ସାଲିଆସାହି ବୋମାମାଡ଼ ଘଟଣା: ୨୪ ଘଣ୍ଟା ପରେ ପୁଲିସ ହାତ ଖାଲି

ଭୁବନେଶ୍ବର: ସାଲିଆସାହି ଗୌଡ଼ପଡ଼ିଆ ନିକଟରେ ବୋମାମାଡ଼ ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ହେଁ ପୁଲିସ ଅଭିଯୁକ୍ତଙ୍କୁ ଧରିବା ଦୂରର କଥା, ଚିହ୍ନଟ ମଧ୍ୟ କରିପାରିନାହିଁ। ବୋମା ଫୁଟିବା ଯୋଗୁଁ ସାଲିଆସାହି ଲକ୍ଷ୍ମୀନଗର ଅଞ୍ଚଳର ରିଙ୍କୁ ସ୍ବାଇଁ ଗୁରୁତର ଆହତ ହୋଇଛନ୍ତି। କିନ୍ତୁ ବୋମା ଫିଙ୍ଗୁଥିବା ବେଳେ ସେ ଆହତ ହୋଇଛନ୍ତି ନା ତାଙ୍କ ଉପରକୁ କେହି ବୋମାମାଡ଼ କରିଛି, ତାହା ଏବେ ବି ଅସ୍ପଷ୍ଟ ରହିଛି। କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ରିଙ୍କୁଙ୍କ ଗୁରୁବାର ଅପରାହ୍‌ଣ ସୁଦ୍ଧା ଚେତା ଫେରିନଥିବାରୁ ପୁଲିସ ଏବେ ବି ଅନ୍ଧାରରେ ରହିଛି। ଅପରପକ୍ଷେ ଏହି ଘଟଣା ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ପୁଲିସ ତଦନ୍ତ ଆଗକୁ ବଢ଼ିବାରେ ସମସ୍ୟା ଦେଖାଦେଇଛି।

ପୁଲିସ ସୂଚନା ମୁତାବକ, ବୁଧବାର ରାତିରେ ସାଲିଆ ସାହିର ପ୍ରକାଶ ରେଡ୍ଡୀଙ୍କ ବାହାଘର ଥିଲା। ରିଙ୍କୁ ଏବଂ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସାଲିଆ ସାହିରୁ ସହିଦନଗର ପଥରବନ୍ଧ ବସ୍ତିକୁ ବରଯାତ୍ରୀ‌‌ରେ ଯାଇଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ରିଙ୍କୁ ସହ ସାଲିଆସାହିର ଏକ କ୍ଲବର କିଛି ଯୁବକଙ୍କ ପାଟିତୁଣ୍ଡ ହୋଇଥିଲା। କଥା କଟାକଟି ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ପରେ ରିଙ୍କୁ ସେଠାରୁ ରାଗି ପଳାଇଥିଲେ। ତେବେ ରାତି ପ୍ରାୟ ୧୨ଟାରେ ଗୌଡ଼ ପଡ଼ିଆ ନିକଟରେ ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ରିଙ୍କୁଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତାଙ୍କ ପାଖରେ ତାଙ୍କ ସ୍କୁଟି, ବୋମାର କିଛି ଅଂଶ ଓ ଚପଲ ପଡ଼ି ରହିଥିଲା। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲା।‌‌‌‌ ବୋମା କେମିତି ଫୁଟିଲା, କିଏ ଫୁଟାଇଲା; ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ତେବେ ରିଙ୍କୁଙ୍କ ଚେତା ଫେରିବା ପରେ ଘଟଣାର ଚିତ୍ର ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ ଆଶାବାଦୀ ରହିଛି।

ସମ୍ବନ୍ଧିତ ଖବର