ଗୀତରେ ‘ସମର୍ପଣ’

‘ଗାଁ’କୁ ଯିବା’ ଲୋକାର୍ପିତ

ଭୁବନେଶ୍ୱର : ବାହାରେ ଅନ୍ତିମ ଶରତର ଶିଶିର ଭିଜା ଶୀତୁଆ ସ୍ପର୍ଶ ଏବଂ ପ୍ରେକ୍ଷାଳୟରେ ଆଗାମୀ କାଲିକୁ ଉଙ୍କି ମାରୁଥିବା କୁନିକୁନି କଣ୍ଠଶିଳ୍ପୀଙ୍କ କଣ୍ଠରେ ପୁରୁଣା ହିନ୍ଦୀ ଓ ଓଡ଼ିଆ ହିଟ୍‌ର ଉଷ୍ମତା। ଏମିତି ଏକ ଅବସର ଆଣି ଦେଇଥିଲା ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ର ଆନୁକୂଲ୍ୟରେ ଜୟଦେବ ଭବନରେ ଅନୁଷ୍ଠିତ ସାହିତ୍ୟ ଓ ସଂଗୀତର ଆସର ‘ସମର୍ପଣ’।

ଆକାଶବାଣୀ କଟକ କେନ୍ଦ୍ରର ପୂର୍ବତନ ପ୍ରଯୋଜକ ନଦିଆ ବିହାରୀ ମହାନ୍ତି, ଶିଶୁ ସାହିତ୍ୟିକ ଡ.ମହେଶ୍ୱର ମହାନ୍ତି, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧୀକ୍ଷକ ସଂଘମିତ୍ରା ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଲେଖିକା ତନୟାଦାସ ଗୋସ୍ୱାମୀଙ୍କ ରଚିତ ପୁସ୍ତକ ‘ଗାଁ’କୁ ଯିବା’ ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରର ଉପସଭାପତି ନିରଂଜନ ବିଶ୍ୱାଳ ଏବଂ ସଂଗୀତ ଗୁରୁ ନଳିନୀକାନ୍ତ ରଥ ଉପସ୍ଥିତ ଥିଲେ। ଶ୍ରୀ ରଥଙ୍କ ତତ୍ତ୍ୱାବଧାନରେ ଶିଶୁ କଣ୍ଠଶିଳ୍ପୀ ଦେବୀ, ସୂର୍ଯ୍ୟ, ଜସ୍ମିନ୍‌, ସ୍ୱାତୀ, ସଲୋନି, ସୁକନ୍ୟା, ଆରୁଷୀ, ପୂଜା, ଦର୍ଶା, ଲିଜା, ଆକାଂକ୍ଷା, ସ୍ମିତା, ଖୁସି, ତିତ୍‌ଲି, ସୁଲଗ୍ନା, ତାନି, ଶ୍ରେୟା, ଦୀପ୍‌ଶିଖା, ସୋମୁ, ଲାଡ୍‌ଲି କାଳଜୟୀ ଗୀତ ଗାଇ ଶୁଣାଇଥିଲେ। ଦେବାଶିଷ ମହାପାତ୍ର ଉଦ୍‌ଘାଟନୀ ପର୍ବକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର