ବାରବାଟୀରେ ଭାଇଜାନ୍,ଏ.ଆର. ରହେମାନ୍

କଟକ: ବିଶ୍ବ କପ ହକିର ଉଦଘାଟନୀ ମ୍ୟାଚ ଆଜି ଅନୁଷ୍ଠିତ ହୋଇଥିଲା ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ। କିନ୍ତୁ ଏହାର ସେଲିବ୍ରେସନ ହୋଇଥିଲା କଟକର ବାରବାଟୀ ଷ୍ଟାଡିୟମରେ। ବାରବାଟୀ ପଡିଆ ଆଉ ଗ୍ୟାଲେରିରେ ଜମି ଥିଲା ଦର୍ଶକଙ୍କ ଖଚାଖଚ ଭିଡ। ଆଉ ଦର୍ଶକଙ୍କ ଭରପୁର ମନୋରଂଜନ କରିଥିଲେ ସଂଗୀତ ଜାଦୁଗର ଏ.ଆର. ରହେମାନ ଆଉ ବଲିଉଡର ଭାଇଜାନ, ସୁଲତାନ ସଲମାନ ଖାଁ।

ମୁଖ୍ୟମନ୍ତ୍ରୀଙ୍କ ହାତ ଧରି ଆଣିଲେ ସଲ୍‌ମାନ
୮ଟା ୧୬ରେ ମଞ୍ଚକୁ ଏଣ୍ଟ୍ରି କଲେ ବଲିଉଡ୍‌ ସୁପର‌୍‌ଷ୍ଟାର ସଲ୍‌ମାନ ଖାଁ। ମଞ୍ଚକୁ ପ୍ରଥମେ ଆସିବା ପରେ ଓଡ଼ିଆଙ୍କୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପରେ ସଲ୍‌ମାନ ମୁଖ୍ୟମନ୍ତ୍ରୀଙ୍କ ହାତ ଧରି ମଞ୍ଚ ଉପରକୁ ଆଣିଥିଲେ। ମଞ୍ଚରେ ମୁଖ୍ୟମନ୍ତ୍ରୀ ହସ ହସ ମୁହଁରେ ସଲ୍‌ମାନଙ୍କୁ କୁଣ୍ଢେଇ ପକାଇଥିଲେ। ମଞ୍ଚରେ ସଲମାନ ମୁଖ୍ୟମନ୍ତ୍ରୀଙ୍କ ଖୁବ୍‌ ପ୍ରଶ˚ସା କରିଥିଲେ।

ବାରବାଟୀ ଷ୍ଟାଡିୟମରେ ତାରା ଭ୍ରମ। ମୋବାଇଲ୍ ଫ୍ଲାସ୍‌ ଲାଇଟ୍‌ରେ ଚମକିଉଠିଲା ପୂରା ପରିବେଶ। ପ୍ରଖ୍ୟାତ ସଂଗୀତଜ୍ଞ ସ୍ବର ସମ୍ରାଟ୍‌ ଏ.ଆର୍. ରହେମାନ୍‌ଙ୍କ ସୋ’ରେ ଆଜି ଏଭଳି ପରିବେଶ ଦେଖିବାକୁ ମିଳିଥିଲା। ତା’ସାଂଗକୁ କାର୍ଯ୍ୟକ୍ରମ ମଧ୍ୟଭାଗରେ ବଲିଉଡ୍‌ର ଭାଇଜାନ ସଲମାନ୍‌ ଖାଁଙ୍କ ମଞ୍ଚକୁ ଗ୍ରାଣ୍ଡ ‌ଏଣ୍ଟ୍ରି ଦର୍ଶକଙ୍କ ଉତ୍କଣ୍ଠାକୁ ଆହୁରି ବଢ଼ାଇ ଦେଇଥିଲା। ସଲମାନ୍‌…ସଲମାନ୍‌… ନାରାରେ ଦର୍ଶକ ମାନେ ଦବଙ୍ଗ ଖାନଙ୍କୁ ସ୍ବାଗତ କରିବା ସହ ମୋବାଇଲ୍ ଫ୍ଲାସ୍‌ ଲାଇଟ୍‌ ଜ‌ଳାଇ ଶୁଭେଚ୍ଛା ଜଣାଇଥିଲେ। ସଲମାନ୍‌ ବି ଦର୍ଶକଙ୍କୁ ନିରାଶ କରି ନଥିଲେ। ଓଡ଼ିଆରେ ସ‌ମ୍ବୋଧନ କରିବା ସହ ଦୁଇ ପଦ ଗୀତ ବି ଗାଇଥିଲେ।

ରଙ୍ଗବତୀ, ପୁଚୁକି ଗାଲି..
ଜୟ ଜଗନ୍ନ‌ାଥ…,ନମସ୍ତେ ଭଲରେ ଥାନ୍ତୁ ସମସ୍ତେ….କହି ଅପରାହ୍ନ ୪ଟା ୫୦ରେ ସଲମାନ ଖାନ୍‌ ଓ ଏ.ଆର.ରହମାନଙ୍କ କାର୍ଯ୍ୟକ୍ରମକୁ ଶୁଭ ଆରମ୍ଭ କରିଥିଲେ ଅଭିନେତା କୁନା ତ୍ରପାଠୀ। ମଞ୍ଚ ପରିଚାଳନା କରିବାକୁ କୁନା ତ୍ରିପାଠୀଙ୍କ ସହିତ ସାଙ୍ଗରେ ଥିଲେ ସୁଲଗ୍ନା ରାଉତରାୟ। ଏହାପରେ ସ୍ବରାଜ ବାରିକ ଓ ତମନା ଫାଷ୍ଟ ଟାଇମ୍‌ ଗୋଟେ ଝିଅକୁ..ଗୀତରେ ନାଚିଥିଲେ। ପରେ ପରେ ଏଲିନା ଇସ୍କ ତୁ ହି ତୁ.., ଆଶୁତୋଷ ଓ ଦୀପ୍ତି ରହିଯା ରଘୁଆ ଖାଇକି ଯିବୁ ଓ ବୋଉ ମାରିବ ଗୀତରେ ନାଚି ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଏହାପରେ ଭୂମିକା, ଜ୍ୟୋତି, ଶିବାନୀ ପ୍ରମୁଖ ଓଡ଼ିଆ ଗୀତରେ ନାଚିଥିଲେ। ଶେଷରେ ସୋନମ ଦାଶ ରଙ୍ଗବତୀ ଓ ପୁଚୁକି ଗାଲି ଗୀତ ଗାଇଥିଲେ।

ମଞ୍ଚକୁ ଚଢ଼ିଗଲେ ଫ୍ୟାନ୍‌
ବଲିଉଡ୍‌ର ଦବଙ୍ଗ ଖାନ୍‌ ରୂପେ ପରିଚିତ ସଲମାନ୍‌ ଖାଁ କ୍ରେଜ୍‌ ସାରା ଦେଶରେ ରହିଛି। ତାଙ୍କୁ ନିକଟରୁ ଦେଖିବା ପାଇଁ ଦର୍ଶକ ମାନେ ପାଗଳ ପ୍ରାୟ। ଆଉ ଆଜି ଏହାର ଝଲକ ବି ବାରବାଟୀରେ ଦେଖିବାକୁ ମିଳିଲା। ସଲମାନ୍‌ ମଂଚକୁ ପ୍ରବେଶ କରିବା ମାତ୍ରେ ଦର୍ଶକ ମାନେ ତାଙ୍କ ପାଖକୁ ଯିବା ପାଇଁ ବ୍ୟାକୁଳ ହୋଇ ଉଠିଥିଲେ। ଆଉ ନିଜକୁ ସମ୍ଭ‌ାଳି ନପାରି ଅନେକ ଫ୍ୟାନ୍‌ ମଂଚ ନିକଟକୁ ଦୌଡ଼ି ଯାଇ ମୋବାଇଲ୍‌ରେ ତାଙ୍କ ଫଟୋ ଉଠାଇଥିଲେ। କେହି କେହି ଦୂରରେ ରହି ବି ସେଲ୍‌ଫି ନେବା ସୁଯୋଗକୁ ହାତଛଡ଼ା କରିନଥିଲେ। ୟା’ରି ଭିତରେ ଜଣେ ଫ୍ୟାନ୍‌ କିନ୍ତୁ ମଂଚ ଉପରକୁ ଚଢ଼ି ସଲମାନ୍‌ଙ୍କ ପାଦ ଛୁଇଁ ତଳକୁ ଡେଇଁ ପଡ଼ିଥିଲା। ଅବଶ୍ୟ ତା’ପରେ ପୁଲିସ ତାଙ୍କୁ କାବୁ କରି ନେଇଥିଲେ।

