‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା-୨୦୧୯ : ୧୨ କେନ୍ଦ୍ରରେ ୪୬୧୪ ପ୍ରତିଯୋଗୀ

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧୢରେ ବିପୁଳ ଉତ୍ସାହ

ଭୁବନେଶ୍ବର : ଆଜି ଭୁବନେଶ୍ବରର ୬ଟି ଜୋନ୍‌ର ୧୨ଟି ପରୀକ୍ଷା କେନ୍ଦ୍ରରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା-୨୦୧୯ ଅନୁଷ୍ଠିତ ହୋଇଯାଇଛି। ଏହି ନିଆରା ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀଙ୍କ ମଧୢରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପରୀକ୍ଷା ଆରମ୍ଭ ହେବାର ଘଣ୍ଟାକ ପୂର୍ବରୁ ସମସ୍ତ ୧୨ଟି ଯାକ ପରୀକ୍ଷା କେନ୍ଦ୍ରରେ ପ୍ରତିଯୋଗୀ, ଅଭିଭାବକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀଙ୍କ ମଧୢରେ ଭିନ୍ନ ଉତ୍ସାହ ଓ ଅଭିଭାବକଙ୍କ ମଧ୍ୟ‌ରେ ଥିବା ଉତ୍କଣ୍ଠା ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଏହି ପ୍ରତିଯୋଗିତାରେ ରାଜଧାନୀର ୨୦୦ରୁ ଅଧିକ ସ୍କୁଲର ମୋଟ୍‌ ୪୬୧୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ସକାଳ ସାଢ଼େ ୮ଟା ପରଠାରୁ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ଦଳଦଳ ହୋଇ ଆସିଥିଲେ। ସାଢ଼େ ୯ଟାରେ ଚିତ୍ରାଙ୍କନ ପାଇଁ ଥିବା ବିଷୟବସ୍ତୁ ଦିଆଯାଇଥିଲା। ଅଭିଭାବକମାନେ ବିଷୟ ବସ୍ତୁ ପାଇବା ପରେ ପିଲାଙ୍କୁ କିଛି କ୍ଷଣରେ ପ୍ରସ୍ତୁତ କରିବାକୁ ସବୁ ପ୍ରକାର ଉଦ୍ୟମ ଲଗାଇ ଦେଇଥିଲେ। କିଏ ସାଧା ‌କାଗଜରେ ଚିତ୍ର ଆଙ୍କି ଅଭ୍ୟାସ କରୁଥିଲେ ତ କିଏ ମୋବାଇଲ୍‌ରେ ଚିତ୍ର ବାହାର କରି ବାରମ୍ବାର ଦେଖୁଥିଲେ। ଏଥର ଚିତ୍ରାଙ୍କନରେ ତିନିଟି ବିଷୟ ରଖାଯାଇଥିଲା। ସେଗୁଡ଼ିକ ହେଲା, ‘ଶିଶୁ ଉଦ୍ୟାନ’, ‘କୃଷକ’ ଓ ‘ପୋଷା କୁକୁର’। ଏଥିମଧ୍ୟରୁ ଛାତ୍ରଛାତ୍ରୀ ଗୋଟିଏ ବିଷୟରେ ଚିତ୍ର ଆଙ୍କିଥିଲେ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ହୋଇଥିଲା।

ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀଙ୍କୁ ୩୦ ମିନିଟ୍‌ ସମୟ ଦିଆଯାଇଥିଲା। ଏହି ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ହୋଇଥିଲା।

ସେହିପରି ଓଡ଼ିଆ ଭାଷାଜ୍ଞାନ ଓ ପ୍ରବନ୍ଧ ପରୀକ୍ଷା ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ହୋଇଥିଲା। ପରୀକ୍ଷା ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ହୋଇଥିଲା।

ରାଜଧାନୀର ୧୨ଟି ଯାକ ଜୋନ୍‌ର ସମସ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଶେଷ ହେବା ପରେ ସଙ୍ଗେ ସଙ୍ଗେ ମୂଲ୍ୟାୟନ କରାଯାଇଥିଲା। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ହିଁ ପୁରସ୍କୃତ କରାଯାଇଥିଲା। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ସମସ୍ତ କେନ୍ଦ୍ରରେ ଅଭିଜ୍ଞ ବିଚାରକ ମଣ୍ତଳୀ ଉପସ୍ଥିତ ଥିଲେ।

ଚଳିତବର୍ଷ ପରୀକ୍ଷା ପାଇଁ ରସୁଲଗଡ଼ ଜୋନ୍‌ରେ ଝାରପଡ଼ାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ପ୍ରଭୁଜୀ ଇ˚ରାଜୀ ମାଧ୍ୟମ ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଚନ୍ଦ୍ରଶେଖରପୁର ଜୋନ୍‌ରେ ଡିଏଭି ପବ୍ଲିକ ସ୍କୁଲ, ଚନ୍ଦ୍ରଶେଖରପୁର, ପଟିଆସ୍ଥିତ ଶ୍ରୀ ଜୟଦେବ ଶିକ୍ଷା କେନ୍ଦ୍ର ଓ କିସ୍‌ରେ ପରୀକ୍ଷା କେନ୍ଦ୍ର ହୋଇଥିଲା। କେନ୍ଦ୍ରୀୟ ଜୋନ୍‌ରେ ୟୁନିଟ୍‌-୩ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଖଣ୍ତଗିରି ଜୋନ୍‌ ପାଇଁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଖଣ୍ତଗିରି ଏବ˚ ତମାଣ୍ତୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା ଭୁବନେଶ୍ବର ଜୋନ୍‌ ପାଇଁ ବିଏମ୍‌ ହାଇସ୍କୁଲ ଓ ବିଜେଇଏମ୍‌ ସ୍କୁଲ, ସିଆରପି ଜୋନ୍‌ ପାଇଁ ୟୁନିଟ-୮ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏବ˚ ଜୟଦେବ ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ପରୀକ୍ଷା ପରିଚାଳନାରେ ପରୀକ୍ଷା କେନ୍ଦ୍ର ହୋଇଥିବା ସମସ୍ତ ସ୍କୁଲ ତରଫରୁ ସ˚ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର