‘ସମ୍ବାଦ’ ମୁରୁଜ ପ୍ରତିଯୋଗିତା: ମୁରୁଜରେ ଗହନ ବାର୍ତା

‘ନିର୍ମାଣ ଶ୍ରମିକଙ୍କ ଭଳି ସରକାରୀ ସୁବିଧା ପାଇବେ ସମ୍ବାଦପତ୍ର ବିତରକ’

ଭୁବନେଶ୍ବର: ଯେବେ ଶହଶହ ମହିଳା ରଙ୍ଗ ବେରଙ୍ଗ ମୁରୁଜରେ ଚଟାଣ ଉପରେ ଚିତ୍ର ଆଙ୍କିବାରେ ମଜି ଯାଇଥିଲେ, ତାଙ୍କ ସ୍ବାମୀ ଓ ପିଲାମାନଙ୍କର ଏହି ଉତ୍ସାହପ୍ରଦ ବାକ୍ୟ ପରିବେଶକୁ ସରଗରମ କରି ଦେଇଥିଲା। ସମ୍ବାଦପତ୍ର ବିତରକ ଭାଇ, ସେମାନଙ୍କ ପତ୍ନୀ ଓ ପରିବାରବର୍ଗଙ୍କୁ ଏକାଠି କରିବା ପାଇଁ ‘ସମ୍ବାଦ’ ପକ୍ଷରୁ ବିଜେଇଏମ୍‌ ସ୍କୁଲ୍‌ରେ ଆୟୋଜିତ ‘ମୁରୁଜ’ ପ୍ରତିଯୋଗିତା ଏପରି ଏକ ନିଆରା ଅବସର ସୃଷ୍ଟି କରିଥିଲା। କିଏ ମୁରୁଜ‌ରେ ‘ବେଟି ବଚାଓ ବେଟି ପଢ଼ାଓ’ର ବାର୍ତା ଦେଇଥିଲା ତ କିଏ ସର୍ବଧର୍ମ ସମନ୍ବୟର କଥା କହିଥିଲା। ଓଡ଼ିଆଙ୍କ ମୁରବୀ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ମୁରୁଜରେ ତୋଳି ଧରିଥିଲେ କିଛି ପ୍ରତିଯୋଗୀ। ଅର୍ପିତା ପାଣ୍ଡବ ଓଡ଼ିଆ ଘରର ଝୋଟି ଚିତା ଓ ଲକ୍ଷ୍ମୀପାଦ ଆଙ୍କି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୌରୀ ପୃଷ୍ଟି ଦ୍ବିତୀୟ ଓ ଜାନକୀ ଜେନା ତୃତୀୟ ପୁରସ୍କାର ଲାଭ କରିଥିଲେ। ଏହା ବ୍ୟତୀତ +୨ ଓ ୧୦ମ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ସମ୍ବାଦପତ୍ର ବିତରକଙ୍କ ସନ୍ତାନ ସନ୍ତତିଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା।

‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ଓ ଅନ୍ୟାନ୍ୟ ନିର୍ମାଣ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସମ୍ବାଦପତ୍ର ବିତରକମାନେ ମଧ୍ୟ ପର୍ଯ୍ୟାୟକ୍ରମେ ନିର୍ମାଣ ଶ୍ରମିକଙ୍କ ଭଳି ସମସ୍ତ ସରକାରୀ ସୁବିଧା ପାଇବେ। ଏଥିପାଇଁ ସେମାନଙ୍କୁ ଶ୍ରମ କାର୍ଯ୍ୟାଳୟରୁ ଅଣସଂଗଠିତ ଶ୍ରମିକ ପରିଚୟପତ୍ର ଯୋଗାଇ ଦିଆଯିବ। ସେମାନଙ୍କ ପରିବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହେବା ସହ ଅନ୍ୟ ସରକାରୀ ସୁବିଧା ପାଇବେ। ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଲେ, ବିତରକମାନେ ‘ସମ୍ବାଦ’ ପରିବାରର ଅସଲ ମାଲିକ। ସମ୍ବାଦ ପରିବାର ସହ ସଂଶ୍ଳିଷ୍ଟ ବିତରକ ଭାଇ ଓ ସେମାନଙ୍କ ପରିବାରକୁ ଗୋଟିଏ ଜାଗାରେ ଏକାଠି କରିବା ପାଇଁ ଏହି ପ୍ରତିଯୋଗିତା ଏକ ବାହାନା ମାତ୍ର। ସେହିଭଳି ୧୦ମରେ ଭଲ ନମ୍ବର ରଖିଥିବା ପିଲାମାନେ କିଭଳି +୨ରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ମେଧାବୃତ୍ତି ପାଇ‌‌ବେ, ସେନେଇ ଉଦ୍ୟମ କରନ୍ତୁ ବୋଲି କହିଥିଲେ। ଏଥିସହ ବିତରକମାନେ ମିଶି ଏକ ବୃହତ୍‌ ରକ୍ତଦାନ ଶିବିର ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଲେ, ୫ ବର୍ଷ ହେଲା ବିତରକ ଭାଇମାନଙ୍କୁ ଯୋଡ଼ିବା ପାଇଁ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ। ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ସମ୍ପାଦକ(ଫିଚର୍‌) ଗୌରହରି ଦାସ କହିଲେ, ଯେଉଁମାନଙ୍କ ଅଙ୍ଗୁଳି ସ୍ପର୍ଶରେ ମାତ୍ର ୪୫ମିନିଟ୍‌ ଭିତରେ ଚଟାଣରେ ଏତେ ସୁନ୍ଦର ରଙ୍ଗୋଲି ପ୍ରସ୍ତୁତ ହେଉଛି, ସେଇ ହାତର ସ୍ପର୍ଶରେ ସେମାନେ ନିଜ ପରିବାରକୁ ରଙ୍ଗରେ ସଜାଇବା ପାଇଁ ପ୍ରତିଦିନ ପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତି। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ ସ୍ବାଗତ ଭାଷଣ ସହ ପ୍ରତିଯୋଗିତାର ଆଭିମୁଖ୍ୟ କହିଥିଲେ। ‘ସମ୍ବାଦ’ର କାର୍ଟୁନିଷ୍ଟ କିଶୋର ରଥ, ପ୍ରମୋଦ କୁମାର ତ୍ରିପାଠୀ, ଜଗନ୍ନାଥ ଦାସ ଓ ରଞ୍ଜନ ମହାରଣା ମୁରୁଜ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲ। ‘ସମ୍ବାଦ’ ଉପମହାପ୍ରବନ୍ଧକ ଗୌତମ ବୁଦ୍ଧ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ରଙ୍କ ସମେତ ଅନ୍ୟ କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଜେତାଙ୍କ ମୁହଁରୁ…
ଅନେକ ଦିନ ହେଲା ଅପେକ୍ଷା କରିଥିଲି
‘ସମ୍ବାଦ’ ଆମ ଭଳି ଘରର ଚାରି କାନ୍ଥ ଭିତରେ ସୀମିତ ରହିଯାଉଥିବା ମହିଳାମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ଦେଇ କଳାକୁ ପରିପ୍ରକାଶ କରିବାର ସୁଯୋଗ ଦେଇଥିବାରୁ ସମ୍ବାଦକୁ ଧନ୍ୟବାଦ। ପୂର୍ବବର୍ଷ ଭାଗ ନେଇଥିବା ବେଳେ ଏହି ଦିନକୁ ଅନେକ ଦିନ ତଳୁ ଅପେକ୍ଷା କରିଥିଲି। ମୋ ପ୍ରତୀକ୍ଷା ଓ ଉତ୍ସାହର ଫଳ ମିଳିଥିବାରୁ ବହୁତ ଖୁସି ଲାଗୁଛି।

-ଅର୍ପିତା ପାଣ୍ଡବ (ପ୍ରଥମ)
ମୋ ଜିତିବାର ଶ୍ରେୟ ପ୍ରତିଟି ଝିଅଙ୍କୁ ଯାଉଛି
ଝିଅମାନଙ୍କ ପ୍ରତି ମନୋଭାବକୁ ନେଇ ଯାହା ହୃଦୟଙ୍ଗମ କଲି ତାକୁ ମୁରୁଜରେ ଆଙ୍କିଥିଲି। ସବୁଠୁ ବଡ଼ କଥା ହେଉଛି ମୋ ସ୍ବାମୀ, ଶାଶୂ ଓ ଶ୍ବଶୂର ମଧ୍ୟ ମତେ ଏ ପ୍ରତିଯୋଗିତା ପାଇଁ ଉତ୍ସାହିତ କରି ଏଠାକୁ ପଠାଇଥିଲେ। ପ୍ରତିବର୍ଷ ଭାଗ ନେଉଥିଲେ ବି ଜିତିନଥିଲି। ତଥାପି ସେମାନେ ବାରମ୍ବାର ଉତ୍ସାହିତ କରିଥିଲେ। ଏବର୍ଷ ମୁଁ ଏ ଚିତ୍ର ପାଇଁ ଜିତିବାର ଶ୍ରେୟ ପ୍ରତିଟି ଝିଅଙ୍କର।

-ଗୌରୀ ପୃଷ୍ଟି (ଦ୍ବିତୀୟ)
ପ୍ରତିବର୍ଷ ଜିତୁଛି
ନିବେଦନ କରିବି ଯେ, ଏହି ପ୍ରତିଯୋଗିତା ପ୍ରତିବର୍ଷ ଆୟୋଜନ କରାଯାଉ। କାରଣ ଏହାଦ୍ବାରା ଆମ ଭଳି ମହିଳମାନେ ନିଜ ସୃଜନକୁ ପରିପ୍ରକାଶ କରିବାର ସୁଯୋଗ ପାଉଛନ୍ତି। ପ୍ରତିବର୍ଷ ଭାଗନେଇ କୃତିତ୍ବ ଅର୍ଜନ କରୁଥିବାରୁ ଏହା ମୋ’ର ଉତ୍ସାହକୁ ବଢ଼ାଇ ଚାଲିଛି।
-ଜାନକୀ ଜେନା (ତୃତୀୟ)

ସମ୍ବନ୍ଧିତ ଖବର