ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରତିବାଦରେ ସମାଜବାଦୀ ପାର୍ଟିର ବିକ୍ଷୋଭ

ଭୁବନେଶ୍ୱର: ସମ୍ଭାବ୍ୟ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଆଜି ବିଧାନସଭା ସମ୍ମୁଖରେ ସମାଜବାଦୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ପାର୍ଟି ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କୁ ୬ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୋଗ ଅନୁସାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ଗ୍ରିଡ୍‌କୋର ଆର୍ଥିକ କ୍ଷତି ଭରଣା କରିବା ପାଇଁ ଏଭଳି ଶୁଳ୍କ ବୃଦ୍ଧି କରିବାକୁ ଯୋଜନା କରିଛି। ତେଣୁ ବିଦ୍ୟୁତ୍‌ ଶୁଳ୍କ ୟୁନିଟ୍‌ ପିଛା ବୃଦ୍ଧି ହେବାର ସମ୍ଭାବନା ରହିଛି। ଓଇଆରସିର ଏହି ନିଷ୍ପତ୍ତିକୁ ରାଜ୍ୟରେ ବିଦ୍ୟୁତ୍‌ ବିତରଣ କରୁଥିବା କମ୍ପାନିମାନେ ଏପ୍ରିଲ ୧ ତାରିଖରୁ କାର୍ଯ୍ୟକାରୀ କରିବେ। ଫଳରେ କରୋନା ମହାମାରୀ ସଂକଟ ସମୟରେ ଓଡ଼ିଶାବାସୀଙ୍କୁ ବର୍ଦ୍ଧିତ ବିଦ୍ୟୁତ୍‌ ଶୁଳ୍କର ବୋଝ ବୋହିବାକୁ ପଡ଼ିବ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସଭାପତି ରବି ବେହେରା କହିଛନ୍ତି। ତେଣୁ ଆଜି ବିକ୍ଷୋଭ‌ ପ୍ରଦର୍ଶନ ବେଳେ ସମ୍ଭାବ୍ୟ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ବନ୍ଦ କରିବା, ବିଦ୍ୟୁତ୍‌ ସଂସ୍କାର ଦିନଠାରୁ କମ୍ପାନିମାନଙ୍କର ଆୟବ୍ୟୟ ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରିବା ଓ ଉପଭୋକ୍ତାମାନଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ୍‌ ଶକ୍ତି ଯୋଗାଇ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର