‘ସମ୍ବାଦ’ ପକ୍ଷରୁ ମୁରୁଜ ପ୍ରତିଯୋଗିତା, ମେଧାବୀଙ୍କୁ ବୃତ୍ତି : ମୁରୁଜରେ ମନ ମୋହିଲେ

ଭୁବନେଶ୍ୱର: କିଏ ବୋଉ ବୋଉ ବୋଲି ଡାକ ଛାଡ଼ୁଥିଲା ତ କିଏ ନାଁ ଧରି ଡାକୁଥିଲା। ହେଲେ ସେ ଡାକ ଶୁଣିବାକୁ ତାଙ୍କର ତର ନଥିଲା। କିଏ ନିଅଣ୍ଟ ମୁରୁଜ ପାଇଁ ସ୍ୱାମୀଙ୍କ ଆଗେ ଅଭିମାନ କରୁଥିଲା ତ ଆଉ କେଉଁଠି ଝିଅଟିଏ କହୁଥିଲା ବୋଉଲୋ ଶୀଘ୍ର ସାରିଦେ..ସମୟ ହେଇଗଲାଣି ପରା…। ଏମିତି ଏକ ଅବକାଶ ସୃଷ୍ଟି କରିଥିଲା ‘ସମ୍ବାଦ’ ପକ୍ଷରୁ ‘ବିଜେଇଏମ୍‌ ସ୍କୁଲ୍‌’ ପରିସରରେ ଆୟୋଜିତ ମୁରୁଜ ପ୍ରତିଯୋଗିତା। ସମ୍ବାଦପତ୍ର ବିତରକ ଭାଇମାନଙ୍କ ପରିବାରର ମହିଳାମାନଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ୧୮୧ ଜଣ ଅଂଶଗ୍ରହଣ କରି ଓଡ଼ିଆ ଘରର ପରମ୍ପରାକୁ ମୁରୁଜରେ ଏମିତି ବଖାଣିଥିଲେ ଯେ ଏହା ସମସ୍ତଙ୍କ ମନ ଜିଣି ନେଇଥିଲା। ରଙ୍ଗବେରଙ୍ଗୀ ମୁରୁଜରେ ସ୍କୁଲ୍‌ ଚଟାଣ ଆକାଶରେ ଇନ୍ଦ୍ରଧନୁ ସଦୃଶ ପ୍ରତୀୟମାନ ହେଉଥିଲା।

ଆଉ ପ୍ରତିଯୋଗିତା ଶେଷରେ ଅଭିଜ୍ଞ ବିଚାରକମାନଙ୍କ ମୂଲ୍ୟାୟନ ପରେ ବିତରକ ଅରୁଣ ଦେ’ଙ୍କ ପତ୍ନୀ ମଂଜୁଲତା ଦେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଅଶୋକ ପାଣ୍ଡବଙ୍କ ପତ୍ନୀ ଅର୍ପିତା ପାଣ୍ଡବ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଦୀପ ସାହୁଙ୍କ ପତ୍ନୀ ମୋନାଲିସା ସାହୁ ତୃତୀୟ ସ୍ଥାନ ଦଖଲ କରିଥିଲେ। ୩ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୩ ହଜାର, ୨ ହଜାର ଏବଂ ୧ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଏଥିିସହ ସଂଜୀବ ବାରିକଙ୍କ ପତ୍ନୀ ଝୁନି ବାରିକ ଏବଂ ରାମଚନ୍ଦ୍ର ସାହୁଙ୍କ ପତ୍ନୀ ରୁମାରାଣୀ ସାହୁଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ସମସ୍ତ ପ୍ରତିଯୋଗୀଙ୍କୁ ଶାଢ଼ି ଉପହାର ପ୍ରଦାନ କରାଯାଇଥିଲା। ‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରି କହିଲେ, ଏଠାରେ ମୁଁ ନୁହେଁ ବରଂ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ମହିଳା ହେଉଛନ୍ତି ମୁଖ୍ୟ ଅତିଥି। ଏଥିସହ ବିତରକ ପରିବାର ମଧ୍ୟରେ ଉତ୍ସାହକୁ ଦେଖି ଆସନ୍ତାବର୍ଷକୁ କିଛି ସାଂସ୍କୃତିକ ନୃତ୍ୟ ଗୀତକୁ ନେଇ ପ୍ରତିଯୋଗିତା କରିବା ପାଇଁ ଚେଷ୍ଟା କରାଯିବ ବୋଲି କହିଥିଲେ। ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ ଲକ୍ଷ୍ମୀ ଓ ସାବିତ୍ରୀଙ୍କ ଉଦାହରଣ ସହ ମହିଳାମାନଙ୍କ ମହନୀୟତା ସମ୍ପର୍କରେ ବହୁ ମୂଲ୍ୟବାନ ଉଦାହରଣ ଦେଇଥିଲେ। କହିଥିଲେ, ନାରୀ ପାଇଁ ପୃଥିବୀରେ ଅସମ୍ଭବ ବୋଲି କିଛି ବି ନାହିଁ। ଯେଉଁଠି ଆନ୍ତରିକତାର ସହ ହୃଦୟରୁ ମୁରୁଜ ଆଙ୍କି ହୁଏ ସେଠି ଲକ୍ଷ୍ମୀ ବି ଶ୍ରୀୟା ଚଣ୍ଡାଳୁଣୀ ଘରକୁ ଚାଲିଆସନ୍ତି। ବିଜେଇଏମ୍‌ ସ୍କୁଲ୍‌ର ଅଧ୍ୟକ୍ଷା ସନ୍ଧ୍ୟା ଜେନା କହିଲେ, ‘ସମ୍ବାଦ’ ସମ୍ପର୍କ ସୃଷ୍ଟି ପାଇଁ ଆୟୋଜନ କରିଥିବା ଏଭଳି ଏକ ପଦକ୍ଷେପ ପ୍ରଶଂସନୀୟ। ଏହା କେବଳ ସମ୍ବନ୍ଧକୁ ସୁଦୃଢ଼ କରିବନି ବରଂ ପ୍ରେରଣା ଯୋଗାଇବ। ‘ସମ୍ବାଦ’ର ସିଓଓ କମଳାକନ୍ତ ମହାପାତ୍ର କହିଲେ, ଏହି ପ୍ରତିଯୋଗିତାରେ ପରିଲକ୍ଷିତ ଉତ୍ସାହ ହିଁ ବିତରକ ଓ ‘ସମ୍ବାଦ’ ମଧ୍ୟରେ ସମ୍ପର୍କର ପ୍ରକୃତ ମାପକାଠି। ହାଣ୍ଡ୍‌ଲୁମ୍‌ର ଚିଫ୍‌ ଡିଜାଇନର ପ୍ରମୋଦ କୁମାର ତ୍ରିପାଠୀ, ବିଜେଇଏମ୍‌ର କଳା ଶିକ୍ଷକ ଜଗନ୍ନାଥ ଦାସ, ରଂଜନ ମହାରଣା ଏବଂ ‘ସମ୍ବାଦ’ର ବରିଷ୍ଠ କାର୍ଟୁନିଷ୍ଟ କିଶୋର ଚନ୍ଦ୍ର ରଥ ପ୍ରତିଯୋଗିତାରେ ବିଚାରକ ଭାବେ ଉପସ୍ଥିତ ରହି ମୂଲ୍ୟାୟନ କରିଥିଲେ। ଏହି ଅବସରରେ ଶ୍ରୀ ରଥ ମଧ୍ୟ ତାଙ୍କ ବକ୍ତବ୍ୟ ରଖିବା ସହ ସ୍ୱରଚିତ ବ୍ୟଙ୍ଗ କବିତା ଗାଇ ଶୁଣାଇଥିଲେ। ‘ସମ୍ବାଦ’ ମହାନଗର ସଂସ୍କରଣର ମୁଖ୍ୟ ଗୌତମବୁଦ୍ଧ ଦାସ ସ୍ୱାଗତ ଭାଷଣ ଦେବା ସହ ଉତ୍ସବକୁ ସଂଯୋଜନା କରିଥିଲେ। ଏହି ଉତ୍ସବରେ ୫୦୦ରୁ ଅଧିକ ବିତରକ ଓ ତାଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।

ଭାଗ ନେଲେ ୧୮୧ ସମ୍ବାଦପତ୍ର ବିତରକଙ୍କ ସହଧର୍ମିଣୀ
ବାଜି ମାରିଲେ ମଞ୍ଜୁଲତା, ଅର୍ପିତା ଓ ମୋନାଲିସାଙ୍କୁ ଦ୍ୱିତୀୟ ଓ ତୃତୀୟ ସ୍ଥାନ

ବିତରକ ପରିବାରର ୧୫ ମେଧାବୀ ପିଲାଙ୍କୁ ବୃତ୍ତି
କେବଳ ମୁରୁଜ ପ୍ରତିଯୋଗିତା ନୁହେଁ, ବରଂ ବିତରକ ପରିବାରର ପିଲାମାନଙ୍କୁ ପଢ଼ା କ୍ଷେତ୍ରରେ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବୃତ୍ତି ପ୍ରଦାନ କରାଯାଇଛି। ୨୦୧୭ ମେଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ହୃଷିକେଶ ନାୟକଙ୍କ ଝିଅ ଶିବାନୀବାଳା ନାୟକ, ହରିବନ୍ଧୁ ସାହୁଙ୍କ ପୁଅ ଚିତ୍ତରଂଜନ ସାହୁ, ବିଧୁଭୂଷଣ ଦୀକ୍ଷିତଙ୍କ ଝିଅ ବିଥିକା ଦୀକ୍ଷିତ, ବିଜୟ କୁମାର ସାହୁଙ୍କ ଝିଅ ଜ୍ୟୋତିର୍ମୟୀ ସାହୁ, ପୂର୍ଣ୍ଣଚନ୍ଦ୍ର ଖଟେଇଙ୍କ ପୁଅ ସାରଦା ପ୍ରସାଦ ଖଟେଇ, ବୂଭିତ ରଂଜନ କରଙ୍କ ପୁଅ ସ୍ୱାଗତ କର, ସତ୍ୟନାରାୟଣ ସାହୁଙ୍କ ପୁଅ ସଂଜୀବ କୁମାର ସାହୁ, ଇ ଦିଲ୍ଲୀପ କୁମାର ସାହୁଙ୍କ ପୁଅ ଇ ବିଶ୍ୱଜିତ କୁମାର, କମଳାକାନ୍ତ ଖାମୁରାଇଙ୍କ ସନ୍ତାନ ଦିବ୍ୟଜ୍ୟୋତି ଖାମୁରାଇ, ହେମନ୍ତ କୁମାର ସାହୁଙ୍କ ପୁଅ ଅଭିଳାଶ ସାହୁ, ପ୍ରଭାତ କୁମାର ପଣ୍ଡାଙ୍କ ଝିଅ ସସ୍ମିତା ପଣ୍ଡା ଏବଂ +୨ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଅର୍ଜୁନ ସେନାପତିଙ୍କ ଝିଅ ଅଙ୍କିତା ସେନାପତି, ନରେନ୍ଦ୍ର କୁମାର ମଲ୍ଲିକଙ୍କ ପୁଅ ଦୀପକ ମଲ୍ଲିକ, ଜଗନ୍ନାଥ ମୁଦୁଲିଙ୍କ ଝିଅ ଲିପ୍‌ସା ମୁଦୁଲି ଏବଂ ଶଙ୍କର ମୁଦୁଲିଙ୍କ ପୁଅ ସଂଜୟ କୁମାର ମୁଦୁଲିଙ୍କୁ ପ୍ରଥମ ୬ ମାସ ପାଇଁ ଗ୍ରେଡେସନ୍‌ ଭିତ୍ତିରେ ମେଧାବୃତ୍ତି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର