ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତି ପ୍ରତିବାଦରେ ବିରୋଧର ସ୍ବର ବଢ଼ିବାରେ ଲାଗିଛି। ପୁରାତନ ଛାତ୍ର ସଂଘ ସମେତ ଆଞ୍ଚଳିକ ସୁରକ୍ଷା ମଞ୍ଚ, ଅଭିଭାବକ ମହାସଂଘ, ଭିଏସ୍ଏସ୍ନଗର ଉନ୍ନୟନ ପରିଷଦ ବିରୋଧ ଜାରି ରଖିଛନ୍ତି। ଏବେ ବିଜେଡି ମଧ୍ୟ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଶିକ୍ଷାନୁଷ୍ଠାନକୁ ଭାଙ୍ଗିବାକୁ ଯେଉଁ ଚକ୍ରାନ୍ତ ହେଉଛି ତାହା ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଦଳ ଯୋଜନା ପ୍ରସ୍ତୁତ କରିଛି। ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଗତକାଲି ଶଙ୍ଖ ଭବନରେ ଆୟୋଜିତ ଉତ୍ସବରେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।
ବିଧାୟକ ଶ୍ରୀ ରାଉତ କହିଥିଲେ ସୈନିକ ସ୍କୁଲ ଦ୍ବାରା ଅଞ୍ଚଳବାସୀ ବହୁ ପରିମାଣରେ ଉପକୃତ ହୋଇଛନ୍ତି। ଏହା ଭୁବନେଶ୍ବରର ସର୍ବପୁରାତନ ବିଦ୍ୟାଳୟ। ଦେଶର ସୁରକ୍ଷା ପାଇଁ ଶତାଧିକ ସୈନିକ ଯୋଗାଇ ଦେଇଥିବା ଏହି ସ୍କୁଲ ଉଠାଇବାକୁ ରାଜ୍ୟ ସରକାର କାହିଁକି ତତ୍ପରତା ଦେଖାଉଛନ୍ତି ତାହା ଜଣାପଡ଼ୁ ନାହିଁ। ୧୯୬୨ ମସିହାରେ ବିଜୁ ବାବୁଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲକୁ ହଟାଇ ରାଜ୍ୟ ସରକାର କ’ଣ କରିବାକୁ ଚାହୁଁଛନ୍ତି ତାହା ଆଗ ସ୍ପଷ୍ଟ କରନ୍ତୁ। ୬୩ ବର୍ଷର ଏକ ଶିକ୍ଷାନୁଷ୍ଠାନକୁ ଭାଙ୍ଗି ଭୁବନେଶ୍ବର ଅନ୍ୟତମ ପରିଚୟକୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଅଞ୍ଚଳବାସୀଙ୍କ ସହ ଆବଶ୍ୟକୀୟ ଆଲୋଚନା କରି ରାସ୍ତା ନିର୍ମାଣ କରିବା ଦିଗରେ ପଦକ୍ଷେପ ନିଅନ୍ତୁ। ନ ହେଲେ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରାଯାଇ କଠୋର ନିଷ୍ପତ୍ତି ନିଆଯିବ।
ପୁରାତନ ଛାତ୍ରମାନଙ୍କ କହିବା କଥା ହେଉଛି ୧୯୬୨ ଜାନୁଆରି ୧୫ରେ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଭୁବନେଶ୍ବରରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଥିଲା। ୧୯୬୪ ଜାନୁଆରି ୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ କରକମଳରେ ନିଜସ୍ବ ଜାଗାରେ ଏହା ଉଦ୍ଘାଟିତ ହେଲା। ସେତେବେଳେ ଏହା ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହମତିରେ ୨୨୪ ଏକର ପରିମିତ ଜମିରେ ଏହାର ପ୍ରତିଷ୍ଠା ହୋଇଥିଲା। ବିଜେଡି ସରକାର ସମୟରେ ପ୍ରସ୍ତାବ ଆସିଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇ ନ ଥିଲା। ବରଂ ବିକଳ୍ପ ରାସ୍ତା ନିର୍ମାଣ ହୋଇଥିଲା। ଯେହେତୁ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଥିଲା ତେଣୁ ରାଜ୍ୟ ସରକାର ତାଙ୍କ ନାଁ ଲିଭାଇବାକୁ ଏଭଳି ଷଡ଼ଯନ୍ତ୍ର କରୁନାହାନ୍ତି ତ?
