ରାଜଧାନୀ‌‌ରେ ସଲମାନ୍ କ୍ରେଜ୍‌

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ହକି ବିଶ୍ବକପ୍‌ ସେଲିବ୍ରେସନ୍‌ରେ ବଲିଉଡ୍ ସୁପରଷ୍ଟାର ତଥା ଦବଙ୍ଗ ଖାନ୍ ସଲମାନ୍‌ ଯୋଗଦେବା ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଥିଲେ। ସଲମାନ୍‌ଙ୍କୁ ଦେଖିବା ପାଇଁ ଆଜି ରାଜଧାନୀର ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସଲମାନ୍ ଅପରାହ୍‌ଣରେ ଭୁବନେଶ୍ବରରେ ପହଞ୍ଚିବା ପରେ ‌ଏଠାରୁ କାର୍‌ରେ କଟକ ଯିବାର କାର୍ଯ୍ୟକ୍ରମ ଥିବାରୁ ତାଙ୍କୁ ଦେଖିବାକୁ ପ୍ରଶଂସକମାନେ ବିମାନବନ୍ଦର ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ରୁଣ୍ଡ ହୋଇଥିଲେ। ଏପରିକି ଅପରାହ୍‌ଣ ୩ଟାରୁ ସଲମାନ୍‌ଙ୍କ ପ୍ରଶଂସକ ଭିଡ଼ ଜମାଇଥି‌ଲେ। ସଂଧ୍ୟା ୬ଟା ୩୦ରେ ସଲମାନ୍‌ ତାଙ୍କ ଚାର୍ଟାର୍ଡ ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ବିମାନବନ୍ଦରରୁ ବାହାରି ଗାଡ଼ିରେ ବସିବା ଭିତରେ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ। ସଲମାନ୍‌ଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ପ୍ରଶଂସକଙ୍କଠାରୁ ଦୂରେଇ ଗାଡ଼ିରେ ବସାଇଥିଲେ। ଏହାପରେ ସଲମାନ୍ ବାରବାଟୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁମ୍ବାଇ ଫେରି ଯାଇଥିବା ଜଣାପଡ଼ିଛି।

ସପିଂ କଲେ ମାଧୁରୀ

ଭୁବନେଶ୍ବର: ବଲିଉଡ୍‌ର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ୍ ମଙ୍ଗଳବାର କଳିଙ୍ଗ ଷ୍ଟାଡିମୟରେ ଆୟୋଜିତ ପୁରୁଷ ବିଶ୍ବକପ୍‌ ହକିର ଉଦ୍‌ଘାଟନୀ ଉତ୍ସବରେ ନୃତ୍ୟ ପରିବେଷଣ କରିବା ପରେ ଆଜି ମୁମ୍ବାଇ ଫେରି ଯାଇଛନ୍ତି। ମୁମ୍ବାଇ ଯିବା ପୂର୍ବରୁ ମାଧୁରୀ ମାଷ୍ଟରକ୍ୟାଣ୍ଟିନ୍‌ ଛକସ୍ଥିତ ଲାଲଚାନ୍ଦ ଜୁଏଲାରିରେ ସପିଂ କରିଛନ୍ତି। ମାଧୁରୀ ମଧ୍ୟାହ୍ନରେ ଲାଲ୍‌ଚାନ୍ଦ ଯାଇଥିବା ବେଳେ ସେଠାରେ ପ୍ରାୟ ୧୦ରୁ ୧୫ ମିନିଟ୍‌ ରହିଥିଲେ। ଏହି ସମୟରେ ସେ ରୁପା କାଉଣ୍ଟର ବୁଲିବା ସହ କଟକ ପ୍ରସିଦ୍ଧ ତାରକାସି କାମରେ ନିର୍ମାଣ ହୋଇଥିବା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ସମେତ ଗଣେଶ ଏବଂ ଜଗନ୍ନାଥଙ୍କ ଗୋଟିକିଆ ମୂର୍ତ୍ତି କିଣିଥିବା ଜଣାପଡ଼ିଛି। ଏହି ସମୟରେ ମାଧୁରୀ ୭୦ ହଜାର ଟଙ୍କାର ସପିଂ କରିଥିଲେ। ଏହାସହ ବିଭିନ୍ନ ଜୁଏଲାରି ମଧ୍ୟ ବୁଲି ଦେଖିଥିଲେ। ଅପରପକ୍ଷେ ମାଧୁରୀ ଲାଲ୍‌ଚାନ୍ଦ ଜୁଏଲାରିକୁ ପଶିବା ପରେ ଏହି ଖବର ବିଦ୍ୟୁତ ବେଗରେ ପ୍ରସାର ହୋଇଯାଇଥିଲା। ମାଧୁରୀଙ୍କୁ ପାଖରୁ ଦେଖିବା ପାଇଁ ମାଷ୍ଟରକ୍ୟାଣ୍ଟିନ ଛକରେ ତାଙ୍କ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ମାଧୁରୀ ଲାଲ୍‌ଚାନ୍ଦରୁ ବାହାରିବା ପରେ ସୋ’ରୁମ୍‌ ସାମ୍ନାରେ ଅସମ୍ଭାଳ ଭିଡ଼ ହୋଇଥିଲା। କିନ୍ତୁ ତାଙ୍କ ସୁରକ୍ଷାକର୍ମୀମାନେ ତାଙ୍କୁ ସୁରକ୍ଷିତ ଭାବେ ଗାଡ଼ିରେ ବସାଇ ଦେଇଥିଲେ। ଏହାପରେ ମାଧୁରୀ ସିଧା ବିଜୁ ପଟ୍ଟନାୟକ ବିମାନବନ୍ଦର ଯାଇ ସେଠାରୁ ମୁମ୍ବାଇ ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର