ସାଲିଆସାହିରୁ ହଟିବ ବସ୍ତି, ଉଚ୍ଛେଦକୁ ବିରୋଧ ପାଇଁ ମେଳି

ଭୁବନେଶ୍ବର : ଦୀର୍ଘଦିନ ଧରି ବସ୍ତିବାସିନ୍ଦାଙ୍କ କବ୍‌ଜାରେ ଥିବା ସାଲିଆ ସାହିରୁ ଜବରଦଖଲ ହଟିବ। ଏଥିପାଇଁ ସମସ୍ତ ବ୍ୟବସ୍ଥା ସରିଛି। ବିଏମ୍‌ସି ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ଅବଗତ କରାଇ ଦିଆଯାଇଛି। ସୋମବାର ସକାଳୁ ବସ୍ତି ଭାଙ୍ଗିବା ପାଇଁ ବିଏମ୍‌ସି ପକ୍ଷରୁ ମାଇକ୍‌ରେ ଘୋଷଣା ମଧ୍ୟ କରାଯାଇଛି। ଏହାକୁ ସହଜରେ ଗ୍ରହଣ କରିନାହାନ୍ତି ବସ୍ତିବାସିନ୍ଦା। ବସ୍ତି ଉଚ୍ଛେଦ ହେଲେ ଜୋରଦାର ପ୍ରତିବାଦ କରାଯିବ। ଦରକାର ପଡ଼ିଲେ ପ୍ରଶାସନ ସହ ମୁହାଁମୁହିଁ ପରିସ୍ଥିତି ଉପୁଜି ପାରେ ବୋଲି ବସ୍ତିବାସିନ୍ଦା ଚେତାବନୀ ଦେଇଛନ୍ତି। ରବିବାର ସନ୍ଧ୍ୟାରେ ଆଞ୍ଚଳିକ କମିଟିର ଅଞ୍ଜନ ନାଥ, ସାଲ ମାରାଣ୍ଡି, ଜୟଦେବ ନାୟକ, ବିନୋଦ ସ୍ବାଇଁ, ରଘୁନାଥ ନାଥ ଓ ସନ୍ତୋଷ ଦାସଙ୍କ ନେତୃତ୍ବରେ ହଜାର ହାଜର ବସ୍ତିବାସିନ୍ଦା ଖେଳପଡ଼ିଆରେ ଏକାଠି ହୋଇ ବସ୍ତି ଉଚ୍ଛେଦକୁ ବିରୋଧ କରବା ପାଇଁ ବୈଠକ କରିଥିଲେ। ସେମାନଙ୍କୁ ଥଇଥାନ ଓ ୬ଶହ ବର୍ଗଫୁଟ୍‌ର ଜମି ଦେଲେ ଯାଇ ଉଚ୍ଛେଦକୁ ସମର୍ଥନ ଦିଆଯିବ ବୋଲି ଶ୍ରୀ ନାଥ କହିଛନ୍ତି। ନଚେତ ତ୍ରୀବ୍ର ବିରୋଧ କରାଯିବ ବୋଲି ସେମାନେ ଖୋଲାଖୋଲି ଚେତାବନୀ ଦେଇଛନ୍ତି।

ସୂଚନା ମୁତାବକ, ସାଲିଆସାହି ଦେଇ ୩ଟି ରାସ୍ତା ଯିବା ପାଇଁ ନକ୍ସା ପ୍ରସ୍ତୁତ ସରିଛି। ଗୋଟିଏ ନାଲ୍‌କୋରୁ ଏକାମ୍ର ପର୍ଯ୍ୟନ୍ତ ୨ଶହ ମିଟର ଚଉଡ଼ା ରାସ୍ତା ଓ ୨ଟି ଶହେ ମିଟର ଚଉଡ଼ା ପାଇଁ ଯୋଜନା ହୋଇଛି। ରାସ୍ତା ପାଇଁ ବସ୍ତି ବାଧକ ସାଜୁଥିବାରୁ ବସ୍ତିକୁ ହଟାଯିବ। ଏହାକୁ ଉଚ୍ଛେଦ ପାଇଁ ଯୋଜନା କରାଯାଇଛି। ଅନ୍ୟପଟେ ବସ୍ତିବାସିନ୍ଦା ପ୍ରତିବାଦ କରିବା ଆଶଙ୍କା ଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇ ବସ୍ତି ଉଚ୍ଛେଦ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର