ବାଲିଅନ୍ତା/ଚନ୍ଦ୍ରଶେଖରପୁର : ଦିନ ଥିଲା ବାରିକ ପରିବ‌ାର ଗାଁକୁ ଗାଁ ବୁଲି ନିଜର କୁଳ ବେଉସା କରୁଥିଲେ। ମୁଣାରେ ଖୁର, କତୁରି, ସାବୁନ୍‌ ଓ ପାଣି ବୋତଲ ଧରି ଗ୍ରାମରେ ଲୋକଙ୍କୁ ସେବା ପ୍ରଦାନ କରୁଥିଲେ। ପର୍ବ, ପାର୍ବଣ, ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଭଳି ସାମାଜିକ କାର୍ଯ୍ୟ ମଧ୍ୟ କରୁଥିଲେ। ବର୍ଷ ଶେଷକୁ ସେବା କାର୍ଯ୍ୟ ବାବଦରେ ଲୋକଙ୍କଠାରୁ ଧାନ, ଟଙ୍କା ଏବଂ ଲୁଗାପଟା ଆଦି ସାମଗ୍ରୀ ବର୍ତ୍ତନ ନେଉଥିଲେ। ହେଲେ ଗତ କିଛି ବର୍ଷ ମଧ୍ୟରେ ପରିସ୍ଥିତି ବଦଳି ଯାଇଛି। ପରିବର୍ତ୍ତିତ ସମୟ ଅନୁସାରେ, ନୂତନପିଢ଼ିର ଯୁବକମାନେ ଏଥିରୁ ପାଦ‌େ ଆଗେଇ ବିଭିନ୍ନ ଛକ ବଜାର ଓ ସହରରେ ସେଲୁନ୍‌ କରି ଗୁଜୁରାଣ ମେଣ୍ଟାଉଥିଲେ। ରୋଜଗାର ବଢ଼ିଲା। କିନ୍ତୁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ପୁଣି ସେହି ବୃତ୍ତିଧାରୀମାନେ ଗାଁମୁହାଁ ହୋଇଛନ୍ତି। ଦୀର୍ଘ ୩ ସପ୍ତାହ ଧରି ସେମାନଙ୍କ ସେଲୁନ୍‌ରେ ତାଲା ଝୁଲୁଛି। ତେଣୁ ରୋଜଗାର ଆଶାରେ ସେମାନେ ଗାଁ ଗାଁ ବୁଲି ଲୋକଙ୍କ ଚୁଟି କାଟିବାଠାରୁ ଆରମ୍ଭ କରି ଖିଅର କରୁଛନ୍ତି।

Advertisment

ଖାଲି ବାଲିଅନ୍ତା ବ୍ଲକ ନୁହେଁ, ରାଜ୍ୟର ଅନ୍ୟ ସମସ୍ତ ଗ୍ରାମାଞ୍ଚଳରେ ଅନୁରୂପ ଢ଼ଙ୍ଗରେ ସେବା କାର୍ଯ୍ୟ ଚାଲିଥିବା ଜଣାଯାଇଛି। ସତେ ଯେମିତି କରୋନା ସଂକ୍ରମଣ ଭୟ ସଂପୃକ୍ତ ସେବାକାରୀଙ୍କ ଲାଗି ସେମାନଙ୍କ ପୁରୁଣା ଦିନ ଫେରାଇ ଆଣିଛି। ସେଲୁନ୍‌ ବନ୍ଦ ରହିବା ଫଳରେ ଲୋକମାନେ ହୀନସ୍ତା ହେଉଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ବି ଦେଖାଦେଇଛି। ଅନ୍ୟପକ୍ଷରେ ଏହି ବ୍ୟବସାୟୀମାନେ କିଛିଦିନ ହାତବାନ୍ଧି ବସିବା ପରେ ଏବେ ସେମାନଙ୍କୁ ଗ୍ରାମ ସେବା ସୁହାଇଛି। ମାତ୍ର ଦୋକାନରେ ଯେଭଳି ଗହଳି ଜମୁଥିଲା, ତାହା ରହୁନାହିଁ। ଲୋକମାନେ ସାମାଜିକ ଦୂରତା ରକ୍ଷା କରି ଖିଅର ହେଉଛନ୍ତି। ବାଳକାଟି ବଜାରର ଜଣେ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଦୋକାନ ବନ୍ଦ ଯୋଗୁଁ ୫ ପ୍ରାଣୀଙ୍କ ମୁହଁରେ ଦାନା ଦେବା ସମ୍ଭବ ହେଉନାହିଁ। ଲୋକମାନେ ବି ହଇରାଣ ହେଉଛନ୍ତି। ବାହାରେ ବୁଲିଲେ ପୁଲିସ୍‌ ଡର। କିନ୍ତୁ ଗାଁ ସେବାରେ କିଛି ସମସ୍ୟା ନାହିଁ।

ସେହିଭଳି ମହିଳା ବିୟୁଟି ପାର୍ଲର୍‌ ମଧ୍ୟ ବନ୍ଦ ଥିବାରୁ ମହିଳାମାନେ ବ୍ୟିୁଟିସିଆନ୍‌ମାନଙ୍କୁ ଫୋନ୍ ଯୋଗ‌େ ଯୋଗାଯୋଗ କରି ନିଜ ଘରକୁ ଡ଼ାକି ଚୁଟି କାଟିବା, ଆ‌ଇ ବ୍ରୋ’ ଡ୍ରେସିଂ ହେବା, ଫେସ୍‌ୱାସ୍‌ କରୁଛନ୍ତି। ଏସବୁ ବାବଦକୁ ବ୍ୟିୁଟିସିଆନମାନେ ହୋମ୍ ଡେଲିଭରି ଫି’ ବାବଦକୁ ଅଧିକ ଦି’ ପଇସା ନେଉଛନ୍ତି। ବାରିକ ମହାସଂଘର ସଭ୍ୟ ପୀତାମ୍ବର ବାରିକଙ୍କ କହିବା ଅନୁଯାୟୀ, ସରକାର ସେଲୁନ୍ ‌ବ୍ୟବସାୟୀମାନଙ୍କୁ ତେଜରାତି ଓ ପନିପରିବା ବ୍ୟବସାୟୀଙ୍କ ଭଳି ଦୋକାନ ଖୋଲିବା ନେଇ ଅନୁମତି ଦେବା ଉଚିତ। ଫଳରେ ବ୍ୟବସାୟୀମାନେ କିଛି ରୋଜଗାର କରିପାରିବେ। ଅମିତ ବାରିକଙ୍କ କହିବା କଥା ହେଲା, ସବୁ ଦିନ ନହେଲେ ନାହିଁ, ସପ୍ତାହକୁ ଦୁଇ ଦିନ ତିନି ଦିନ ଚୁଟିକଟା ଦୋକାନ ଖୋଲିବା ପାଇଁ ଅନୁମତି ଦିନଆଯାଉ। ତେବେ ବ୍ୟବସାୟୀମାନେ ଗ୍ରାହକମାନେ କିଭଳି ସାମାଜିକ ଦୂରତା ରକ୍ଷା କରିବେ, ତାହା ସୁନିଶ୍ଚିତ କରାଇବେ।