ଭୁବନେଶ୍ବର : ସାଲିଆ ସାହିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ ଦାୟୀ ବୋଲି ସାଲିଆ ସାହିର କୋଭିଡ୍ କମିଟି ଅଭିଯୋଗ କରିଛି। ସାଲିଆ ସାହିରେ ଥିବା ୪ଟି ୱାର୍ଡରେ କୋଭିଡ୍ କମିଟି ଗଠନ ହୋଇଥିବା ବେଳେ ଏହି କମିଟିର ଅଭିଯୋଗ ଓ ପ୍ରସ୍ତାବକୁ ବିଏମ୍ସିକୁ ଗ୍ରହଣ କରୁନି। ଏପରିକି ବିଏମ୍ସି କର୍ତ୍ତୃପକ୍ଷଙ୍କ ଅବହେଳା ଓ ମିଛ ପ୍ରଚାର ଯୋଗୁଁ ବସ୍ତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ବୋଲି କୁହାଯାଇଛି।
କୋଭିଡ୍ କମିଟି ଓ ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ଜୟଦେବ ନାୟକ, ରଘୁନାଥ ନାଥ, କବିତା ଭୂୟାଁ, ଝରଣା ରାଉତ, ଜୟନ୍ତୀ ଓଝା, ଲକ୍ଷ୍ମୀଧର ପାତ୍ର ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଏମ୍ସି କେବଳ କୋଭିଡ କମିଟି ଗଠନ କରି ଦାୟିତ୍ବହୀନ ଭାବେ ବସି ଯାଇଛି। ସାଲିଆସାହିକୁ ଗଞ୍ଜାମ, ଗଜପତି, ଯାଜପୁର, ବାଲେଶ୍ବର ଆଦି ଜିଲ୍ଲାରୁ ବହୁ ଶ୍ରମିକ କାମ ପାଇଁ ଆସି ରହୁଥିବାରୁ ସେମାନଙ୍କୁ ବସ୍ତିକୁ ନ ପୂରାଇବାକୁ କୋଭିଡ୍ କମିଟି ବିଏମ୍ସିର ଉତ୍ତର ଜୋନ୍ ଡେପୁଟି କମିସନରଙ୍କୁ କହିଥିଲା। କିନ୍ତୁ ରାଜଧାନୀରେ ବିଭିନ୍ନ କାମ ପାଇଁ ଶ୍ରମିକ ଅଭାବ ହେବ ବୋଲି କହି ବସ୍ତିରେ ହଟ୍ସ୍ପଟ୍ ଜିଲ୍ଲାରୁ ଆସୁଥିବା ଶ୍ରମିକଙ୍କୁ ରହିବାକୁ ଦେଇଥିଲେ। ସେଥିରୁ ଅଧିକାଂଶଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ନେଉନାହାନ୍ତି କି ସେମାନଙ୍କ ଉପରେ ନଜର ରଖୁନାହାନ୍ତି। ଯେଉଁମାନଙ୍କୁ ନେଉଛନ୍ତି, ସେମାନଙ୍କୁ ପେଟ ପୂରା ଖାଇବାକୁ ଦେଉନାହାନ୍ତି, କିଛି ଆବଶ୍ୟକ ସାମଗ୍ରୀ ଦେଉନାହାନ୍ତି। ସାଲିଆ ସାହିରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ନେଇ ବିଏମ୍ସି ଯେଉଁ ପ୍ରଚାର କରୁଛି ତାହା ମିଛ। ବିଏମ୍ସି ଯଦି ପ୍ରକୃତରେ ସଚେତନତା ସୃଷ୍ଟି କରିବ, ତେବେ ବସ୍ତିରେ କରୋନା ବ୍ୟାପିବନି।