‘ସମ୍ବାଦ’ ପକ୍ଷରୁ ‘ଶିଶୁ ଦିବସ’ : ନାଚିଲେ, ଗାଇଲେ, ମ୍ୟାଜିକ୍‌ରେ ମଜିଲେ

ଭୁବନେଶ୍ବର : ନାଚ, ଗୀତ ଓ ପିଲାଙ୍କ କୋଳାହଳରେ ଫାଟି ପଡ଼ୁଥିଲା ଏସ୍‌ପ୍ଲାନେଡ୍‌ ପରିସର। କେବେ ବଲିଉଡ୍‌ ଚଳଚ୍ଚିତ୍ର ‘ହାଉସଫୁଲ୍‌-୪’ର ‘ବାଲା… ସୈତାନ୍‌ କା ଶାଲା’ ଗୀତର ତାଳେ ତାଳେ ପିଲାଙ୍କ ନୃତ୍ୟ, ତ ଆଉ କେବେ ମ୍ୟାଜିସିଆନ୍‌ଙ୍କ ଅଭୂତପୂର୍ବ ଯାଦୁ ଖେଳ ଦେଖି ସେମାନଙ୍କ କରତାଳି ପରିବେଶରେ ଉନ୍ମାଦନା ଭରୁଥିଲା। ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରି ସେମାନଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରିବା, ସେମାନଙ୍କୁ ଉପଯୁକ୍ତ ମଞ୍ଚଟିଏ ଯୋଗାଇ ଦେବା ଉଦ୍ଦେଶ୍ୟ‌ରେ ଆଜି ‘ସମ୍ବାଦ’ ପକ୍ଷରୁ ‘ଶିଶୁ ଦିବସ’ ପାଳିତ ହୋଇଯାଇଛି। ଅପରାହ୍‌ଣରେ ଏସ୍‌ପ୍ଲାନେଡ୍‌-ୱାନ୍‌ ମଲ୍‌ ପରିସରରେ ଅନୁଷ୍ଠିତ ଏହି ନିଆରା କାର୍ଯ୍ୟକ୍ରମ ‘ବ୍ଲସମ୍‌ସ୍‌’ ସ୍କୁଲ ସହଯୋଗରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ୧୦୦ରୁ ଊର୍ଧ୍ବ ବିଭିନ୍ନ ବସୟର ଶିଶୁ ଓ ସେମାନଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ। ପିଲାମାନଙ୍କ ମଧ୍ୟରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଉପରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ‘ଓଡ଼ିଶୀ ନୃତ୍ୟ’ରୁ। ପରେ ପରେ ଶିଶୁମାନଙ୍କ ମଧ୍ୟରେ ନୃତ୍ୟ, ଗୋଟିଏ ବାକ୍ୟକୁ ନିରବଚ୍ଛିନ୍ନ ଭାବେ ୫ଥର କହିବା ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଯୋଗଦେଇ ପିଲାମାନଙ୍କୁ ମନଭରି ଜୀବନକୁ ଉପଭୋଗ କରିବାକୁ ପରାମର୍ଶ ଦେଇଥିଲେ। ଲୋକମାନଙ୍କ ସହ ଯୋଡ଼ି ହେବା, ସେମାନଙ୍କ ପାଖରେ ପହଞ୍ଚିବା ଓ ସୁ-ସମ୍ପର୍କ ସ୍ଥାପନ କରିବା ସବୁବେଳେ ‘ସମ୍ବାଦ ଗ୍ରୁପ୍‌’ର ଉଦ୍ଦେଶ୍ୟ ରହି ଆସିଛି। ଏହାର ଫଳସ୍ବରୂପ ‘ସମ୍ବାଦ’ ‘ମାତୃ ଦିବସ’ଠାରୁ ଆରମ୍ଭ କରି ‘ଶିଶୁ ଦିବସ’ ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକ୍ରମରେ ପାଠକଙ୍କ ପାଖକୁ ପହଞ୍ଚିବାକୁ ଚେଷ୍ଟା କରୁଛି ବୋଲି ସେ କହିଥିଲେ।

ଭରତପୁର ବ୍ଲସମ୍‌ସ୍‌ ସ୍କୁଲ ଅଧ୍ୟକ୍ଷା ସୀମିତା ପଣ୍ଡା ଯୋଗଦେଇ ସମସ୍ତଙ୍କୁ ନିଜ ଭିତର ପିଲାଳିଆମିକୁ ବଞ୍ଚାଇ ରଖିବାକୁ ଅନୁରୋଧ କରିଥିଲେ। ଶିଶୁ ହେଉ ବା ଆମେ ବଡ଼ମାନେ, ଧୀରେଧୀରେ ଆମ ପିଲାଳିଆମିକୁ କେଉଁଠି ହଜାଇ ଦେଉଛେ। ଜୀବନକୁ ଜୀବନ ଭଳି ବଞ୍ଚିବାକୁ ‌ହେଲେ, ଆମ ଭିତରର ସେଇ ବାଲ୍ୟପଣକୁ ସବୁବେଳେ ଜୀବିତ ରଖିବାକୁ ପଡ଼ିବ ବୋଲି ସେ କହିଥିଲେ।

ନୂଆପଲ୍ଲୀ ବ୍ଲସମ୍‌ସ୍‌ ସ୍କୁଲ ଅଧ୍ୟକ୍ଷା ନିରୋଜ ନଳିନୀ କର କହିଲେ, ପିଲାମାନଙ୍କୁ ସବୁବେଳେ ଖୁସିରେ ରଖିବା, ଭୟ ଓ ଚାପମୁକ୍ତ କରିବା ଅଭିଭାବକଙ୍କ ଦାୟିତ୍ବ। ପିଲାମାନଙ୍କୁ ଖୁସିରେ ରଖିବାର ଅର୍ଥ ଏହା ନୁହେଁ ଯେ ସେମାନଙ୍କୁ ବସ୍ତୁବାଦୀ କରିଦେବା। ସେମାନେ ବରା‌ଦ କରୁଥିବା ସବୁ ଜିନିଷ ଆଣି ଥୋଇଦେବା। ସେମାନଙ୍କୁ ଖୁସିରେ ରଖିବା ଅର୍ଥ, ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇବା, ‌ଜୀବନର ପ୍ରତିଟି ପାଦରେ ସେମାନଙ୍କ ସହ ଆମେ ଠିଆ ହୋଇଛୁ; ତାହା ବିଶ୍ବାସ କରାଇବା ବୋଲି ସେ କହିଥିଲେ।

ଆଶାନି ଏକାଡେମିର ପରିଚାଳନା ନିର୍ଦ୍ଦେଶକ ରବୀନ୍ଦ୍ର ଗୌଡ଼ କହିଲେ, ଦ୍ରୁତ ଗତିରେ ଧାବମାନ ଏ ଯୁଗରେ ପିଲାମାନଙ୍କୁ ନିଜ ମସ୍ତିଷ୍କକୁ କ୍ଷୀପ୍ରରୁ କ୍ଷୀପ୍ରତ୍ତର କରିବାର ଆବଶ୍ୟକତା ରହିଛି। ପିଲାମାନଙ୍କୁ ଏ ଦିଗରେ ଯଥେଷ୍ଟ ସାହାଯ୍ୟ ଯୋଗାଇ ଦେଉଛି ଆଶାନି ଏକାଡେମି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମ୍ୟାଜିକ୍‌ ସୋ’। କୁନି ମ୍ୟାଜିସିଆନ୍‌ ନିଶାନଙ୍କ ଯାଦୁ ଖେଳ ହେଉ କି ମହାନ୍‌ ଯାଦୁକର ସୁଧାଂଶୁଙ୍କ ମ୍ୟାଜିକ୍‌ ସମସ୍ତଙ୍କୁ ସେଠାରେ ଅପଲକ ନୟନରେ ଅନାଇ ରହିବାକୁ ବାଧ୍ୟ କରିଥିଲା। ଆଖି ପିଛୁଳାକେ କେବେ ଗୋଟିଏ ବଲ୍‌ ୫ଟା ହୋଇଯାଉଥିଲା ତ’ ପୁଣି କେତେବେଳେ କଳା କନା ନାଲି ନେଳି ରଙ୍ଗକୁ ବଦଳି ଯାଉଥିଲା। କେବେ ଖାଲି ଟୋପିରୁ ଚିକିମିକି ଝାଲେରି ବାହାରୁଥିଲା, ପୁଣି କେବେ କନା ବାଡ଼ିରେ ବଦଳି ଯାଉଥିଲା। ସୁଧାଂଶୁଙ୍କ ଏଭଳି ମ୍ୟାଜିକ୍‌ ଦେଖି ପିଲା ତ’ ପିଲା, ଏସ୍‌ପ୍ଲାନେଡ୍‌ ବୁଲି ଆସିଥିବା ଲୋକମାନେ ବି ମଞ୍ଚ ନିକଟରେ ଭିଡ଼ ଜମାଇଥିଲେ। ପରେ ପରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରି ସେମାନଙ୍କୁ ଆକର୍ଷଣୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ନୀଳମାଧବ ଜେନା ଯୋଗ ଦେଇ ଶିଶୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କ ସ୍ବାସ୍ଥ୍ୟ ନେଇ ଜରୁରି ପରାମର୍ଶ ଦେଇଥିଲେ। ଅଭିଭାବକମାନଙ୍କୁ ଶିଶୁମାନଙ୍କ ଟିକା ଓ ଯତ୍ନ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରି ସେମାନଙ୍କୁ ଉପହାର ଜିତିବାରେ ସାହାଯ୍ୟ କରିଥିଲେ। ପରେ ପରେ କଣ୍ଠଶିଳ୍ପୀ ଅଂଶୁମାନଙ୍କ ସଙ୍ଗୀତରେ ଝୁମିଥିଲେ କୁନି କୁନି ଶିଶୁମାନେ। କାର୍ଯ୍ୟକ୍ରମ ଆରମ୍ଭରୁ ପିଲାମାନେ ଟାଟୁ କାଉଣ୍ଟର୍‌ରେ ଟାଟୁ କରି ସେଲ୍‌ଫି ଉଠାଇଥିଲେ। ଉପସ୍ଥାପିକା ଲିପ୍‌ସା ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ।

ଏହି ନିଆରା କାର୍ଯ୍ୟକ୍ରମର ପୃଷ୍ଠ‌ପୋଷକତା କରିଥିଲେ, ଟଏ ଟାଉନ୍‌, ଆଇଏଏମ୍‌ଓ ବଜାର, ଓଭୋ ଫାର୍ମ ପ୍ରାଇଭେଟ୍‌ ଲିମିଟେଡ୍‌, ଆଶାନି ଏକାଡେମି, ଶୁଭଲାଭ ଜୁଏଲାରି, ଆରେନା ଆନିମେସନ୍‌, ରାଜ୍‌ ଇଲେକ୍‌ଟ୍ରୋନିକ୍‌ସ୍‌, ୱାଇଫାଇ ଇଣ୍ଟର୍‌ନେଟ୍‌ ଓ ଅଦ୍ବିତୀୟ ଏକାଡେମି ପ୍ରମୁଖ।

ସମ୍ବନ୍ଧିତ ଖବର