ଜଟଣୀ: ଜଟଣୀ ପୌରପାଳିକାରେ ୪୦ବର୍ଷ ଧରି କାମ କରି ଆସୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ କେଦାର ନାଏକଙ୍କ କାର୍ଯ୍ୟକାଳ ବର୍ଷେ ତଳୁ ଶେଷ ହେଲାଣି। ଏହାସତ୍ତ୍ବେ ସେ ଚଳିତ ମାସ ପର୍ଯ୍ୟନ୍ତ ଅଫିସ୍ରୁ ଦରମା ଉଠାଉଥିଲେ। ଏପରିକି ଗତ ମାର୍ଚ୍ଚ ମାସରେ ତାଙ୍କର ଇନ୍କ୍ରିମେଣ୍ଟ ମଧ୍ୟ ହୋଇଛି। ପ୍ରତିମାସ ଦରମା ବାବଦକୁ ସେ ୪୧ ହଜାର ଟଙ୍କା ପାଉଥିଲେ। ତେବେ ଅବସର ସମୟ ଶେଷ ହେବା ପରେ ବି ଜଣେ କର୍ମଚାରୀ ବର୍ଷେ ହେଲା କିପରି ଚାକିରିରେ ଥିଲେ, ଆଉ ମାସିକ ବେତନ ମଧ୍ୟ ପାଉଥିଲେ, ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଏହାକୁ ନେଇ ପୌରପାଳିକାରେ ବଡ଼ଧରଣର ଦୁର୍ନୀତି ହୋଇଥିବା ନେଇ ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ୧୯୬୪ ଜୁଲାଇ ୭ ତାରିଖରେ ଜନ୍ମ ହୋଇଥିବା କେଦାର ପୌରପାଳିକାରେ ଝାଡ଼ୁଦାର ଭାବେ ନିଯୁକ୍ତି ପାଇଥିଲେ। ୨୦୨୪ ଜୁଲାଇ ୩୧ ତାରିଖରେ ସେ ଅବସର ନେଇଥାନ୍ତେ। ହେଲେ ସେ ବିଶେଷ ପାଠ ପଢ଼ି ନାହାଁନ୍ତି କି ଚାକିରିରୁ କେବେ ଅବସର ନେବେ ସେ ବାବଦରେ ତାଙ୍କୁ ଜଣା ନାହିଁ ବୋଲି ସ୍ବୀକାର କରିଛନ୍ତି। କିନ୍ତୁ ପୌରପାଳିକାରେ କାର୍ଯ୍ୟ କରୁଥିବା ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉଚ୍ଚଶିକ୍ଷିତ ହୋଇଥିଲେ ହେଁ ଏ ବାବଦରେ କିପରି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି। ଘଟଣା ଜଣାପଡ଼ିବା ପରେ ଗତ ୮ତାରିଖରେ ତାଙ୍କୁ ଚାକିରିରୁ ଅବସର ଦିଆଯାଇଛି। ଗତ ଏକ ବର୍ଷ ମଧ୍ୟରେ କେଦାର ଅଧିକ ଦରମା ବାବଦକୁ ୪ଲକ୍ଷ ୮୦ହଜାର ଟଙ୍କା ପାଇଛନ୍ତି। ଏହି ଅଧିକ ଦରମା ଫେରାଇବାକୁ ପୌରପାଳିକା ପକ୍ଷରୁ କେଦାରଙ୍କୁ ନୋଟିସ୍ କରାଯାଇଛି। ଅବସରକାଳୀନ ଫାଇଦା ବାବଦକୁ କେଦାର ୧ଲକ୍ଷ ୩୦ହଜାର ଟଙ୍କା ପାଇବେ। ହେଲେ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ଉକ୍ତ ଟଙ୍କା କିପରି ଭରଣା ହେବ ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି।
ପୌରପାଳିକା ପକ୍ଷରୁ କରାଯାଇଥିବା ନୋଟିସ୍ର ଜବାବ ମଧ୍ୟ ଦେଇଛନ୍ତି କେଦାର। ସେ ଲେଖିଛନ୍ତି, ଗତବର୍ଷ ଜୁଲାଇ ୩୧ ତାରିଖରେ ସେ ଅବସର ନେଇଥାନ୍ତେ। ହେଲେ ଅପାଠୁଆ ହୋଇଥିବାରୁ ଅବସର ସଂକ୍ରାନ୍ତରେ ସେ କିଛି ଜାଣି ନଥିଲେ, କି ବିଭାଗ ତରଫରୁ କିଛି ଜଣାଯାଇ ନଥିଲା। ତଥାପି ଅଧିକ ଦରମାକୁ ଅବସରକାଳୀନ ସୁବିଧାରୁ ଭରଣା କରିବାକୁ କୁହାଯାଇଛି। କିନ୍ତୁ ତାଙ୍କର କୌଣସି ଭୁଲ୍ ନଥିବାରୁ ସେ ଏହାକୁ ବିରୋଧ କରିଛନ୍ତି। ଯଦି ଏପରି କରାଯାଏ, ତାହେଲେ ସେ ଆଇନ୍ର ଆଶ୍ରୟ ନେବେ।
ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ରଶ୍ମିତା ନାଥ କହିଛନ୍ତି, ଏହି ଘଟଣା ଅଜାଣତରେ ହୋଇଛି। ଜାଣିବା ପରେ ତାଙ୍କୁ ଅବସର ଦିଆଯାଇଛି। ତେଣୁ ଏକ ବର୍ଷ ହେଲା ସେ ଅଧିକ ଦରମା ପାଇ ଆସୁଥିଲେ। ଏ ବାବଦରେ ଅଫିସ୍ର ବିଲିଂ ଆସିଷ୍ଟାଣ୍ଟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏଥିସହ ଟଙ୍କା କିଭଳି ଭରଣା ହେବ ସେ ବାବଦରେ ବିଭାଗକୁ ମଧ୍ୟ ଚିଠି ଲେଖାଯାଇଛି। ବିଭାଗରୁ ଭରଣା ପାଇଁ ଯାହା ନିର୍ଦ୍ଦେଶ ଆସିବ, ସେହି ଅନୁସାରେ କାମ କରିବୁ।
ଜଟଣୀ ପୌରପାଳିକାରେ ଦରମା ଦୁର୍ନୀତି
ଜଟଣୀ ପୌରପାଳିକାରେ ୪୦ବର୍ଷ ଧରି କାମ କରି ଆସୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ କେଦାର ନାଏକଙ୍କ କାର୍ଯ୍ୟକାଳ ବର୍ଷେ ତଳୁ ଶେଷ ହେଲାଣି। ଏହାସତ୍ତ୍ବେ ସେ ଚଳିତ ମାସ ପର୍ଯ୍ୟନ୍ତ ଅଫିସ୍ରୁ ଦରମା ଉଠାଉଥିଲେ।
/sambad/media/media_files/2025/07/12/lbgkidrj-2025-07-12-06-57-41.jpg)