ବର୍ଷକରେ ସାଲିଆ ସାହି ହେବ ଓଡିଏଫ୍‌ ବସ୍ତି

ଭୁବନେଶ୍ୱର: ରାଜଧାନୀର ସବୁଠୁ ବଡ଼ ବସ୍ତି ସାଲିଆ ସାହିକୁ ଓଡିଏଫ୍‌ ଅଞ୍ଚଳ ବା ବାହାରେ ମଳତ୍ୟାଗମୁକ୍ତ ଅଞ୍ଚଳ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ବର୍ଷକ ମଧ୍ୟରେ ସାଲିଆ ସାହିକୁ ଓଡ଼ିଏଫ୍‌ ବସ୍ତିରେ ପରିଣତ କରିବାକୁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଇଛି। ବିଏମ୍‌ସିର ସର୍ଭେ ଅନୁଯାୟୀ, ସାଲିଆ ସାହିରେ ଥିବା ଚାରିଟି ଓ୍ଵାର୍ଡ ୧୬, ୨୦, ୨୧ ଓ ୨୬ରେ ୩୯ଟି ବସ୍ତିି ଥିବା ବେଳେ ଏଥିରେ ପ୍ରାୟ ୧୪,୮୫୪ଜଣ ବାସ କରୁଛନ୍ତି। ଏଠାରେ ସ୍ୱଚ୍ଛ ଭାରତ ଅଭିଯାନରେ କେତେକ ଘରେ ପାଇଖାନା ନିର୍ମାଣ ହୋଇଥିଲେ ହେଁ ବସ୍ତିରେ ଏବେ ବି ଲୋକ ବାହାରେ ମଳତ୍ୟାଗ କରୁଛନ୍ତି। ଏପରିକି ବହୁ ଅଞ୍ଚଳ ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ଅଛି। ତେଣୁ ରାଜଧାନୀର ଏହି ପ୍ରମୁଖ ବସ୍ତି ଅଞ୍ଚଳକୁ ଓଡିଏଫ୍‌ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ଟେଣ୍ଡର ଆହ୍ଵାନ ହୋଇଛି। ବସ୍ତିରେ ପାଇଖାନା ନିର୍ମାଣ, ଗୋଷ୍ଠୀ ପାଇଖାନା, ଲୋକ ଯେପରି ଏହାର ବ୍ୟବହାର କରିବେ, ସେନେଇ ସଚେତନ କରିବା, ବିଭିନ୍ନ ସାମାଜିକ ବାର୍ତ୍ତା ଦେବାକୁ ଯୋଜନା ହୋଇଛି। ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରି କାର୍ଯ୍ୟାଦେଶ ଦିଆଯିବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱରକୁ ଓଡିଏଫ୍‌ ସହର କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଟାଉନ ଡିଷ୍ଟ୍ରିକ୍ଟ ସେଣ୍ଟରରେ ୨୪ଟି ବସ୍ତିକୁ ଓଡିଏଫ୍‌ ଘୋଷଣା କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସାଲିଆ ସାହିକୁ ବଛାଯାଇଛି। ଏହାପରେ ତୃତୀୟ ପର୍ଯ୍ୟାୟରେ ରାଜଧାନୀର ଅନ୍ୟ ବସ୍ତିଗୁଡ଼ିକୁ ଓଡିଏଫ୍‌ ବସ୍ତି କରାଯିବ। ଏଥିପାଇଁ ୬ ମାସ ଟାର୍ଗେଟ ରଖାଯାଇଛି। ଅକ୍ଟୋବର ୨୦୧୯ ପୂର୍ବରୁ ପୂରା ରାଜଧାନୀ ଓଡିଏଫ୍‌ ସହର ହେବ।

ସମ୍ବନ୍ଧିତ ଖବର