ଚନ୍ଦ୍ରଶେଖରପୁର: ବହୁ ବର୍ଷ ଧରି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ସାଲିଆ ସାହି ବାସିନ୍ଦା ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ଡ୍ରେନ୍ ନିର୍ମାଣ, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ମଶାଙ୍କ ପ୍ରାଦୁର୍ଭାବ ଆଦି ବିଷୟକୁ ନେଇ ସାଲିଆ ସାହି ଆଞ୍ଚଳିକ କମିଟି ନେତୃତ୍ୱରେ ବସ୍ତିବାସିନ୍ଦାମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। କମିଟି ଆବାହକ ଅଞ୍ଜନ ନାଥଙ୍କ କହିବାନୁଯାୟୀ, ବସ୍ତିରେ ନିର୍ମାଣାଧୀନ ଡ୍ରେନ୍ଗୁଡ଼ିକ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଫଳରେ ରାସ୍ତା ଉପରେ ନର୍ଦ୍ଦମା ପାଣି ଜମା ହେଉଛି। ଅସରାଏ ବର୍ଷାରେ ଲୋକଙ୍କ ଘରେ ପାଣି ପଶୁଛି। ରାସ୍ତାଘାଟ ଅବସ୍ଥା ସଂଗିନ। ବସ୍ତିବାସିନ୍ଦାଙ୍କ ଅଭିଯୋଗ ଯେ ସାଲିଆସାହି ଭୁବନେଶ୍ୱରର ସବୁଠାରୁ ବଡ଼ ବସ୍ତି ହୋଇଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଏଠାକାର ଅନେକ ଗଳିକୁ ପକ୍କା ରାସ୍ତା ନାହିଁ। ଅଞ୍ଚଳବାସୀ ଡେଙ୍ଗୁ ଓ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଏମ୍ସି ପକ୍ଷରୁ ଧୂଆଁ ଗାଡ଼ି ବୁଲାଯାଉ ନାହିଁ। ଏପରିକି ବିଶୁଦ୍ଧ ପାନୀୟ ଜଳ ମିଳୁନି। ଏଠାରେ ଥିବା ପାଣି ଟାଙ୍କିଗୁଡ଼ିକ ସଫା ହେଉନି। ପାଣି ଆସୁଥିବା ସ୍ଥାନରେ ବ୍ଲିଚିଂ ପାଉଡର୍ ପକା ଯାଉ ନାହିଁ। ଏନେଇ ବାରମ୍ବାର ବିଏମ୍ସି କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମାଧାନ ଦିଗରେ ଧ୍ୟାନ ଦେଉ ନଥିବା ସେମାନେ କହିଛନ୍ତି। ଫଳରେ ଆନ୍ଦୋଳନକୁ ଓହ୍ଲାଇଛୁ, ଯଦି ଏହାପରେ ବି ପ୍ରଶାସନର ନିଦ ନ ଭାଙ୍ଗେ, ତେବେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବସ୍ତିବାସିନ୍ଦା ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଏବେ ଆନ୍ଦୋଳନକୁ ସମର୍ଥନ ମିଳିବାରେ ଲାଗିଛି। ସାଲିଆସାହି ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ଶ୍ରୀରାମନଗରରୁ ଶୋଭାଯାତ୍ରା ବାହାରି ଅନଶନସ୍ଥଳରେ ପହଞ୍ଚିବ।
ସାଲିଆ ସାହିରେ ପହଞ୍ଚୁନି ମୌଳିକ ସୁବିଧା
ଆମରଣ ଅନଶନରେ ବାସିନ୍ଦା
/sambad/media/post_attachments/wp-content/uploads/2018/08/m19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)