ସାହିତ୍ୟକୁ ନୂଆ ଦିଗ ଦେଖାଇଛନ୍ତି ସନ୍ଥ ସାରଳା ଦାସ

‘ସାରୋଳ ଦାସ ମହାଭାରଥ କର୍ଣ୍ଣାଦିଦଶପର୍ବ’ ଲୋକାର୍ପିତ

ଭୁବନେଶ୍ବର: ଆଦିକବି ସାରଳା ଦାସ, କୁମାର ବ୍ୟାସଙ୍କ ଭଳି ସନ୍ଥ କବିମାନେ ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ନୂଆ ଦିଗ ଦେଖାଇଛନ୍ତି। ସେମାନଙ୍କ କାଳଜୟୀ ଶାସ୍ତ୍ରୀୟ ଗ୍ରନ୍ଥ ବିଭିନ୍ନ ଭାଷାର ସାହିତ୍ୟିକ ଓ କବିମାନଙ୍କ ପଥ ପ୍ରଦର୍ଶକ ହୋଇ ରହିଛନ୍ତି। ସମାଜରେ ଶିକ୍ଷାର ପ୍ରସାର କରିବା ସହ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ସେମାନଙ୍କ ଭୂମିକା ଚିରକାଳ ସ୍ମରଣୀୟ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ସୋଆ)ର କ୍ୟାମ୍ପସ-୨ ସମ୍ମିଳନୀ କକ୍ଷରେ ଆୟୋଜିତ ‘ସାରୋଳ ଦାସ ମହାଭାରଥ କର୍ଣ୍ଣାଦିଦଶପର୍ବ’ର ଲୋକାର୍ପଣ ଉତ୍ସବ‌‌‌ରେ ଆଜି ଅତିଥିମାନେ ଏଭଳି ମତ ରଖିଛନ୍ତି।

‘ସୋଆ’ର କୁଳପତି ଡା. ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସାହିତ୍ୟ ଅକାଦେମିର ସଭାପତି ଚନ୍ଦ୍ରଶେଖର କାମ୍ବର କହିଲେ ଯେ ସାରଳା ଦାସଙ୍କ ପରି ସନ୍ଥକବିମାନେ କେବଳ ସାହିତ୍ୟିକ କିମ୍ବା ଦାର୍ଶନିକ ନୁହନ୍ତି, ସେମାନେ ସମାଜ ସଂସ୍କାରକ ମଧ୍ୟ। ସେମାନେ ଶିକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ସହ ସଂସ୍କୃତିର ପ୍ରଚାରପ୍ରସାର ମଧ୍ୟ କରିଥାନ୍ତି। ମୁଖ୍ୟବକ୍ତା କେନ୍ଦ୍ର ସାହିତ୍ୟ ଅକାଦେମି ସଂପାଦକ କେ. ଶ୍ରୀନିବାସ ରାଓ କହିଲେ, ସାରଳା ଦାସ ଓଡ଼ିଆ ଭାଷାର ବିକାଶ ଚିନ୍ତା କରୁଥିଲେ।

ଏଥିସହ ସାହିତ୍ୟିକମାନେ କିଭଳି ଦାର୍ଶନିକ ହୋଇପାରିବେ, ସେନେଇ ମଧ୍ୟ ବାଟ ବତାଇ ଯାଇଛନ୍ତି ବୋଲି ସେ କହିଥିଲେ। ଭର୍ଚୁଆଲ୍‌ରେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ କହିଥିଲେ ଯେ ସାରଳା ଦାସଙ୍କ ପାଇଁ ଓଡ଼ିଆ ଆଜି ସାହିତ୍ୟ ଭାଷା ହୋଇପାରିଛି। ଅନ୍ୟତମ ଅତିଥି ଦାଶରଥୀ ଦାସ ସାରଳା ମହାଭାରତ ବିଷୟରେ ଆଲୋଚନା କରିଥିଲେ। ‘ସାରୋଳାଦାସ ମହାଭାରଥ’ ସଂପାଦନା ମଣ୍ଡଳୀ ସଦସ୍ୟ ପ୍ରଦୀପ କୁମାର ପଣ୍ଡା ଗ୍ରନ୍ଥ ଉପରେ ଆଲୋକପାତ କରିଥିବା‌ ବେଳେ ଗାୟତ୍ରୀବାଳା ପଣ୍ଡା ସ୍ବାଗତଭାଷଣ ଦେଇଥିଲେ। ଛାତ୍ର ମଙ୍ଗଳ ଡିନ୍‌ ଜ୍ୟୋତି ରଂଜନ ଦାସ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଦ୍ବିତୀୟ ଅଧିବେଶନରେ ‘ମହାଭାରତ ପାଠ-ଆଧାରିତ ସଂପାଦନା ବିମର୍ଶ’ ଉପରେ ଆଲୋଚନା କରାଯାଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି ହୃଷୀକେଶ ମଲ୍ଲିକ, ସାହିତ୍ୟିକ ଅସିତ୍‌ ମହାନ୍ତି, କୈଳାସ ଚନ୍ଦ୍ର ଦାଶ, ବୈଷ୍ଣବ ଚରଣ ମହାନ୍ତି, ଦୀପ୍ତିରଞ୍ଜନ ପଟ୍ଟନାୟକ, ସନ୍ତୋଷ କୁମାର ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଫଣୀନ୍ଦ୍ର ଭୂଷଣ ନନ୍ଦ କାର୍ଯ୍ୟକ୍ରମ ସଂଚାଳନା କରିଥିବା ବେଳେ ୟୁଓପି ନିର୍ଦ୍ଦେଶକ ନଚିକେତା ଶର୍ମା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର