ମହାନଦୀ ଜଳ ବିବାଦ ନେଇ ସମାଜବାଦୀ ପାର୍ଟିର ନିରବ ବିକ୍ଷୋଭ

ଭୁବନେଶ୍ୱର : ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ପରିପ୍ରେକ୍ଷୀରେ ଆଜି ସମାଜବାଦୀ ପାର୍ଟି ଓଡ଼ିଶା ଶାଖା ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ନିରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟିର କର୍ମକର୍ତା ଏଥିରେ ସାମିଲ ହେବା ସହିତ ସୁପ୍ରିମକୋର୍ଟରେ ଓଡ଼ିଶାକୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ।

ଦଳର କହିବାନୁଯାୟୀ, ଗତ ନଭେମ୍ବର ୧୯ତାରିଖରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଲାଗିଥିବା ଜଳ ବିବାଦକୁ ନେଇ ମହାନଦୀ ଟ୍ରିବ୍ୟୁନାଲ ଗଠନ ଦାବି କରି କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ। ତତ୍କାଳନୀ କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲିଆନ ସଂସଦରେ ଏହି ପ୍ରସଙ୍ଗ ଉପରେ ଟିପ୍ପଣୀ ଦେଇଥିଲେ। ଦୁଇ ରାଜ୍ୟ ମଧ୍ୟରେ ସମସ୍ତ ବୁଝାମଣା ବିଫଳ ହୋଇଥିବାରୁ କେନ୍ଦ୍ର ଟ୍ରିବ୍ୟୁନାଲ ଗଠନ ଏକମାତ୍ର ରାସ୍ତା ବୋଲି ସେ କହିଥିଲେ। ମାତ୍ର କେନ୍ଦ୍ର ସରକାର ମହାନଦୀ ଜଳ ଟ୍ରିବ୍ୟୁନାଲ ଗଠନ କଲେ ନାହିଁ। ରାଜ୍ୟ ସରକାର ମହାନଦୀ ବିବାଦର ସମାଧାନ ପାଇଁ ଅସହଯୋଗ କରିଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦେଇ ଓଡ଼ିଶା ଉପରେ ଦୋଷ ଲଦିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ସତ୍ୟପାଠ ଓଡ଼ିଶାର ସ୍ୱାଭିମାନ ପାଇଁ ଅପମାନ। ତେଣୁ ସୁପ୍ରିମକୋର୍ଟ ରାଜ୍ୟକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦଳ ଦାବି କରିଛି। ବିକ୍ଷୋଭରେ ସୁଦର୍ଶନ ପ୍ରଧାନ, ବିଜୟ ବେହେରା, ପ୍ରଦୀପ ମିଶ୍ର, ସଂଜୟ ନାୟକ, ସୁବ୍ରତ ଲେଙ୍କା, ଦୀପଦାସ ଯାଦବ ଓ ସାବିତ୍ରୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର