ଭୁବନେଶ୍ବର: ବୟସ ମାତ୍ର ୧୦। ପଞ୍ଚମ ଶ୍ରେଣୀର ଛାତ୍ର। କିନ୍ତୁ ଚପଳମତି ମନରେ ଭରି ରହିଛି ଶିଶୁରୋଗୀଙ୍କ ପାଇଁ ଅସରନ୍ତି ଦରଦ। ବି‌ଶେଷକରି ଅଟିଜିମ୍‌ ପୀଡ଼ିତଙ୍କ ପାଇଁ ସେବା ପାଇଁ ତାଙ୍କ ମନରେ ରହିଛି ଅସୀମ ଉତ୍ସାହ। ତେଣୁ କୁନି ହାତରେ ତିଆରି କରୁଥିବା ସୁନ୍ଦର ଚିତ୍ରକଳାକୁ ବିକ୍ରି କରି ସେ ଅଟିଜିମ୍‌ ପୀଡ଼ିତଙ୍କ ପାଇଁ ଅର୍ଥ ଦାନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଭଳି ବିରଳ ପ୍ରୟାସ କରିଥିବା କୁନି ଚିତ୍ରଶିଳ୍ପୀ ହେଉଛନ୍ତି ସମରବୀର ରାୟ ଯୋଶୀ।

Advertisment

ଆଜି ବରମୁଣ୍ଡାସ୍ଥିତ ଜୈନ ଫାଉଣ୍ଡେସନଠାରେ ସମରବୀରଙ୍କର ଆବ୍‌ଷ୍ଟ୍ରାକ୍ଟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମରବୀରଙ୍କ ଦ୍ବାରା ଅଙ୍କିତ ୩୪ଟି ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ସେ ଅଏଲ୍ ପେଣ୍ଟିଂ, ଫ୍ରୁଟ୍ ପେଣ୍ଟିଂ, ଓ୍ବାଟର୍‌ ପେଣ୍ଟିଂ କରିଛନ୍ତି। ଯେଉଁଥିରେ ଗଣେଶ, ତ୍ରିରଙ୍ଗା, ପରିବେଶ, କୁଡ଼ିଆ ଘର ଭଳି ଅନେକ ଆକର୍ଷଣୀୟ ଚିତ୍ର ରହିଛି। ଆଜି ତାଙ୍କର ୨୨ଟି ଚିତ୍ର ବିକ୍ରି ହୋଇଛି। ଚିତ୍ରଗୁଡ଼ିକର ମୂଲ୍ୟ ୮ଶହ ଟଙ୍କାରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିଲା। ତାଙ୍କ କହିବା କଥା ସେ ଏହି ଚିତ୍ରଗୁଡ଼ିକ ଅବସର ସମୟରେ କରନ୍ତି।

ଏହି ଚିତ୍ରକଳା ପ୍ରଦର୍ଶନୀରୁ ମିଳିଥିବା ଅର୍ଥକୁ ସେ ଅଟିଜିମ୍ ପୀଡ଼ିତ ପିଲାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବେ। ସମରଙ୍କ ମା’ ଅରୁପା ରାୟ ଯୋଶୀଙ୍କ କହିବା କଥା ସମର କୌଣସି ଚିତ୍ରକଳା ଶିଖିନାହାନ୍ତି। ମାତ୍ର ୩ ମାସ ହେଲା ସେ ଏମିତି ଚିତ୍ର କରିବା ଆରମ୍ଭ କରିଛନ୍ତି। ପୁଅର ଏଭଳି ମାନସିକତା ପାଇଁ ତାଙ୍କ ପରିବାର ଗର୍ବିତ ବୋଲି ସେ କହିଥିଲେ। ଏହି ଚିତ୍ରକଳା ପ୍ରଦର୍ଶନୀରେ ସମରଙ୍କ ବାପା ସଂଜୀବ କୁମାର ଯୋଶୀ, ଜୈନ୍‌ ଫାଉଣ୍ଡେସନର ମୁଖ୍ୟ ଟ୍ରଷ୍ଟି ଗାର୍ଗୀ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ।