ବିଶ୍ୱ ହୃଦୟ ଦିବସରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପକ୍ଷରୁ ୱାକାଥନ୍‌ : ହୃଦୟ ପାଇଁ ଦୌଡ଼ିଲେ

ଆଜି ନୁହେଁ, ହୃଦୟ ପାଇଁ ସବୁବେଳେ ଦୌଡ଼ିବା। ନିଜେ ସୁସ୍ଥ ରହିବା ସହ ଅନ୍ୟକୁ ସୁସ୍ଥ ରହିବାର ବାର୍ତା ବାଣ୍ଟିବା। ‘ବିଶ୍ୱ ହୃଦୟ ଦିବସ’ ଅବସରରେ ଏହି ସଂକଳ୍ପ ନେଇ ଆଜି ଜନତା ମୈଦାନରୁ କଳିଙ୍ଗ ହସ୍ପିଟାଲ୍‌ ପର୍ଯ୍ୟନ୍ତ ଦୌଡ଼ିଥିଲେ ଆବାଳ ବୃଦ୍ଧବନିତା। ସୁସ୍ଥ ହୃଦୟ ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏଭଳି ଏକ ନିଆରା ଅବକାଶ ଆଣି ଦେଇଥିଲା ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ବିଆର୍‌ ଲାଇଫ୍ କଳିଙ୍ଗ ହସ୍ପିଟାଲ ସହାୟତାରେ ଆୟୋଜିତ ୱାକାଥନ୍‌। ବହୁ ସଂଖ୍ୟାରେ ଲୋକ ଜନତା ମଇଦାନ ସମ୍ମୁଖରୁ କଳିଙ୍ଗ ହସ୍ପିଟାଲ ପର୍ଯ୍ୟନ୍ତ ଦୌଡ଼ିଥିଲେ। କଳିଙ୍ଗ ହସ୍ପିଟାଲ ପରିସରରେ ଏକ ସଭା ଅନୁଷ୍ଠିତ ହେବା ସହିତ ହୃଦରୋଗ ବିଶେଷଜ୍ଞ ହୃଦୟକୁ କିଭଳି ସୁସ୍ଥ ରଖିହେବ ସେ ସମ୍ବନ୍ଧୀୟ ପରାମର୍ଶ ଦେଇଥିଲେ। ଶେଷରେ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ସଂଗୀତ ଶ୍ରୋତାଙ୍କ ମନୋରଂଜନ କରିଥିଲା।

ମଞ୍ଚରେ ହୃଦୟ ସୁସ୍ଥ ରଖିବାର ବାର୍ତା

କଳିଙ୍ଗ ହସ୍ପିଟାଲ ପରିସରରେ ଅଂଶଗ୍ରହଣକାରୀଙ୍କ ପାଇଁ ଆଉ ଏକ ମଞ୍ଚ ପ୍ରସ୍ତୁତ ହୋଇ ରହିଥିଲା। ଏହି ମଞ୍ଚରେ ମେୟର ଅନନ୍ତ ନାରାୟଣ ଜେନା, ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, କର୍ପୋରେଟର ସଂଜୟ ସେଠୀ, ପ୍ରଥମ ମହିଳା ଏଭରେଷ୍ଟ ଆରୋହୀ କଳ୍ପନା ଦାଶ, ବିଆର୍‌ କଳିଙ୍ଗ ହସ୍ପିଟାଲର ୟୁନିଟ୍‌ ମୁଖ୍ୟ ଆଲୋକ ଲୋଧ, ଡା.ଚନ୍ଦ୍ରଭାନୁ ପରିଜା ପ୍ରମୁଖ ଉପସ୍ଥିତ ଥିଲେ।