ଗ୍ୟାଲେରୀରେ ତାରା
ବାରବାଟୀ ଷ୍ଟାଡିୟମରେ ତାରା ଭ୍ରମ। ମୋବାଇଲ୍ ଫ୍ଲାସ୍‌ ଲାଇଟ୍‌ରେ ଚମକିଉଠିଲା ପୂରା ପରିବେଶ। ପ୍ରଖ୍ୟାତ ସଂଗୀତଜ୍ଞ ସ୍ବର ସମ୍ରାଟ୍‌ ଏ.ଆର୍. ରହେମାନ୍‌ଙ୍କ ସୋ’ରେ ଆଜି ଏଭଳି ପରିବେଶ ଦେଖିବାକୁ ମିଳିଥିଲା। ତା’ସାଂଗକୁ କାର୍ଯ୍ୟକ୍ରମ ମଧ୍ୟଭାଗରେ ବଲିଉଡ୍‌ର ଭାଇଜାନ ସଲମାନ୍‌ ଖାଁଙ୍କ ମଞ୍ଚକୁ ଗ୍ରାଣ୍ଡ ‌ଏଣ୍ଟ୍ରି ଦର୍ଶକଙ୍କ ଉତ୍କଣ୍ଠାକୁ ଆହୁରି ବଢ଼ାଇ ଦେଇଥିଲା। ସଲମାନ୍‌…ସଲମାନ୍‌… ନାରାରେ ଦର୍ଶକ ମାନେ ଦବଙ୍ଗ ଖାନଙ୍କୁ ସ୍ବାଗତ କରିବା ସହ ମୋବାଇଲ୍ ଫ୍ଲାସ୍‌ ଲାଇଟ୍‌ ଜ‌ଳାଇ ଶୁଭେଚ୍ଛା ଜଣାଇଥିଲେ। ସଲମାନ୍‌ ବି ଦର୍ଶକଙ୍କୁ ନିରାଶ କରି ନଥିଲେ। ଓଡ଼ିଆରେ ସ‌ମ୍ବୋଧନ କରିବା ସହ ଦୁଇ ପଦ ଗୀତ ବି ଗାଇଥିଲେ।

 

ବାଲିଯାତ୍ରା କେମିତି ଚାଲିଛି…ଦହିବରା-ଆଳୁଦମ୍‌ ଖାଇବି…?
ଓଡ଼ିଶାବାସୀଙ୍କୁ ମୋର ନମସ୍କାର ! ଜୟ ଜଗନ୍ନାଥ ! ବାଲିଯାତ୍ରା କେମିତି ଚାଲିଛି? ଏଠାକାର ଆଳୁଦମ୍‌ ଦହିବରା ଖାଇବି। ମୁଁ ତୁମକୁ ଭଲ ପାଏ…। ବଲିଉଡ୍‌ ସୁପରଷ୍ଟାର ତଥା ଭାଇଜାନ୍‌ ସଲ୍‌ମାନ ଖାଁଙ୍କ ଓଡ଼ିଆରେ ଏଇ କଥା ପଦକରେ କମ୍ପି ଉଠିଥିଲା ବାରବାଟି ଷ୍ଟାଡିୟମ୍‌। ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଗାଇଥିଲେ, ପେହେଲ୍‌ ବାର‌୍‌ ମିଲେ ହେଁ… ମିଲତି ହେଁ..। ସଲ୍‌ମାନ ସଲ୍‌ମାନରେ ଷ୍ଟାଡିୟମ୍‌ କମ୍ପି ଉଠିଥିଲା।

୪ ହଳ କୁର୍ତ୍ତା-ପାଇଜାମା, ୨ ହଳ କୋହ୍ଲାପୁରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡିଥିଲେ ଅଭିନେତା ସଲମାନ ଖାଁ। ସଲମାନ କହିଥିଲେ, ଗଲା ୧୮ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଥିବା ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଯାହା କରିଛନ୍ତି, ହକି ବିଶ୍ବ କପ ଆୟୋଜନ ତାହାର ଏକ ପ୍ରତିଫଳନ। ମୁଖ୍ୟମନ୍ତ୍ରୀଙ୍କର ମାତ୍ର ୪ ହଜ କୁର୍ତ୍ତା ପାଇଜାମା ଓ ଦୁଇ ହଳ କୋହ୍ଲାପୁରୀ ଚପଲ ଅଛି। ଏଭଳି ଜଣେ ବ୍ୟକ୍ତି ନିଆରା ବୋଲି ସଲମାନ କହିଥିଲେ।

