ଚର୍ଚ୍ଚାରେ ବିଏମ୍‌ସି କମିସନର୍‌ଙ୍କ ବଦଳି : ଆଜି ଯୋଗଦେବେ ନୂଆ କମିସନର

ଭୁବନେଶ୍ବର : ବିଏମ୍‌ସି କମିସନର ଶୁଭମ୍‌ ସାକ୍‌ସେନାଙ୍କର ଶନିବାର ବଦଳି ହେବା ପରେ ଆଜି ସେ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଛନ୍ତି। ଅପରପକ୍ଷେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ମଙ୍ଗଳବାର ବିଏମ୍‌ସି କମିସନର ଭାବେ ଦାୟିତ୍ବ ନେବେ। ମଙ୍ଗଳବାର ମଧ୍ୟାହ୍ନରେ ଶ୍ରୀ ବର୍ମା ଦାୟିତ୍ବ ‌େନବେ ବୋଲି ବୋଲି ଜଣାପଡ଼ିଛି।

ହେଲେ ମାତ୍ର ଦେଢ଼ ମାସ ତ‌େଳ ଦାୟିତ୍ବ ନେଇଥିବା ବିଏମ୍‌ସି କମିସନର୍‌ଙ୍କୁ ହଠାତ୍ କାହିଁକି ବଦଳି କରାଗଲା ସେନେଇ ଚର୍ଚ୍ଚା ଜୋର୍‌ ଧରିଛି। ବର୍ଷେ ଚାରି ମାସ ବିଏମ୍‌ସିର ଅତିରିକ୍ତ କମିସନର ଭାବେ କାର୍ଯ୍ୟ କରିଥିବା ଶୁଭମ୍‌ ସାକ୍‌ସେନାଙ୍କୁ ରାଜ୍ୟ ସରକାର ବିଏମ୍‌ସି କମିସନର କରିବା ପାଇଁ ଏହି କମିସନର ପଦବିକୁ ଡେପୁଟି ସେକ୍ରେଟାରି ପାହ୍ୟାକୁ ଖସାଇ ଦେଇଥିଲେ। ପୂର୍ବରୁ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ କମିସନର ଭାବେ ନିଯୁକ୍ତି ପାଉଥିବାବେଳେ କାହିଁକି ଉପ ସଚିବ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦିଆଗଲା ସେଥିପାଇଁ ବି ସେସମୟରେ ଚର୍ଚ୍ଚା ଜୋର୍ ଧରିଥିଲା। ହେଲେ ବିଭିନ୍ନ ମହଲରୁ କୁହାଗଲା ଅତିରିକ୍ତ କମିସନର ଭାବେ ଶ୍ରୀ ସାକ୍‌ସେନା ଭଲ କାର୍ଯ୍ୟ କରିଥିବାରୁ ଏବଂ ଗତ ବର୍ଷକ ମଧ୍ୟରେ ଭୁବନେଶ୍ବରରେ ଘଟିଥିବା ବହୁ ସମସ୍ୟାର ପ୍ରତ୍ୟେକ୍ଷଦର୍ଶୀ ଥିବାରୁ ଏହାର ସମାଧାନ ପାଇଁ ସେ ଆବଶ୍ୟକୀୟ ପଦକ୍ଷେପ ନେଇପାରିବେ। ଶ୍ରୀ ସାକ୍‌ସେନା ମଧ୍ୟ ଭୁବନେଶ୍ବରର ଡ୍ରେନେଜ୍ ସମସ୍ୟା, ଜଳବନ୍ଦୀ ସମସ୍ୟାର ସମାଧାନ କରିବା, ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା, ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତାଗୁଡ଼ିକର ତୁରନ୍ତ ମରାମତି କରିବା ଦିଗରେ ବହୁ ପଦକ୍ଷେପ ନେଇଥିଲେ। ଏଥିପାଇଁ ବି ଯୋଜନା କରିଥିଲେ। ଡ୍ରେନେଜ୍ ସମସ୍ୟା ସୁଧାରିବା ପାଇଁ ହଜାରେ କୋଟିର ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଇବାକୁ ଯୋଜନା କରିଥିଲେ। କିନ୍ତୁ ଏହି ଯୋଜନାକୁ ରୂପ ଦେବା ପୂର୍ବରୁ ତାଙ୍କର ହଠାତ୍ ବଦଳି ହୋଇଗଲା। ବିଏମ୍‌ସି ଅଧିକାରୀମାନେ ବି ଏହାର ଟେର୍ ପାଇଲେନି।

ଶୁଭମ୍‌ ସାକ୍‌ସେନାଙ୍କୁ କମିସନର ଭାବେ ନିଯୁକ୍ତି ଦିଆଯାଇଥିବାରୁ ବିଏମ୍‌ସିର ଶେଷ କାଉସିନଲ୍ ବୈଠକରେ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଭୁବନେଶ୍ବର‌େର ଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ। ପୂର୍ବତନ କମିସନର ଏବଂ ବିଏମ୍‌ସିର ବର୍ତ୍ତମାନର ପ୍ରଶାସକ କ୍ରିଷନ କୁମାରଙ୍କ ସହଯୋଗରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବେ ବୋଲି କହିଥିଲେ। ପୂର୍ବତନ କମିସନର ମଧ୍ୟ ଶ୍ରୀ ସାକ୍‌ସେନାଙ୍କୁ ବହୁତ ପ୍ରଶଂସା କରିଥିଲେ। ତେଣୁ ବିଏମ୍‌ସି କର୍ମଚାରୀମାନେ ଭାବିଥିଲେ ନିକଟ ଭବିଷ୍ୟତ‌େର କମିସନରଙ୍କର ବଦଳି ହେବନି। ଆଉ ଏହାକୁ ନଜରରେ ରଖି କମିସନରଙ୍କ ସହ ବହୁ ଯୋଜନାକୁ ରୂପ ଦେବାକୁ ଜୋରଦାର୍‌ କାମ କରିଥିଲେ। ହେଲେ ହଠାତ୍ ସବୁ ଓଲଟପାଲଟ ହୋଇଗଲା।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ସାକ୍‌ସେନା ନିକଟରେ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିଲେ। ତାଙ୍କ ବ୍ୟାଚ୍‌ର ଅଧିକାରୀମାନେ ଜିଲ୍ଲାପାଳ ହୋଇଥିବାରୁ ସେ ଜିଲ୍ଲାପାଳ ହେବାକୁ ଚାହୁଁଥିଲେ। ଚାକିରିର ଖୁବ୍ କମ୍‌ ସମୟ ମଧ୍ୟରେ ସେ ବିଏମ୍‌ସି ଭଳି ବଡ଼ ସଂସ୍ଥାର ମୁଖ୍ୟ ପଦବି ମୁଣ୍ଡାଇ ଅଡ଼ୁଆରେ ଫସିବାକୁ ଚାହୁଁ ନଥିଲେ। ତେଣୁ ସେ ଗତ କିଛି ଦିନ ହେଲା ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ଉପରେ କିଛି ନିଷ୍ପତ୍ତି ନେଇ ନଥିଲେ। ସମସ୍ତ ଫାଇଲ୍‌ ଆଲୋଚନା ପାଇଁ ଲେଖି ରଖି ଦେଇଥିଲେ। କମିସନରଙ୍କ ନିର୍ଦ୍ଦେଶରେ ସବୁ ଫାଇଲ୍‌ ଆସୁଥିଲେ ହେଁ ସେ କାହିଁକି କେଉଁଥିରେ ଚୂଡ଼ାନ୍ତ ମୋହର ମାରୁ ନଥିଲେ ସେନେଇ ବି ଅଧିକାରୀମାନେ ଦ୍ବନ୍ଦ୍ବରେ ପଡ଼ୁଥିଲେ। ହେଲେ ଗତ ଶନିବାର ରାଜ୍ୟ ସରକାରଙ୍କ ବଦଳି ନିର୍ଦ୍ଦେଶନାମା ବିଏମ୍‌ସି ଅଧିକାରୀ, କର୍ମଚାରୀଙ୍କ ଦ୍ବନ୍ଦ୍ବକୁ ଅହୁରି ବଢ଼ାଇ ଦେଇଛି। ଆଉ କିଛି କହୁଛନ୍ତି ବିଏମ୍‌ସି ଇତିହାସରେ କୌଣସି ସ୍ଥାୟୀ କମିସନରଙ୍କର ଦେଢ଼ ମାସରେ ବଦଳି ହୋଇ ନଥିଲା।

ସମ୍ବନ୍ଧିତ ଖବର