ମେୟର ଶ୍ରୀ ଜେନା, ନିଜ ହୃଦୟକୁ ସୁସ୍ଥ ରଖିବା ସହିତ ଅନ୍ୟକୁ ସୁସ୍ଥତା ବାଣ୍ଟିବାର ବାର୍ତା ଦେଇଥିଲେ। ନିଜେ ସୁସ୍ଥ ରହିଲେ ସବୁ କାର୍ଯ୍ୟ ସୁଫଳ ହୋଇପାରିବ ବୋଲି ସେ କହିଥିଲେ। ଶ୍ରୀମତୀ ପଟ୍ଟନାୟକ କହିଥିଲେ, ଗତ ୩/୪ବର୍ଷ ଧରି ବିଶ୍ୱ ହୃଦୟ ଦିବସ ଅବସରରେ ‘ସମ୍ବାଦ’ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ସୁସ୍ଥ ହୃଦୟ ଏକ ସୁସ୍ଥ ଜୀବନରେ ସହାୟକ ହୋଇଥାଏ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଏହାପରେ ବିଆର୍‌ କଳିଙ୍ଗ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡା.ସୁଦୀପ୍ତ ଆଚାର୍ଯ୍ୟ, ଡା.ବିନୟ ବିନାକର, ଡା. ଶ୍ୱତାଙ୍ଗ ଦାଶ ହୃଦୟକୁ କିଭଳି ସୁସ୍ଥ ରଖାଯାଇପାରିବ ସେ ସମ୍ବନ୍ଧୀୟ ପରାମର୍ଶ ଦେଇଥିଲେ। ବିଶେଷଜ୍ଞମାନେ କହିଥିଲେ, ଚଳିତବର୍ଷ ବିଶ୍ବ ହୃଦୟ ଦିବସର ବିଷୟବସ୍ତୁ ରହିଛି ‘ମୋର ହୃଦୟ, ଆପଣଙ୍କର ହୃଦୟ’। ଏହାସହ ହୃଦୟକୁ ସୁସ୍ଥ ରଖିବା ପାଇଁ ନିଜସହ ସଂକଳ୍ପ କରିବା ମଧ୍ୟ ଚଳିତବର୍ଷ ବିଶ୍ୱ ହୃଦୟ ଦିବସର ବିଷୟବସ୍ତୁରେ ସାମିଲ କରାଯାଇଛି। ହୃଦୟକୁ ସୁସ୍ଥ ରଖିବା ପାଇଁ ନିମୟିତ ବ୍ୟାୟାମ ସହିତ, ନିଶାଦ୍ରବ୍ୟଠାରୁ ଦୂରେଇ ରହିବା, ଜୀବନଶୈଳୀରେ ପରିବର୍ତନ ଆବଶ୍ୟକ। ଉଚ୍ଚ ରକ୍ତଚାପ ଓ ମଧୁମେହ‌େର ଆକ୍ରାନ୍ତ ଥିବା ବ୍ୟକ୍ତି ନିୟମିତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉଚିତ୍‌। କର୍ମଚଞ୍ଚଳର କୌଣସି ବିକଳ୍ପ ନାହିଁ ବୋଲି ବିଶେଷଜ୍ଞ କହିଥିଲେ।

ସେହିପରି ଅଭିନେତା ରୁଦ୍ର, ଅଭିନେତ୍ରୀ ପୁପୁଲ ଭୂୟାଁ, ଆହାନା ଅଂଶଗ୍ରହଣକାରୀଙ୍କୁ ବିଶ୍ବ ହୃଦୟ ଦିବସର ବାର୍ତା ଦେଇଥିଲେ। ନିଜକୁ ଫିଟ୍ ରଖିବା ପାଇଁ ନିୟମିତ ବ୍ୟାୟାମ ସହିତ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଉପରେ ସମାନେ ଜୋର ଦେଇଥିଲେ। ଏହି ଦୌଡ଼ରେ ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, ସମ୍ପାଦକ (ସମ୍ପାଦକୀୟ ପୃଷ୍ଠା) ରଣଜିତ ଗୁରୁ, ଉପମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ଆମ ଓଡ଼ିଶାର ସଂପାଦକ ‌ସ୍ୱରାଜ ମିଶ୍ର, ‘କନକ ନ୍ୟୁଜ୍‌’ର ସମ୍ପାଦକ ମନୋରଂଜନ ମିଶ୍ର, ସମ୍ବାଦର ଡିଜିଏମ୍(ବିଜ୍ଞାପନ) କଲ୍ୟାଣେନ୍ଦୁ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ହୃଦୟ ବେଲୁନ୍ ଉଡ଼ାଇଲେ

ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ଆ‌େୟାଜିତ ହୋଇଥିବା ଦୌଡ଼ ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଦୌଡ଼ ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ଯୁବକ/ଯୁବତୀ ଜନତା ମଇଦାନର ମୁଖ୍ୟ ପ୍ରବେଶ ଦ୍ୱାରା ନିକଟରେ ଅପେକ୍ଷା କରି ରହିଥିଲେ। ଦୌଡ଼ ପାଇଁ ସ୍ୱତନ୍ତ୍ରଭାବେ ପ୍ରସ୍ତୁତ ହୋଇଥିବା ଟି-ସାର୍ଟ ପାଇଁ ଭିଡ଼ ଲାଗିଥିଲା। ମଞ୍ଚରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୁଲିସ କମିସନର ସତ୍ୟଜିତ ମହାନ୍ତି, ପୂର୍ବତନ ଭାରତୀୟ କ୍ରିକେଟ୍‌ ଖେଳାଳି ଦେବାଶିଷ ମହାନ୍ତି, ଦୌଡ଼ରାଣୀ ଦୂତି ଚାନ୍ଦ, ପ୍ରଥମ ଓଡ଼ିଆ ଏଭରେଷ୍ଟ ଆରୋହୀ କଳ୍ପନା ଦାଶ ଓ ଅଭିନେତା ରୁଦ୍ର ପ୍ରମୁଖ ଉପସ୍ଥିତ ରହି, ନିଜ ହୃଦୟକୁ ସୁସ୍ଥ ରଖିବା ପାଇଁ କର୍ମଚଞ୍ଚଳ ରହିବା ସହ ଚାଲିବାକୁ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ, କନକ ନ୍ୟୁଜ୍‌ର ମ୍ୟାନେଜମେଣ୍ଟ୍‌ କନ୍‌ସଲ୍‌ଟାଣ୍ଟ୍‌ ରତିକାନ୍ତ ଶତପଥୀ, ବିଆର୍‌ କଳିଙ୍ଗ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡ‌ା. ଆଲୋକ ଲୋଧ, ଡା.ଚନ୍ଦ୍ରଭାନୁ ପରିଜା, ଡା.ସୁଶାନ୍ତ ପାତ୍ର ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। ଦୌଡ଼ରାଣୀ ଦୂତି ଚାନ୍ଦ ହୃଦୟ ବେଲୁନ୍ ଉଡ଼ାଇ ଦୌଡ଼ର ଶୁଭାରମ୍ଭ କରିଥିଲେ। ଏହାପରେ ଅଂଶଗ୍ରହଣକାରୀଙ୍କ ମଧ୍ୟ‌େର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ସମସ୍ତେ କଳିଙ୍ଗ ହସ୍ପିଟାଲ ପରିସରରେ ପ୍ରସ୍ତୁତ ଥିବା ମଞ୍ଚ ନିକଟରେ ପହଞ୍ଚିଥିଲେ।

ଯୁବକମାନେ ବେଶି ପ୍ରଭାବିତ ହୁଅନ୍ତି
ଭାରତ ବିଶ୍ୱର ଦ୍ୱିତୀୟ ହୃଦରୋଗ ଦେଶ ଭାବେ ପରିଗଣିତ ହେଉଛି। ବିଶେଷକରି ଯୁବକମାନେ ଏହାଦ୍ବାରା ପ୍ରଭାବିତ ହେଉଛନ୍ତି। ଖାଦ୍ୟ ଶୈଳୀ ଏବଂ ଜୀବନ ଶୈଳୀ ପାଇଁ ଅଧିକାଂଶ ହୃଦରୋଗର ଶିକାର ହେଉଛନ୍ତି। ଏଥିପାଇଁ କର୍ମଚଞ୍ଚଳ ରହିବା ସହ ଚାଲିବା ଉଚିତ୍‌। ସୁସ୍ଥ ଜୀବନଶୈଳୀ ବଜାୟ ରଖି ପାରିଲେ ହୃଦରୋଗ ହେବାର ସମ୍ଭାବନା ରହିବ ନାହିଁ।
ଡାକ୍ତର ଚନ୍ଦ୍ରଭାନୁ ପରିଜା, ହୃଦବକ୍ଷ ଶଲ୍ୟ ଚିକିତ୍ସକ, କଳିଙ୍ଗ ହସ୍ପିଟାଲ୍‌

ଜଙ୍କ୍‌ ଫୁଡ୍‌ର ଦୂରେଇ ରୁହ, ଚଳଚଞ୍ଚଳ ରୁହ
ଲୋକଙ୍କୁ ସଚେତନ କରିବା ପାଇଁ ୨୦୦୦ ମସିହାରୁ ବିଶ୍ବ ହୃଦୟ ଦିବସ ପାଳିତ ହୋଇ ଆସୁଛି। ଏଥରର ଏହି ଦିବସର ବିଷୟ ରହିଛି ‘ମୋ ହୃଦୟ, ତୁମ ହୃଦୟ’। ଅର୍ଥାତ ମୋ’ର ଏବଂ ତୁମ ହୃଦୟ ପାଇଁ ସଚେତନ ହେବାର ବେଳ ଆସିଛି। ଜଙ୍କ୍‌ ଫୁଡ୍‌ କବଳରେ ଯୁବପିଢ଼ି ପଡ଼ିଥିବାରୁ ଏଥିରୁ ଦୂରେଇ ରହିବା ନିତାନ୍ତ ଆବଶ୍ୟକ। ଖାଲି ସେତିକି ନୁହେଁ ମଦ୍ୟପାନ ଓ ଧୂମପାନଠୁ ମଧ୍ୟ ଯଥାସମ୍ଭବ ଦ‌ୂରେଇ ରହିବା ଉଚିତ୍‌। ଏଥିସହ ‌ପ୍ରତିଦିନ ୩୦ ମିନିଟ୍‌ ଚାଲିବା ସହ କର୍ମଚଞ୍ଚଳ ରହିବାକୁ ପଡ଼ିବ।
ଡାକ୍ତର ସୁଶାନ୍ତ କୁମାର ପାତ୍ର, ହୃଦରୋଗ ଚିକିତ୍ସକ, କଳିଙ୍ଗ ହସ୍ପିଟାଲ୍‌

ଚିକିତ୍ସା ପୂର୍ବରୁ ନିରାକରଣ ପ୍ରତି ଧ୍ୟାନ ଦେବା ଉଚିତ
ହୃଦ‌େରାଗରେ ପୀଡ଼ିତ ହୋଇ ଚିକିତ୍ସିତ ହେବା ଅପେକ୍ଷା ପୂର୍ବରୁ ନିରାକରଣର ବାଟ ହେଉଛି ପରିଶ୍ରମଜନିତ କାମ କରିବା ନଚେତ୍‌ ଚାଲିବା। ଏହା ହୋଇପାରିଲେ, ଭବିଷ୍ୟତରେ ଆଉ ହୃଦରୋଗ ପାଇଁ ଏତେ ଖର୍ଚାନ୍ତ ହେବାକୁ ପଡ଼ିବ ନାହିଁ। ଖାଲି ‌ଏହା ହୃଦରୋଗ ହେବାକୁ ଦେବ ନାହିଁ ସେକଥା ନୁହେଁ, ବରଂ ଫିଟ୍‌ ରଖିବା ସହ ଚିନ୍ତାମୁକ୍ତ ରଖିବ।
ଆଲୋକ ଲୋଧ୍‌, କଳିଙ୍ଗ ହସ୍ପିଟାଲ୍‌ ଭୁବନେଶ୍ୱରର ୟୁନିଟ୍ ହେଡ୍‌

ଏହା ମୋ ପାଇଁ ପର୍ବ ସଦୃଶ
ବର୍ଷକ ବାର ମାସ ୧୩ ପର୍ବ ପାଳନ ହେଉଥିବା ବେଳେ ହୃଦୟ ଦିବସର ଏହି ବିଶେଷ ଆୟୋଜନ ମତେ ପର୍ବ ଭଳି ହୃଦବୋଧ ହେଉଛି। ହୃଦୟ ଦିବସ ଏକ ସ୍ବତନ୍ତ୍ର ଦିବସ ହୋଇଥିବା ବେଳେ ଏହାକୁ ସବୁବେଳେ ପର୍ବ ଭାବେ ପାଳନ କରିବା ଉଚିତ୍‌। ସଚେତନତା ସୃଷ୍ଟି କରିବା ସହ ହୃଦୟ ସମ୍ବନ୍ଧରେ ସଚେତନ କରାଇବା ପାଇଁ ଏହାକୁ ପର୍ବ ଭାବେ ସ୍ମରଣ କରିବା ଉଚିତ୍‌।
କଳ୍ପନା ଦାଶ, ପ୍ରଥମ ଓଡ଼ିଆ ଏ‌ଭରେଷ୍ଟ୍‌ ଆ‌େରାହଣକାରୀ

ହୃଦୟ ପାଇଁ ଚିନ୍ତା କରିବାକୁ ମନେ ପକାଇଦିଏ
କର୍ମବ୍ୟସ୍ତତା ଭିତରେ ହୃଦୟ ପାଇଁ ଚିନ୍ତା କରିବାକୁ ଏହା ସୁଯୋଗ ସୃଷ୍ଟି କରୁଛି। ପ୍ରତିସ୍ତରରେ ଏଭଳି ବଡ଼ ଧରଣର ଆୟୋଜନ କରାଯିବା ଉଚିତ୍‌। ମଣିଷର ବଞ୍ଚିବା ପାଇଁ ହୃଦୟର ଗୁରୁତ୍ବ ବିଷୟରେ ଜାଣିବା ସହ ଏହାର ନିରାକରଣ ଦିଗରେ ଏହି କାର୍ଯ୍ୟକ୍ରମ ବାଟ ବତାଇ ଦେଉଛି। ଶୋଇ ରହିଥିବା ବେଳେ ଚିଆଁଇ ଦେଇ ସଚେତନ କରାଇବା ପାଇଁ ଏହିଭଳି କାର୍ଯ୍ୟକ୍ରମର ଢେର୍‌ ଗୁରୁତ୍ୱ ରହିଛି।
ରୁଦ୍ର (ଅଭିନେତା)

ପ୍ରତ୍ୟେକ ଦିନ ହୃଦୟ ଦିବସ ଭାବି ଦୌଡ଼ିବା ଆବଶ୍ୟକ
ଅଧଘଣ୍ଟା ବ୍ୟାୟାମ ସହ ମର୍ଣ୍ଣିଂ ୱାକ୍‌ ଫିଟ୍‌ ରଖିବା ସହ ଆମକୁ ସାରାଦିନ କର୍ମଚଞ୍ଚଳ ରଖିବାକୁ ଶକ୍ତି ଦିଏ। କେବଳ ଆଜି ଗୋଟିଏ ଦିନ ଦୌଡ଼ିଲେ ଚଳିବ ନାହିଁ, ବର୍ଷ ତମାମ ଏହି ଦୌଡ଼ ଜାରି ରହୁ। ପ୍ରତ୍ୟେକ ଦିନକୁ ହୃଦୟ ଦିବସ ଭାବେ ଧ୍ୟା‌ନରେ ରଖି ହୃଦୟ ପାଇଁ ଦୌଡ଼ିବା ଆବଶ୍ୟକ।
ପୁପୁଲ ଭୂୟାଁ (ଅଭିନେତ୍ରୀ)

ନିଜ ଶରୀର ପାଇଁ ସମୟ କାଢ଼ନ୍ତୁ
ମୋ ପାଇଁ ଏହା ଅନେକଗୁଡ଼ିଏ କାରଣରୁ ସ୍ମରଣୀୟ ହୋଇ ରହିବ। ସକାଳେ ମୁଁ ଉଠି ପାରୁନଥିବା ବେଳେ ଆଜି ସକାଳୁ ଉଠିକି ଆସି ଏହି ହୃଦୟ ପାଇଁ ଦୌଡ଼ କାର୍ଯ୍ୟକ୍ରମରେ ଭାଗ ନେଇ ଅନେକ କିଛି ଶିଖିବାକୁ ପାଇଛି। ‌ଲୋକେ ନିଜ କର୍ମମୟ ଜୀବନରେ ବ୍ୟସ୍ତ ହୋଇଯାଇଛନ୍ତି ସତ, କିନ୍ତୁ ବ୍ୟସ୍ତତା ଭିତରେ ବି ନିଜ ଶରୀର ପାଇଁ ସମୟ ଦିଅନ୍ତୁ। ‌ନଚେତ୍‌ ପରେ ପରିଣାମ ଭୋଗିବା ବେଳକୁ ଆଉ ହାତରେ କିଛି ନଥିବ।
ଆହାନା (ଅଭିନେତ୍ରୀ)

ଏହିଭଳି କାର୍ଯ୍ୟକ୍ରମ ବ୍ୟାପକ ହେଉ
ଦୌଡ଼ିବା କିମ୍ବା ଚାଲିବା ଦ୍ବାରା ପାଦଠୁ ମୁଣ୍ଡ ପର୍ଯ୍ୟନ୍ତ ରକ୍ତ ସଂଚାଳନ ଠିକ୍‌ ଭାବରେ ହୋଇଥାଏ। ତେବେ ଏହାର ଗୁରୁତ୍ବକୁ ଅନେକ ବୁଝି ବି ଅବୁଝା ରୁହନ୍ତି। ଜାଣି ବି ଚାଲିବାକୁ ଆସିବାକୁ ଚାହାନ୍ତି ନାହିଁ। ତେଣୁ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ବ୍ୟାପକ ହେବା ଉଚିତ୍‌। ଏଥିସହ ପ୍ରତିଯୋଗୀ ପରାୟଣ ଆଥ୍‌ଲେଟ୍‌ଙ୍କୁ ସାମିଲ୍ କରିବା ଆବଶ୍ୟକ।
ଗୋପୀନାଥ ସେଠୀ (ପୂର୍ବତନ ସରକାରୀ କର୍ମଚାରୀ)

ଅନେକ କିଛି ଶିଖିବାକୁ ପାଇଲି
ମୁଁ ଆଗରୁ ବିଜୁ ମାରାଥନ୍‌ ଓ ପୁଲିସ୍‌ ମାରାଥନ୍‌ରେ ଅଂଶଗ୍ରହଣ କରିଛି। ଭବିଷ୍ୟତରେ ଆଥ୍‌ଲେଟ୍‌ ହେବାକୁ ଇଚ୍ଛା ରଖିଛି। ତେବେ ଆଜି ହୃଦୟ ଦିବସ ପାଇଁ ଦୌଡ଼ ହେଉଥିବାରୁ ମୁଁ ଉତ୍ସାହିତ ଥିଲି। ବିଶେଷତଃ ଦୌଡ଼ିବା ଯୋଗୁଁ ହୃଦୟ ଉପରେ ତା’ର ଏତେ ପ୍ରଭାବ ରହୁଥିବା କଥା ଏଠୁ ଜାଣିବା ପରେ ଖୁସି ଲାଗିଲା। ଏଥିରେ ସାମିଲ୍‌ ହୋଇ ମୁଁ ଅନେକ କିଛି ଶିଖିବାକୁ ପାଇଲି।
ପିଙ୍କି ସାହୁ, ଅଷ୍ଟମ ଶ୍ରେଣୀ ଛାତ୍ରୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଟିଆ

ସମ୍ବନ୍ଧିତ ଖବର