ବହୁରୂପୀ ଏଣ୍ଡୁଅ
ରାଜ୍ୟ ସରକାର ଏବେ ବହୁରୂପୀ ଏଣ୍ଡୁଅ ସାଜିଛନ୍ତି। ଡବଲ ଇଞ୍ଜିନ୍ ସରକାର ଡବଲ ବିକାଶର ନାରା ଦେଇ ଡବଲ ହତାଶ କରିଛନ୍ତି। ଏ ଅଞ୍ଚଳବାସୀଙ୍କ ସହ ପ୍ରତାରଣା ହୋଇଛି। ଅଳିଆ ଗଦା ହଟାଇବାକୁ ୨୦୨୩ରେ ବିଜେପି ନେତାମାନେ ୨୧ଦିନିଆ ଧାରଣାରେ ବସିଥିଲେ। ଶାସନକୁ ଆସିବାକୁ ୮ ମାସ ବିତିଯାଇଥିଲେ ମଧ୍ୟ ଅଳିଆ ଗଦା ହଟାଇବା ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ସୈନିକ ସ୍କୁଲକୁ ଉଠାଇବା ପୂର୍ବରୁ ଆମକୁ ଡେଇଁ ଯିବାକୁ ପଡ଼ିବ।
-ସୁର ପାତ୍ର, ସଭାପତି, ବରିଷ୍ଠ ନାଗରିକ କମିଟି, ଗାଡ଼କଣ
ଆମ ଗୌରବ
ସୈନିକ ସ୍କୁଲ କେବଳ ଆମ ପରିଚୟ ନୁହେଁ। ଏହା ଆମର ଗୌରବ ମଧ୍ୟ। କୌଣସି ସରକାର ଆମଠାରୁ ଏହାକୁ ଛଡ଼ାଇ ନେଇପାରିବେ ନାହିଁ। ଏହି ବିଦ୍ୟାଳୟ ସହ ଆମ ସ୍ମୃତି ଯୋଡି ହୋଇରହିଛି। ରାଜ୍ୟ ସରକାର ଏଭଳି ନିଷ୍ଠୁର ନ ହୁଅନ୍ତୁ। ନ ହେଲେ ଅଞ୍ଚଳବାସୀଙ୍କ ଅଭିଶାପରେ ଏ ସରକାର ଶେଷ ହେଇଯିବ।
-ଅଶୋକ ସେଠୀ, ଆଞ୍ଚଳିକ ସୁରକ୍ଷା ମଞ୍ଚ ଉପସଭାପତି
ସ୍କୁଲ ନୁହେଁ, ଅଳିଆ ହଟାଓ
ବହୁତ ହୋଇଗଲା ପ୍ରତିଶ୍ରୁତି। ସ୍କୁଲ ନ ଉଠାଇ ଅଳିଆ ଗଦା ହଟାଅ। ନହେଲେ ଆଗାମୀ ଦିନରେ ସରକାର ହଟେଇବୁ। କେବଳ କଥାରେ ନୁହେଁ, ଆବଶ୍ୟକ ପଡ଼ିଲେ ବାସ୍ତବତାରେ ପରିଣତ କରି ଦେଖାଇବୁ। ଲୋକଙ୍କ ଆଶା ଓ ବିଶ୍ୱାସ ସହ ଖେଳ ମହଙ୍ଗା ପଡ଼ିବ। ଏବେବି ସମୟ ଅଛି ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତିରୁ ଓହରି ଯାଆନ୍ତୁ। ଅଞ୍ଚଳକୁ ଦୁର୍ଗନ୍ଧ ମୁକ୍ତ କରନ୍ତୁ।
-ପ୍ରଦୀପ୍ତ ପରିଡ଼ା, ରଙ୍ଗମାଟିଆ
ଆମ ପରିଚୟ ନଷ୍ଟ ହୋଇଯିବ
ସୈନିକ ସ୍କୁଲ ହେଉଛି ଆମ ପରିଚୟ। ଗାଡ଼କଣର ଆଜି ଯେଉଁ ଉନ୍ନତି ହୋଇଛି ସେଥିରେ ସୈନିକ ସ୍କୁଲର ଭୂମିକା ରହିଛି। ଏହାକୁ ହଟାଇବା ଏହି ଅଞ୍ଚଳବାସୀଙ୍କ ପାଇଁ ବଡ଼ ଆଘାତ। ଆମ ପରିଚୟକୁ ନଷ୍ଟ କରିବାକୁ ଏହା ଏକ ଷଡଯନ୍ତ୍ର। କଦାପି ଆମେ ଏହାକୁ କରାଇ ଦେବୁ ନାହିଁ। ଯଦି ସରକାର ଏଥିରୁ ନିବୃତ ନ ରୁହନ୍ତି ଆଗାମୀ ଦିନରେ ସରକାରୀ ବାବୁଙ୍କୁ ରାଜରାସ୍ତାରେ ବିରୋଧ କରାଯିବ। ଏ ଅଞ୍ଚଳରେ ପୂରାଇ ଦିଆଯିବ ନାହିଁ।
-ପ୍ରସନ୍ନ ପାତ୍ର, ସଭାପତି, ଗାଡ଼କଣ ଗ୍ରାମ କମିଟି
ଅପବାଦରୁ ବଞ୍ଚିବାକୁ ଏଭଳି ପ୍ରୟାସ
ଅଳିଆ ଗଦା ଅପବାଦରୁ ବଞ୍ଚିବାକୁ ୬୨ ବର୍ଷର ଶିକ୍ଷାନୁଷ୍ଠାନ ହଟେଇବାକୁ ଚକ୍ରାନ୍ତ ହୋଇଛି। ଏହାକୁ କଦାପି ସଫଳ ହେବାକୁ ଦିଆଯିବ ନାହିଁ। ଅନେକ ଛାତ୍ରଛାତ୍ରୀଙ୍କ ସ୍ମୃତି ସହ ଏହା ବାନ୍ଧି ହୋଇ ରହିଛି। ରାସ୍ତା ଚଉଡ଼ା ନାଁରେ ମିଛ କଥା କହି ଲୋକଙ୍କୁ ଭଣ୍ଡା ଯାଉଛି। ଗୋଲାପ ବଗିଚା କରିପାରିଲେ ନାହିଁ କି ଅଳିଆ ଗଦା ହଟେଇ ପାରିଲେ ନାହିଁ। ଏବେ ସୈନିକ ସ୍କୁଲ୍କୁ ହଟାଇ ଅପବାଦରୁ ବଞ୍ଚିବାକୁ ଉଦ୍ୟମ କରୁଛନ୍ତି।
-ରେଣୁ ପାଣିଗ୍ରାହୀ, ଗୃହିଣୀ, ସୁବାସ ଏନ୍କ୍ଲେଭ୍,
କ’ଣ କରିବେ ଆଗ ସ୍ପଷ୍ଟ କରନ୍ତୁ
ରାସ୍ତା ସମ୍ପ୍ରସାରଣ ପାଇଁ ସୈନିକ ସ୍କୁଲ ହଟାଇବା ଠିକ୍ ଲାଗୁ ନାହିଁ। ରାସ୍ତା ପାଇଁ ପର୍ଯ୍ୟାପ୍ତ ଜାଗା ରହିଥିଲେ ମଧ୍ୟ ସ୍କୁଲ ହଟାଇବାର କୌଣସି ଆବଶ୍ୟକତା ନାହିଁ। ବାକି ଜମିରେ ରାଜ୍ୟ ସରକାର କ’ଣ କରିବେ ଆଗ ସ୍ପଷ୍ଟ କରନ୍ତୁ। ଏ ଅଞ୍ଚଳକୁ ଅଳିଆ ଗଦା କରି ଆମକୁ ଦୁର୍ଗନ୍ଧରେ ପୋତିବାକୁ ଷଡ଼ଯନ୍ତ୍ର ହେଉ ନାହିଁ ତ?
-ରସାନ୍ତ ସାହୁ, ଉପସଭାପତି, ବରିଷ୍ଠ ନାଗରିକ କମିଟି, ଗାଡ଼କଣ