ବାହାରେ କଟକଣା, ଭିତରେ ଦୁଇ ଗୁଣା
ଷ୍ଟାଡିୟମ ଭିତରକୁ ପାଣି ବୋତଲ, ଶୁଖିଲା ଖାଦ୍ୟ, କ୍ୟାମେରା ଠାରୁ ଖୁଚୁରା ପଇସା ନେବା ପାଇଁ ପୁୁଲିସ ବାରଣ କରୁଥିଲା। ମାତ୍ର ପଡିଆ ଭିତରେ ଚା, କଫି, ପପ୍‌କର୍ଣ୍ଣ, ପେଟିସ୍‌, ଥଣ୍ଡା, ପାଣି ବୋତଲ ସବୁ କିଛି ଦୁଇ ଗୁଣା ଅଧିକ ଦରରେ ବିକ୍ରି ହୋଉଥିଲା। ଷ୍ଟାଡିୟମ ବାହାରେ ପାଣି ବୋତଲ ୨୦ଟଙ୍କାରେ ବିକ୍ରି ହେଉ ଥିବା ବେଳେ ଭିତରେ ୫୦ ଟଙ୍କା, ଥଣ୍ଡା ୩୦ ବଦଳରେ ୬୦ ଟଙ୍କା, ଚା ଓ କଫି ୧୦ ଜାଗାରେ ୩୦ଟଙ୍କା, ଚିକେନ୍‌ ପେଟିସ୍‌ ୪୦ ବଦଳରେ ଶହେ ଟଙ୍କାରେ ବିକ୍ରି ହେଉଥିଲା। ଗେଟ୍‌ ପାଖରେ ମନା କରୁଥିବା ପୁଲିସ ପଡିଆରେ କିନ୍ତୁ ପୁରା ଚୁପ ରହିଥିଲା। ପଡିଆରେ ଖାଦ୍ୟ ଯୋଗଇବାକୁ କୋଲକୋତାର ଏକ କମ୍ପାନି ଠିକା ନେଇଥିବା ବେଳେ ଦୁଇଗୁଣାରୁ ଅଧିକ ଟଙ୍କା ଦେଇ ଜିନିଷ କିଣୁଥିବା ଦର୍ଶକ କିଛି ବୁଝିପାରୁ ନଥିଲେ।

ଦେଖି ପାରିଲେନି ହକି ଉଦ୍‌ଘାଟନୀ ମ୍ୟାଚ୍
ବିଶ୍ବ କପ ହକି ସେଲିବ୍ରେସନ ସମୟରେ ବାରବାଟୀ ଷ୍ଟାଡିୟମ ପରିସରରେ ଲାଗି ଥିବା ବଡ ପରଦାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଉଦଘାଟନୀ ମ୍ୟାଚର ଝଲକ ଦେଖିବାକୁ ମିଳିବ ବୋଲି ପୂର୍ବରୁ ସୂଚନା ଦିଆଯାଇଇଥିଲା। କିନ୍ତୁ ଆଜି କାର୍ଯ୍ୟକ୍ରମ‌ ଭିତରେ ହକି ମ୍ୟାଚ ସଂପର୍କିତ କୌଣସି ସୂଚନା ଦର୍ଶକଙ୍କୁ ମିଳି ନଥିଲା। ମ୍ୟାଚ ସଂପର୍କରେ କୌଣସି ସୂଚନା ଦିଆଯାଉ ନଥିବାରୁ ଅନେକ ହକି ପ୍ରେମୀ ନିରାଶା ବ୍ୟକ୍ତ କରିଥିଲେ।

ବିଶ୍ବକପ୍‌ ବିଜେତାଙ୍କୁ ସମ୍ବର୍ଧନା ବେଳେ ସରିଗଲା ଟ୍ରଫି
୧୯୭୫ ହକି ବିଶ୍ବକପ୍ ବିଜେତାଙ୍କୁ ସମ୍ବର୍ଧନା ଦିଆଗଲା ବେଳେ ସରିଗଲା ଟ୍ରଫି। କିଛି ଖେଳାଳି ଉତ୍ତରୀୟ ନେଇ ସନ୍ତୁଷ୍ଟ ହେଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଚରେ ଜଣ ଜଣ କରି ସବୁ ଖେଳାଳିଙ୍କୁ ସମ୍ବର୍ଧିତ କରୁଥିଲେ। ହେଲେ ଶେଷ ଚାରି ପାଞ୍ଚ ଜଣ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେଲା ବେଳକୁ ଟ୍ରଫି ସରି ଯାଇଥିଲା। ସେମାନଙ୍କୁ କେବଳ ଉତ୍ତରୀୟ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଏହାପରେ ଚେୟାର୍‌ ବସି ପଡ଼ିଥିଲେ। ଅବଶ୍ୟ ପରେ ଦୁଇଟି ଟ୍ରଫି ଆସି ଖେଳାଳିଙ୍କୁ ଦିଆଯାଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର