ସାଲିଆସାହିର ଆଦିବାସୀ ବାଳକଙ୍କ ମୃତ୍ୟୁ ଘଟଣା : ପରିବାରଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିସନଙ୍କ ନିର୍ଦେଶ

ଭୁବନେଶ୍ବର : ୨୦୧୭ ମସିହାରେ ସାଲିଆସାହି ଅଞ୍ଚଳର ଜଣେ ୧୪ବର୍ଷର ନାବାଳକ ନିଖୋଜ ହୋଇଯିବା ଓ ପରବର୍ତୀ ସମୟରେ ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ଘଟଣାରେ ରାଜ୍ୟ ମାନବାଧିକାର କମିସନ ପୀଡ଼ିତଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ନିର୍ଦେଶ ଦେଇଛନ୍ତି। ଆସନ୍ତା ୨ମାସ ମଧ୍ୟରେ ଏହି କ୍ଷତିପୂରଣ ପ୍ରଦାନ କରିବା ଲାଗି କମିସନ କହିଛନ୍ତି।

ସୂଚନା ଯେ, ୨ବର୍ଷ ତଳେ ସାଲିଆସାହିର ପବିତ୍ର ଦିଗାଲଙ୍କ ୧୪ବର୍ଷର ପୁଅ ନିଖୋଜ ହୋଇଯାଇଥିଲା। ଏ ସଂପର୍କରେ ସେ ନୂଆପଲ୍ଲୀ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ମାତ୍ର ସେତେବେଳେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଡିସିପିଙ୍କୁ ଭେଟି ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଏହି ଘଟଣାରେ କେବଳ ମାମଲା ପଞ୍ଜୀକରଣ କରିଦେଇ ଚୁପ୍ ବସିଥିଲା। ପରେ ପବିତ୍ର ତାଙ୍କ ପୁଅ ନିଖୋଜ ହେବା ସଂପର୍କରେ ଖବରକାଗଜରେ ବିଜ୍ଞାପନ ଦେଇଥିଲେ। ପରବର୍ତ୍ତୀ ସମୟରେ ପବିତ୍ର ତାଙ୍କ ପୁଅକୁ ସାଲିଆସାହିର ଏକ ମଇଳାଟାଙ୍କି ନିକଟରୁ ଦୁର୍ଘଟଣାରେ ଆହତ ଅବସ୍ଥାରେ ଠାବ କରାଯାଇଥିଲା। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ବାଳକଟି ପ୍ରାଣ ହରାଇଥିଲା। ସେତେବେଳେ କଟକ ମଙ୍ଗଳାବାଗ ପୁଲିସ ତରବରିଆ ଭାବେ ଶବକୁ ଦାହ କରି ଦେଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦେଶରେ କେନ୍ଦ୍ର ସରକାର ଯେଉଁ ଏସ୍‌ଓପି ଜାରି କରିଛି ତାହାକୁ ପୁଲିସ ପାଳନ କରି ନ ଥିବା କମିସନ ଦର୍ଶାଇଛନ୍ତି। ଏହି ଭିତ୍ତିରେ ପୀଡ଼ିତଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ କମିସନ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର