‌ ସିଂହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଶ୍ରୀ ସିଂହ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପତ୍ର ଲେଖି ସୈନିକ ସ୍କୁଲ୍‌ ଭିତର ଦେଇ ଯାଇଥିବା ରାସ୍ତା ସମ୍ପ୍ରସାରଣ କରି ସର୍ବସାଧାରଣଙ୍କ ପାଇଁ ଛଡ଼ାଗଲେ ସ୍କୁଲ୍‌ ଦୁଇଭାଗ ହୋଇଯିବା ସହ ସ୍କୁଲର ସୁରକ୍ଷା ପ୍ରତି ସମସ୍ୟା ଦେଖାଯିବ ବୋଲି ଦର୍ଶାଇଥିଲେ। ସ୍କୁଲର ଏକାଡେମିକ୍‌ ଓ ଆଡମିନିଷ୍ଟ୍ରେଟିଭ୍‌ କାର୍ଯ୍ୟାଳୟ ରାସ୍ତାର ଗୋଟିଏ ପଟେ ରହିଯିବ ଓ ଖେଳପଡ଼ିଆ, ସୁଇମିଂ ପୁଲ୍‌, କ୍ବାର୍ଟର୍ସ ଇତ୍ୟାଦି ଅନ୍ୟପଟେ ରହିଯିବ। ତାହାକୁ ଦୃଷ୍ଟିରେ ରଖି ରାସ୍ତା ସମ୍ପ୍ରସାରଣ ଓ ସର୍ବସାଧାରଣ ବ୍ୟବହାର ପ୍ରସ୍ତାବ ଛାଡ଼ି ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ଭାଇସ୍‌-ଆଡମିରାଲ୍‌ କରମ୍‌ବୀର୍‌ ସିଂହ ସେତେବେଳେ କହିଥିଲେ।

ସେଇ ଚିଠି ଆଧାରରେ ସ୍କୁଲ୍‌ ପରିସର ବାହାରେ ରାସ୍ତା ନେବାକୁ ତତ୍‌କାଳୀନ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଡାହାଣ ପାର୍ଶ୍ବ ସମାନ୍ତରାଳ ରାସ୍ତା ପ୍ରେସ୍‌ ଛକ-ଓଏମ୍‌ସି-ରେଳ ଷ୍ଟାଡିୟମ-ଗୁରୁ କେଳୁଚରଣ ପାର୍କ ଦେଇ ଡମଣା ପର୍ଯ୍ୟନ୍ତ ନିର୍ମାଣ ହୋଇଥିଲା। ଏହି ରାସ୍ତା ସମ୍ପୂର୍ଣ୍ଣ ହେବା ସହ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ସୈନିକ ସ୍କୁଲ ଭିତର ରାସ୍ତା ସମ୍ପ୍ରସାରଣର ଆବଶ୍ୟକତା କ’ଣ ବୋଲି ପୁରାତନ ଛାତ୍ରମାନେ ପ୍ରଶ୍ନ କରିଛନ୍ତି। ଆହୁରି କହିଛନ୍ତି ଯେ ରାସ୍ତା ସମ୍ପ୍ରସାରଣ ପ୍ରସ୍ତାବ ଯଦି ସେତେବେଳେ ପରିବର୍ତ୍ତନ କରାଯାଇ ସ୍କୁଲ୍‌ ପରିସର ବାହାରେ ରାସ୍ତା କରାଯାଇଥିଲା, ବର୍ତ୍ତମାନ ପୁଣି ସେଇ ପ୍ରସ୍ତାବ ପୂର୍ତ୍ତ ବିଭାଗ କାହା ସ୍ବାର୍ଥରେ ଉଠାଇଛି? ୬୩ ବର୍ଷର ସ୍କୁଲ୍‌କୁ ସହର ବାହାରକୁ ହଟାଇ ଦେବା ଭଳି ନିଷ୍ପତ୍ତି କାହିଁକି ନିଆଗଲା? ପ୍ରକୃତରେ ରାସ୍ତା ସମ୍ପ୍ରସାରଣ, ଜନସାଧାରଣଙ୍କ ଯାତାୟାତ ଓ ସହରର ଟ୍ରାଫିକ୍‌ ସମସ୍ୟା ଦୂର କରିବା ପାଇଁ ଏଭଳି ପ୍ରସ୍ତାବ ଦିଆଯାଇଛି, ନା’ ସେହି ଆଳରେ ୧୪୨ ଏକର ଜମିକୁ କାହା ସ୍ବାର୍ଥରେ ଲଗାଇବା ପାଇଁ ଷଡ୍‌ଯନ୍ତ୍ର କରାଯାଇଛି ବୋଲି ପ୍ରଶ୍ନ ଉଠୁଛି।